Tuesday, March 3, 2026
26.2 C
Odisha

    ଦଣ୍ଡ କାହିଁକି ?

    ଆଗକୁ ପଢନ୍ତୁ

     

    ଗାଁର ପଞ୍ଚ ମୁରବି ପଞ୍ଚାୟତ ଭବନରେ ପହଞ୍ଚିଗଲେ । ଜଣେ ମୁରବି କହିବା ଆରମ୍ଭ କଲେ, ”ହେ ମୁଖିଆମାନେ, ହରିଜନ ମଙ୍ଗଳର ପତ୍ନୀ ଓ ପୁତ୍ର ମନ୍ଦିର ମଧ୍ୟରେ ପ୍ରବେଶ କରି ଘୋର ପାପ କରିଛନ୍ତି । ଯଦି ତାଙ୍କର ଏପରି ଭୁଲ ପାଇଁ ତାଙ୍କୁ ଉପଯୁକ୍ତ ଶାସ୍ତି ନ ଦିଆଯାଏ ତେବେ ସେମାନେ ଉଚ୍ଚ ଜାତିର ଲୋକମାନଙ୍କ ମୁଣ୍ଡ ଉପରେ ଚଢି କଥାବାର୍ତ୍ତା କରିବେ । ତେଣୁ ଆଜି ଏଠାରେ ଏପରି ଫଇସଲା ହେବା ଉଚିତ ଯେପରି ସେମାନଙ୍କର ଉଚ୍ଚକୁ ଉଠିବାର ଦୁରାଶା ସବୁଦିନ ପାଇଁ ନଷ୍ଟ ହୋଇଯିବ ।

    ହରିଜନ ସମ୍ପ୍ରଦାୟ ସେହି ମୁଖିଆଙ୍କ କଥା ଶୁଣି ଛାନିଆଁ ହୋଇଗଲା ବେଳେ ଅନ୍ୟ ଲୋକେ ସବୁ ମୁଖିଆଙ୍କ କଥାକୁ ପୂର୍ଣ୍ଣ ସମର୍ଥନ ଜଣାଉଥାନ୍ତି ।

    ଠାକୁର ହରି ସିଂ କହିଲେ,”ମଙ୍ଗଳ, ତୁ ନିଜେ କହ ଯେ ତୁ କି ପ୍ରକାର ଭୁଲ କରିଛୁ ।“ ମଙ୍ଗଳ ନିଜ ମୁଣ୍ଡ ଉପରେ ବନ୍ଧା ହୋଇଥିବା ମଇଳା ଗାମୁଛା ଠେକାଟି ହାତରେ ଆଣି ଭୁଇଁ ଉପରେ ରଖି କହିଲା,”ହେ ପାଞ୍ଚ ମୁଖିଆ, ଆପଣଙ୍କ ପାଦ ତଳେ ନିଜର ଠେକା ରକହିମୋର ଭୁଲ ହୋଇଯାଇଛି ବୋଲି ସ୍ଵୀକାର କରୁଛି ଓ ସେଥିପାଇଁ କ୍ଷମା ମାଗୁଛି ।“ ଠାକୁର ସିଂ ପୁଣି କହିଲେ,” କ୍ଷମା କଥା ଛାଡ । ପ୍ରଥମେ କହ ଯେ କିଏ ଓ କି ପ୍ରକାର ଭୁଲ କରିଛି ?”

    ମଙ୍ଗଳ ଦୁଇ ହାତ ଯୋଡି କହିଲା,”ହେ ପଞ୍ଚ ମୁଖିଆ, ମୋ ପୁଅ ହରିଶର ବାହାଘର ହେଉଥିଲା । ଦେବତାଙ୍କ ପାଦ ଛୁଇଁବା ପାଇଁ ସେ ମନ୍ଦିର ଭିତରକୁ ଚାଲିଗଲା । ତା’ ସାଙ୍ଗରେ ମୋ ସ୍ତ୍ରୀ ମଧ୍ୟ ଥିଲା । ବାସ୍ , କଥା ଏତିକି । କୁକୁର, ବିଲେଇ ମନ୍ଦିର ଭିତରକୁ ପଶିଗଲେ ଦେବତା ଅପବିତ୍ର ହେଉନାହାନ୍ତି । କିନ୍ତୁ ଆମ ପାଦଛୁଆଁରେ ଅପବିତ୍ର ହୋଇଯାଉଛନ୍ତି ? ପଞ୍ଚ ମୁରବି ଯେଉଁ ଶାସ୍ତି ଦେବେ ତାହା ଆମେ ମାନିନେବୁ । “

    ମୁରବିମାନେ ନିଜ ନିଜ ଭିତରେ ଆଲୋଚନା କଲେ । ପଣ୍ଡିତ ଦ୍ଵାରିକା ଦତ୍ତ କହିଲେ,”ଦେବତାଙ୍କୁ ଗଙ୍ଗା ଜଳରେ ସ୍ନାନ କରିବାକୁ ପଡିବ ।“ ଠାକୁର ବଦ୍ରି ପ୍ରସାଦ କହିଲେ,”ମଙ୍ଗଳ ଉପରେ ଏଗାରଶହ ଟଙ୍କାର ଜରିମାନା ହେବା ଦରକାର ।“ ଠାକୁର ନଥି ସିଂ କହିଲେ,” ଦୁଇ ଅପରାଧୀଙ୍କୁ ପଞ୍ଚାୟତ ଭବନରେ ଜୋତାମାଡ ଦେବା ଦରକାର ।“ ତାପରେ ଠାକୁର ସୁବେଦାର ସିଂ କହିଲେ,”ଏପରି ଦଣ୍ଡରେ ପୋଲିସ ଛାଡିବ ନାହିଁ । ତେଣୁ ମୁଁ ଭାବିଚିନ୍ତି ମଙ୍ଗଳ ଉପରେ ଏଗାରଶହ ଟଙ୍କା ଜରିମାନା ଦାବି କରୁଛି ।“ ଏକଥା ଶୁଣି ମଙ୍ଗଳର ପୁଅ ହରିଶ ଏଗାରଶହ ଟଙ୍କା ଜରିମାନା ଦେବାପାଇଁ ସିଧା ମନା କରିଦେଲା । ହରିଶର ଏପରି କଥା ଶୁଣି ପଞ୍ଚାୟତର ମୁରବିମାନେ ଚକିତ ହୋଇଗଲେ । ସମସ୍ତେ ତାକୁ ରାଗ ଜରଜର ଦୃଷ୍ଟିରେ ଦେଖିବାକୁ ଲାଗିଲେ । ଜଣେ ମୁଖିଆ ରାଗିଯାଇ କହିଲେ,” ତୁ ଭୁଲ କରି ଜରିମାନା ଦେବୁ ନାହିଁ କାହିଁକି?”

    ହରିଶ ଶାନ୍ତ ସ୍ଵଭାବରେ କହିଲା, ”ପଞ୍ଚମୁଖିଆ, ପ୍ରଥମ କଥା ଏଇଆ ଯେ, ଆମ୍ଭେମାନେ ଏପରି ଅନ୍ଧବିଶ୍ଵାସରେ ବିଶ୍ୱାସ କରୁନା । ପୁଣି ଯଦି ବିବାହ ପରମ୍ପରା ରକ୍ଷା କାରଣରୁ ମୁଁ ମନ୍ଦିର ଭିତରକୁ ଚାଲିଗଲି ତେବେ କଣ ବା ଭୁଲ କଲି ? ଆମ ହରିଜନଙ୍କ ହୃଦୟରେ ମଧ୍ୟ ଆତ୍ମା ବିରାଜମାନ କରେ । ତେଣୁ ଆମେ ମଧ୍ୟ ଦେବତାଙ୍କ ଠାରୁ କମ ନୁହେଁ । “

    ଗାଁ ମୁଖିଆ ବଡପାଟି ରେ କହିଲେ,”ଦେଖ ତ, ଇଏ ଠାକୁରଙ୍କ ଠାରୁ ଉଚ୍ଚ ହେଲା ଭଳି କଥା କହୁଛି ।“ ହରିଶ କହିଲା, “ହଁ, ମୁଁ ମାନି ନେଉଛି ଯେ ଦେବତା ବଡ଼ । କିନ୍ତୁ ମୋତେ ପ୍ରଥମେ କୁହ ଯେ, ବିଜୁଳି ବଡ଼ ନା ମଣିଷ ? କାହାଠାରେ ଅଧିକ ଶକ୍ତି ଅଛି ?”

    “ବିଜୁଳିଠାରେ ।“ କିଛିଲୋକ ଏକସ୍ଵରରେ ଉତ୍ତର ଦେଲେ । ଏହା ଶୁଣିସାରି ହରିଶ କହିଲା,”ଯଦି ଜଣେ ଲୋକ ବିଦ୍ୟୁତ କୁ ଧରି ପକାଏ, ତେବେ କ୍ଷତି କାହାର ହେବ ? ବିଜୁଳିର ନା ମଣିଷର ?”

    “ମଣିଷ ମରିଯାଇପାରେ । ବିଜୁଳି ଦାଉରୁ ସେ ରକ୍ଷା ପାଇପାରିବ ନାହିଁ ।“ ଜଣେ ମୁଖିଆ କହିଲେ ।

    “ଠିକ ସେମିତି ଯଦି ତୁମ ଦ୍ଵାରା ତିଆରି ଭଗବାନଙ୍କୁ ହରିଜନ ଜାତିର କେହି ବ୍ୟକ୍ତି ଛୁଇଁଦିଏ ତେବେ କିଏ ଅପବିତ୍ର ହେବ ?”

    “ଦେବତା ।“ କେହିଜଣେ ଉତ୍ତର ଦେଲେ ।

    “ତେବେ ଅଧିକ ଶକ୍ତି କାହାଠାରେ ଅଛି ?“ ହରିଶ ସ୍ମିତହାସ୍ୟ ଖେଳାଇ କହିଲା । ହରିଶର ଏପରି ପ୍ରଶ୍ନ ଶୁଣି ପଞ୍ଚାୟତ ମୁଖିଆମାନେ ନୀରବ ହୋଇଗଲେ । କିଏ ବା ମାନିନେବ ଯେ ହରିଜନ ବ୍ୟକ୍ତିର ଶକ୍ତିଠାରୁ ଦେବତାଙ୍କର ଶକ୍ତି କମ ହେବ । ତା’ପରେ ହରିଶ କହିଲା, ଯେବେ ଆମେ ଛୁଇଁବାରୁ ଦେବତାଙ୍କର ଶକ୍ତି ନଷ୍ଟ ହୋଇଯାଉଛି, ସେ ଅପବିତ୍ର ହୋଇ ଯାଉଛନ୍ତି ତେବେ ତାଙ୍କଠାରୁ ଅଧିକ ଶକ୍ତି ତ ଆମପାଖରେ ଅଛି । ମୁଁ ସତକଥା କହୁଛି ଯେ, ଲୋକଟିଏ ଛୁଇଁଦେବା ମାତ୍ରେ ଯେଉଁ ମୂର୍ତ୍ତିର ଶକ୍ତି କମି ଯାଉଛି ସେହି ଦେବତା କିପରି ଶକ୍ତିବାନ ବା ପ୍ରତ୍ୟକ୍ଷ ? ଯେଉଁ ଦେବତା ବିଲେଇ କୁକୁରଙ୍କ ଠାରୁ ନିଜକୁ ସୁରକ୍ଷା କରିପାରୁ ନାହାନ୍ତି ଆପଣମାନେ କିପରି କହି ପାରିବେ ଯେ ତାଙ୍କଠାରେ ଅଖଣ୍ଡ ଶକ୍ତି ଅଛି ? ଏହା କେବଳ ବୋକାମି । ଆଉ ବୋକାମାନଙ୍କୁ ଜରିମାନା ଆମେ ଦେଇପାରିବୁ ନାହିଁ । ମୁଁ ଯଦି କୌଣସି ଗର୍ହିତ ଅପରାଧ କରିଥାନ୍ତି, ତେବେ ଦଣ୍ଡ ପାଇଥାନ୍ତି । କିନ୍ତୁ ମୋ ମତରେ ମୁଁ କୌଣସି ଅପରାଧ କରି ନଥିବାରୁ ଦଣ୍ଡ ଭୋଗିବାକୁ ବାଧ୍ୟ ନୁହେଁ ।“

    “ ତା’ ହେଲେ ତୁ ଦଣ୍ଡ ଭୋଗିବୁ ନାହିଁ ?” ଜଣେ ମୁଖିଆ ପଚାରିଲେ ।

    “କୌଣସି ପରିସ୍ଥିତିରେ ନୁହେଁ । ଆଉ ଯଦି ତୁମେମାନେ ଜୋର ଜବରଦସ୍ତି କର ତେବେ ମୋତେ ମଧ୍ୟ ନିୟମ କାନୁନର ବାଟ ଜଣା ଅଛି ।“

    ହରିଶର କଥା ଶୁଣି ସମସ୍ତେ ହଡବଡେଇ ଗଲେ ଓ କେହି ଜଣେ ମଧ୍ୟ ତାକୁ ଦଣ୍ଡ ଦେବା କଥା ଆଉ ଉଚ୍ଚାରଣ କଲେ ନାହିଁ ।

    କାହାଣୀ- ନିରଞ୍ଜନ ପତି

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    26.2 ° C
    26.2 °
    26.2 °
    17 %
    2.1kmh
    15 %
    Tue
    28 °
    Wed
    37 °
    Thu
    38 °
    Fri
    38 °
    Sat
    38 °

    ସମ୍ବନ୍ଧିତ