ନୂଆଦିଲ୍ଲୀ : ଆଜି ସକାଳେ ଗାଜିଆବାଦର ରାଜ ଏମ୍ପାୟାରର ବାସିନ୍ଦା ହରିଶ ରାଣାଙ୍କ ଶେଷକୃତ୍ୟ ଦକ୍ଷିଣ ଦିଲ୍ଲୀର ଗ୍ରୀନ ପାର୍କ ଶ୍ମଶାନରେ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି । ତାଙ୍କ ସାନ ଭାଇ ଆଶିଷ ଏବଂ ଭଉଣୀ ଭାବନାଙ୍କ ଉପସ୍ଥିତିରେ ଶେଷକୃତ୍ୟ ହୋଇଛି ।
ସୂଚନାଯୋଗ୍ୟ, ୧୩ ବର୍ଷ ଧରି କୋମାରେ ଥିବା ହରିଶ ରାଣାଙ୍କୁ ସୁପ୍ରିମକୋର୍ଟଙ୍କ ଐତିହାସିକ ନିର୍ଦ୍ଦେଶ ପରେ ମେଡିକାଲ ଟ୍ରିଟମେଣ୍ଟ ବନ୍ଦ କରଦିଆଯାଇଥିଲା । ଫଳରେ ଗତକାଲି ସେ ଦିଲ୍ଲୀର ଏମ୍ସରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ଆଜି ତାଙ୍କର ଦକ୍ଷିଣ ଦିଲ୍ଲୀରେ ଶେଷକୃତ୍ୟ ହେବା ସମୟରେ ପରିବେଶ ଗମ୍ଭୀର ଥିଲା । ତାଙ୍କ ଅନ୍ତିମ ସଂସ୍କାର ସମୟରେ ବୈଦିକ ମନ୍ତ୍ର ଉଚ୍ଚାରଣ କରାଯାଇଥିଲା ଏବଂ ତାଙ୍କ ଶରୀରରେ ଗୋଲାପ ପାଖୁଡା ଏବଂ ମାଳା ଦିଆଯାଇଥିଲା । ହରିଶଙ୍କ ମା’ ନିର୍ମଳା ଦେବୀ ତାଙ୍କ ପୁଅକୁ ହାତ ଯୋଡ଼ି ଭାବପ୍ରବଣ ବିଦାୟ ଦେଇଥିବାବେଳେ ବାପା ଅଶୋକ ରାଣା ସମବେଦନା ଜଣାଇବାକୁ ଆସିଥିବା ଲୋକମାନଙ୍କୁ କାନ୍ଦିବାକୁ ଅନୁରୋଧ କରିଥିଲେ । ଏଥିସହ ସେ କହିଥିଲେ ଯେ, ତାଙ୍କ ପୁଅ ଏବେ ଏକ “ଖୁସିର ସ୍ଥାନରେ” ଅଛି ଏବଂ ସର୍ବଦା ଏକ ଭଲ ପୁଅ ଥିଲା। ପଡ଼ୋଶୀ ଏବଂ ଶୁଭେଚ୍ଛୁମାନେ ପରିବାରର ଅଟଳ ଧୈର୍ଯ୍ୟକୁ ପ୍ରଶଂସା କରିଥିଲେ । ସେପଟେ ବ୍ରହ୍ମା କୁମାରୀମାନଙ୍କ ସହିତ ଜଡିତ ସିଷ୍ଟର ଲଭଲି କହିଛନ୍ତି ଯେ ପରିବାର ହରିଶଙ୍କ ଆଖି ଦାନ କରିବାକୁ ନିଷ୍ପତ୍ତି ନେଇଛି ।
