Wednesday, October 7, 2026
21.5 C
Odisha

    ତେଲେଙ୍ଗାନା ଟନେଲ ଦୁର୍ଘଟଣା: କାଦୁଅ ଯୋଗୁ ଖନନ ବନ୍ଦ, ୫ ଦିନ ଧରି ଫସି ରହିଛନ୍ତି ୮ ଶ୍ରମିକ

    ଆଗକୁ ପଢନ୍ତୁ

    ହାଇଦ୍ରାବାଦ: ତେଲେଙ୍ଗାନାର ନାଗରକୁର୍ଣ୍ଣୁଲ ଜିଲ୍ଲାରେ ଏକ ସୁଡ଼ଙ୍ଗର ଭୁଶୁଡ଼ି ପଡ଼ିଥିବା ଅଂଶରେ ଫସି ରହିଥିବା ୮ ଜଣଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଏବେ ପଞ୍ଚମ ଦିନରେ ପହଞ୍ଚିଛି। ଦୁର୍ଘଟଣାସ୍ଥଳରେ ପଙ୍କ ଓ କାଦୁଅର ପରିମାଣ ବୃଦ୍ଧି ପାଉଥିବାରୁ ବିଶେଷଜ୍ଞମାନେ ଅସ୍ଥାୟୀ ଭାବେ ଖନନ କାର୍ଯ୍ୟ ବନ୍ଦ କରିଦେଇଛନ୍ତି। ଗତକାଲି ସୁଡ଼ଙ୍ଗ ଭିତରକୁ ଯାଇଥିବା ବିଶେଷଜ୍ଞଦଳ କହିଛନ୍ତି ଯେ କାଦୁଅ ଏବେ ପ୍ରାୟ ଏକ ମିଟର ବୃଦ୍ଧି ପାଇଛି। ସୁଡ଼ଙ୍ଗ ଆଡ଼କୁ ଅଧିକ ପଙ୍କ ଓ କାଦୁଅ ଆସୁଛି ଏବଂ ଲୋକୋମୋଟିଭ୍ (ଗାଡ଼ି) ପ୍ରବେଶ ପ୍ରାୟ ୧୧.୫ କିଲୋମିଟରକୁ ହ୍ରାସ ପାଇଛି। ପର୍ତ୍ତମାନ ପାର୍ଶ୍ୱପଥ ଦେଇ ପହଞ୍ଚିବାକୁ ଚେଷ୍ଟା ଚାଲିଛି।ସେମାନେ ବିଶ୍ୱାସ କରନ୍ତି ଯେ, ଯଦି ଗଭୀର ଖନନ କରାଯାଏ ତେବେ ଢାଞ୍ଚାଗତ ସ୍ଥିରତାରେ ସମସ୍ୟା ସୃଷ୍ଟି ହୋଇପାରେ, ଯାହା କେବଳ ଫସି ରହିଥିବା ଶ୍ରମିକମାନଙ୍କୁ ବିପଦରେ ପକାଇବ ନାହିଁ ବରଂ ଉଦ୍ଧାରକାରୀ ଦଳର ଜୀବନକୁ ମଧ୍ୟ ବିପଦରେ ପକାଇପାରେ। ଏଲ୍‌ଏଣ୍ଡ୍‌ଟିର ଅଷ୍ଟ୍ରେଲୀୟ ସୁଡ଼ଙ୍ଗ ବିଶେଷଜ୍ଞ କ୍ରିସ୍ କୁପର ମଧ୍ୟ ସୋମବାର କହିଛନ୍ତି ଯେ ସମଗ୍ର ଅଞ୍ଚଳ ଅସ୍ଥିର ଦେଖାଯାଉଛି ଏବଂ ଭାରୀ ଖନନ ଜାରି ରଖିବା ଅତ୍ୟନ୍ତ ବିପଜ୍ଜନକ ହୋଇପାରେ। ପ୍ରତି ମିନିଟରେ ପ୍ରାୟ ୩୨୦୦ ଲିଟର ପାଣି ସୁଡ଼ଙ୍ଗରେ ଭର୍ତ୍ତି ହେଉଛି, ଯେଉଁଥିରେ ବିପୁଳ ପରିମାଣର ବାଲି, ପଥର ଓ ଆବର୍ଜନା ମିଶି ଅଧିକ ପଙ୍କ ଓ କାଦୁଅ ତିଆରି ହେଉଛି। ତେବେ ସୁଡ଼ଙ୍ଗରୁ ପାଣି କଢ଼ା କରାଯାଉଥିବାରୁ ଏହା ଚିନ୍ତାର କାରଣ ନୁହେଁ। ଶନିବାର ସକାଳେ ଶ୍ରୀଶୈଲମ୍ ଲେଫ୍ଟ ବ୍ୟାଙ୍କ କେନାଲ (ଏସ୍‌ଏଲ୍‌ବିସି) ଟନେଲର ଏକ ଅଂଶ ଭୁଶୁଡ଼ି ପଡ଼ିବା ପରେ ଫସି ରହିଥିବା ୮ ଜଣ ବ୍ୟକ୍ତିଙ୍କ ସହ ଉଦ୍ଧାରକାରୀ ଦଳ ଏପର୍ଯ୍ୟନ୍ତ କୌଣସି ଯୋଗାଯୋଗ କରିପାରି ନାହାନ୍ତି। ସେମାନଙ୍କ ମଧ୍ୟରେ ୨ ଜଣ ଇଞ୍ଜିନିୟର, ୨ ଜଣ ଅପରେଟର ଓ ୪ ଜଣ ଶ୍ରମିକ ଅଛନ୍ତି।

    ସେମାନେ ହେଲେ ଝାଡ଼ଖଣ୍ଡର ସନ୍ଦୀପ ସାହୁ, ଜେଗଟା ଜେସ, ସନ୍ତୋଷ ସାହୁ ଓ ଅନୁଜ ସାହୁ, ଉତ୍ତରପ୍ରଦେଶର ମନୋଜ କୁମାର ଓ ଶ୍ରୀ ନିବାସ, ଜମ୍ମୁ-କଶ୍ମୀରର ସନ୍ନି ସିଂହ ଓ ପଞ୍ଜାବର ଗୁରପ୍ରୀତ ସିଂହ। ତେଲେଙ୍ଗାନା ମନ୍ତ୍ରୀ ଜୁପଲ୍ଲୀ କ୍ରିଷ୍ଣା ରାଓ ସୋମବାର କହିଛନ୍ତି ଯେ ଫସି ରହିଥିବା ୮ ଜଣ ବ୍ୟକ୍ତିଙ୍କର ବଞ୍ଚିବାର ସମ୍ଭାବନା ଅତ୍ୟନ୍ତ କମ୍। ଜଳସେଚନ ମନ୍ତ୍ରୀ ଉତ୍ତମ କୁମାର ରେଡ୍ଡୀଙ୍କ ସହ ଉଦ୍ଧାର କାର୍ଯ୍ୟର ତଦାରଖ କରିଥିବା ଶ୍ରୀ ରାଓ କହିଛନ୍ତି ଯେ ବଞ୍ଚିବାର ସମ୍ଭାବନା ବହୁତ କମ୍, କିନ୍ତୁ ଆମେ ଆଶାବାଦୀ ଏବଂ କୌଣସି ପ୍ରୟାସକୁ ବାଦ୍ ଦେଇ ପାରିବୁ ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି ଯେ ୨୦୨୩ରେ ଉତ୍ତରାଖଣ୍ଡର ସିଲ୍କିୟାରା ବେଣ୍ଡ-ବାରକୋଟ ଟନେଲରେ ଫସି ରହିଥିବା ନିର୍ମାଣ ଶ୍ରମିକମାନଙ୍କୁ ଉଦ୍ଧାର କରିଥିବା ରୢାଟ୍‌ହୋଲ ମାଇନର କର୍ମଚାରୀଙ୍କ ଏକ ଟିମ୍ ଉଦ୍ଧାରକାରୀ ଦଳରେ ସାମିଲ ହୋଇଛନ୍ତି। ୯ଟି ଜାତୀୟ ଏଜେନ୍ସି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି ଏବଂ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ନିରନ୍ତର ସୂଚନା ନେଉଛନ୍ତି। ସ୍ଥିତି ଆକଳନ ପାଇଁ ଜିଓଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ ଏବଂ ନ୍ୟାସନାଲ ଜିଓଗ୍ରାଫିକାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ବିଶେଷଜ୍ଞଙ୍କୁ ମଧ୍ୟ ନିୟୋଜିତ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.5 ° C
    21.5 °
    21.5 °
    86 %
    1.2kmh
    4 %
    Wed
    31 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ