Sunday, March 29, 2026
25.2 C
Odisha

    ଥାନା ଭିତରେ ଦୁଇ ଭାଇଙ୍କୁ ଥାର୍ଡ ଡିଗ୍ରୀ; ଗରମ ପାଣି ଢାଳିଲେ, ଗୋଡ଼ ନଖ ଉପାଡ଼ି ଦେଲେ

    ଆଗକୁ ପଢନ୍ତୁ

    ରାଉରକେଲା: ବର୍ବରତାର ଶେଷ ସୀମା ଟପିଗଲେ ଆରପିଏଫ୍ ପୁଲିସ କର୍ମଚାରୀ। ଡିଜେଲ ଚୋରି ଅଭିଯୋଗରେ ଥାନା ଭିତରେ ଦୁଇ ଭାଇଙ୍କୁ ଥାର୍ଡ ଡିଗ୍ରୀ ଘଟଣା ଆରପିଏଫ୍ ପୁଲିସର ନୃଶଂସତାକୁ ପଦାରେ ପକାଇ ଦେଇଛି । ଦୁଇମାସ ପୂର୍ବେ ହୋଇଥିବା ଡିଜେଲ ଚୋରି ସନ୍ଦେହରେ ରାତି ଅଧରେ ଦୁଇ ଭାଇଙ୍କୁ ଉଠାଇ ଆରପିଏଫ୍ ଥାନା ଭିତରେ ନିସ୍ତୁକ ମାଡ଼ ମାରି ଗରମ ପାଣି ଢାଳିବା, ଚୋରିରେ ସମ୍ପୃକ୍ତ ନ ଥିବା କହିବାରୁ ପ୍ଲାସରେ ସେମାନଙ୍କ ଗୋଡ଼ ନଖ ଉପାଡ଼ି ଦେବାସହ ଗୁପ୍ତାଙ୍ଗକୁ ଆଘାତ ଦେବାଭଳି ଘଟଣାରେ କେ. ବଲାଙ୍ଗ ଥାନା ପୁଲିସ ତଦନ୍ତ ଆରମ୍ଭ କରିଛି । ଆରପିଏଫ୍ ଦ୍ୱାରା ଶାରୀରିକ ନିର୍ଯାତନା ପରେ ଗୁରୁତର ଭାବେ ଆହତ ହୋଇଥିବା ଦୁଇ ଭାଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି ।
    ସୂଚନାଯୋଗ୍ୟ ଯେ କେ. ବଲାଙ୍ଗ ଥାନା ଅଧୀନ କ୍ରିୟାକୁଦର ଗ୍ରାମର ଦୁଇଭାଇ ଛୋଟେଲାଲ ଇଛାଗୁଟୁ ଓ ଦୁମ୍ୱି ଇଛାଗୁଟୁଙ୍କୁ ଦୁଇ ମାସ ପୂର୍ବେ ପଟାସାହି ରେଳଷ୍ଟେସନ ଠାରେ ମାଲବାହୀ ରେଳ ଇଞ୍ଜିନ୍ ରୁ ଡିଜେଲ ଚୋରି କରିବା ସନ୍ଦେହ କରି ଗତ ୨ ତାରିଖ ମଧ୍ୟ ରାତ୍ରିରେ ଶୋଇଥିବା ଅବସ୍ଥାରେ ଆରପିଏଫ୍ ପୁଲିସ ଉଠାଇ ନେଇଥିଲା । ଏହାପରେ ବିମଲାଗଡ଼ ରେଳ ଷ୍ଟେସନ ସ୍ଥିତ ଆରପିଏଫ୍ ର ଏକ କୋଠରିକୁ ନେଇ ଦୁଇଭାଇଙ୍କୁ ଆରପିଏଫ୍ ଅଧିକାରୀ ଓ କର୍ମଚାରୀମାନେ ମିଶି ନିର୍ଯାତନା ଦେଇଥିଲେ । ରାତିସାରା ଦୁଇ ଭାଇଙ୍କୁ ଉଲଗ୍ନ କରି ଲାଠିରେ ନିର୍ମମ ଭାବେ ପିଟିବା ପରେ କ୍ଷତ ସ୍ଥାନରେ ଗରମ ପାଣି ଢାଳିଥିଲେ । କେବଳ ସେତିକିରେ ସୀମିତ ରହି ନ ଥିଲା ଥାର୍ଡ ଡିଗ୍ରୀ । ଏକ ତାରରେ ବାନ୍ଧି ସେମାନଙ୍କୁ ବିଦ୍ୟୁତ୍ ସକ୍ ମଧ୍ୟ ଦିଆଯାଇଥିଲା । ପରେ ପ୍ଲାସ୍ ଦ୍ୱାରା ସେମାନଙ୍କ ଗୋଡ଼ ଆଙ୍ଗୁଠିର ନଖ ଉପାଡି ଦିଆଯାଇଥିବା ପରି ଭୟାନକ ଥାର୍ଡ ଡିଗ୍ରୀ ଦେଇଥିଲେ । ସେମାନେ ଡିଜେଲ ଚୋରି ବିଷୟରେ କିଛି ଜାଣିନାହାନ୍ତି ବୋଲି କାକୁତିମନତି ହୋଇଥିଲେ ମଧ୍ୟ ରକ୍ତମୁଖା ଆରପିଏଫ୍ ପୁଲିସୁ ଦୟା ଆସି ନ ଥିଲା । ଏହାପରେ ଦୁହିଁଙ୍କ ଗୁପ୍ତାଙ୍ଗରେ ଲୁହା ପ୍ଲେଟ୍‌ରେ ଗୁରୁତର ଭାବେ ଆଘାତ ଦେଇ ୨୪ ଘଣ୍ଟା ପରେ ସେମାନଙ୍କୁ ଛାଡ଼ି ଦେଇଥିଲେ । ସେମାନେ ଘରେ ପହଞ୍ଚି ଅସହ୍ୟ ଯନ୍ତ୍ରଣା ଯୋଗୁଁ ପରିବାର ସହ କେ. ବଲାଙ୍ଗ ଥାନାକୁ ଯାଇ ୪ ତାରିଖରେ ସେମାନଙ୍କ ପ୍ରତି ହୋଇଥିବା ଅକଥନୀୟ ନିର୍ଯାତନା ବିଷୟରେ ଉଲ୍ଲେଖ କରି ଆରପିଏଫ୍ ଅଧିକାରୀ ବିରୋଧରେ ଏତାଲା ଦେଇଥିଲେ । କେ. ବଲାଙ୍ଗ ପୁଲିସ୍ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରି ଚିକିତ୍ସା କରାଇବା ସହ ଏ ନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ରାଉରକେଲା ଏସ୍‌ପି ନିତେଶ ୱାଧୱାନି କହିଛନ୍ତି ଯେ ଏହି ଘଟଣା ଯଦି ସତ୍ୟ ତେବେ ଅତ୍ୟନ୍ତ ଅମାନୁଷିକ। ଆହତ ଦ୍ୱୟଙ୍କୁ ପ୍ରଥମେ ଚିକିତ୍ସା କରାଯିବା ସହ ଏନେଇ ଏକ ମାମଲା ରୁଜୁ କରାଯାଇଛି । ଏସ୍‌ଡିପିଓଙ୍କ ନେତୃତ୍ୱରେ ତଦନ୍ତ ଆରମ୍ଭ ହୋଇଛି । ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ବଣାଇଁ ଏସ୍‌ଡିପିଓ ସ୍ୱରାଜ ଦେବତା କହିଛନ୍ତି ଯେ ୩ ଜଣ ଆରପିଏଫ୍ କର୍ମଚାରୀଙ୍କ ନାମରେ ଥାର୍ଡ ଡିଗ୍ରୀ ନେଇ ଏତାଲାରେ ଉଲ୍ଲେଖ ରହିଛି । ତେବେ ଆହତମାନେ ମେଡିକାଲରୁ ସୁସ୍ଥ ହୋଇ ଡିସ୍‌ଚାର୍ଜ ହେବା ପରେ ସେମାନଙ୍କୁ ନେଇ ଦୋଷୀ ଆରପିଏଫ୍‌ଙ୍କୁ ଚିହ୍ନଟ କରାଯିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.2 ° C
    25.2 °
    25.2 °
    30 %
    1kmh
    0 %
    Sun
    39 °
    Mon
    41 °
    Tue
    39 °
    Wed
    39 °
    Thu
    41 °

    ସମ୍ବନ୍ଧିତ