Friday, April 24, 2026
39.5 C
Odisha

    ଦିନିକିଆ ଦଳ ଚୟନକୁ ନେଇ ଦ୍ବନ୍ଦ୍ବ

    ଆଗକୁ ପଢନ୍ତୁ

    ମୁମ୍ବାଇ: ବର୍ଡର-ଗାଭାସ୍କର ଟ୍ରଫିରେ ପରାଜୟ ଏବଂ ବିଶ୍ବ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍ ଫାଇନାଲ୍‌କୁ ବାଦ୍ ପଡ଼ିବା ପରେ ଭାରତୀୟ ଦଳର ଆଗାମୀ ଆହ୍ବାନ ହେଉଛି ଇଂଲଣ୍ଡ ବିପକ୍ଷ ଘରୋଇ ସୀମିତ ଓଭର ଶୃଙ୍ଖଳା ଏବଂ ଚାମ୍ପିଅନ୍ସ ଟ୍ରଫି। ଚାମ୍ପିଅନ୍ସ ଟ୍ରଫି ଲାଗି ପ୍ରାଥମିକ ଦଳ ଘୋଷଣାର ଶେଷ ତାରିଖ ଆଗାମୀ ୧୨ ତାରିଖ ଥିଲା ବେଳେ ଚଳିତ ଜାନୁଆରି ୨୨ରୁ ଆରମ୍ଭ ହେବାକୁ ଯାଉଥିବା ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳା‌ ଏବଂ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଲାଗି ମଧ୍ୟ ଏକାସାଙ୍ଗରେ ଭାରତୀୟ ଦଳ ଘୋଷଣା କରାଯିବାର ସମ୍ଭାବନା ଅଧିକ ରହିଛି। ତେବେ ସୀମିତ ଓଭର ଦଳ ଚୟନ ଭାରତୀୟ ଚୟନକର୍ତ୍ତାଙ୍କ ପାଇଁ ସେତେଟା ସହଜ ହେବନି। ବହୁଳ ବିକଳ୍ପ ସହ କିଏ ପାଳି ଆରମ୍ଭ କରିବ, ତାହା ମଧ୍ୟ ସେମାନଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହେବାକୁ ଯାଉଛି।

    ୨୦୨୪ରେ ମାତ୍ର ତିନିଟି ଦିନିକିଆ ଖେଳିଛି ଭାରତ
    ଟ୍ବେଣ୍ଟି-୨୦ ବିଶ୍ବକପ୍ ଏବଂ ବିଶ୍ବ ଟେଷ୍ଟ୍ ଚାମ୍ପିଅନ୍‌ସିପ୍‌ ଉପରେ ଧ୍ୟାନ ଦେବାକୁ ଯାଇ ଭାରତୀୟ ଦଳ ଗତବର୍ଷ ଟ୍ବେଣ୍ଟି-୨୦ ଓ ଟେଷ୍ଟ୍ ଶୃଙ୍ଖଳା ଉପରେ ଅଧିକ ଧ୍ୟାନ ଦେଇଥିଲା। ଏଣୁ ୨୦୨୪ରେ ମାତ୍ର ତିନିଟି ଦିନିକିଆ ଖେଳିଥିଲା। ଏପରିକି ୨୦୨୩ ଏକଦିବସୀୟ ବିଶ୍ବକପ୍‌ର ଫାଇନାଲ୍‌ରେ ପରାଜିତ ହେବା ପରଠାରୁ ଟିମ୍ ଇଣ୍ଡିଆ ମାତ୍ର ୬ଟି ଦିନିକିଆ ମ୍ୟାଚ୍ ଖେଳିଛି। ସେହି ୬ ମ୍ୟାଚ୍ ମଧ୍ୟରୁ ୨୦୨୭ ବିଶ୍ବକପ୍‌କୁ ଆଖି ଆଗରେ ରଖି ବହୁ ଯୁବ ଖେଳାଳିଙ୍କୁ ସୁଯୋଗ ମିଳିଥିଲା। ଏଣୁ ଏକ ସ୍ଥିର ଓ ସନ୍ତୁଳିତ ଏକଦିବସୀୟ ଦଳ ଗଠନ କରିବା ମଧ୍ୟ ଭାରତୀୟ ଚୟନକର୍ତ୍ତାଙ୍କ ଲାଗି କାଠିକର ପାଠ ହେବାକୁ ଯାଉଛି। ସେହି ତୁଳନାରେ ଟ୍ବେଣ୍ଟି-୨୦ ଦଳ କିନ୍ତୁ ଏକପ୍ରକାର ଆକାର ନେଇ ସାରିଛି। ରୋହିତ ଶର୍ମା, ବିରାଟ କୋହଲି ଓ ରବୀନ୍ଦ୍ର ଜାଡ଼େଜାଙ୍କ ଭଳି ଖେଳାଳି ଅବସର ନେଇ ସାରିଥିଲା ବେଳେ ନବାଗତ ଖେଳାଳିମାନେ ସେମାନଙ୍କ ସ୍ଥାନ ସଫଳତାର ସହ ନେଇ ସାରିଛନ୍ତି। ଏବେ ଦିନିକିଆ ଦଳରେ ମଧ୍ୟ କିଛି ନବାଗତଙ୍କୁ ନେଇ ପର୍ଯ୍ୟାୟକ୍ରମେ ବରିଷ୍ଠଙ୍କୁ ବିଦାୟ ଦେବାର ସମୟ ଆସିଯାଇଛି ବୋଲି କ୍ରିକେଟ୍ ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।

    ଗିଲ୍ ନା ଜୟସ୍ବାଲ୍
    ଯଶସ୍ବୀ ଜୟସ୍ବାଲ୍‌ଙ୍କୁ ତିନିଟି ଯାକ ଫର୍ମାଟ୍‌ରେ ଓପନ୍ କରିବାର ସୁଯୋଗ ଦେବାକୁ ଚାରିଆଡ଼ୁ ଦାବି ହେଉଛି। ତେବେ ଚୟନକର୍ତ୍ତାମାନେ ତାଙ୍କୁ ଏବେବି ଦିନିକିଆ ଦଳରେ ସୁଯୋଗ ଦେଇ ନାହାନ୍ତି। ସେଥିପାଇଁ ଅଧିନାୟକ ରୋହିତ ଶର୍ମା ଓ ଶୁବମନ୍ ଗିଲ୍ ଦିନିକିଆରେ ସେମାନଙ୍କ ପସନ୍ଦର ଓପନିଂ ଯୋଡ଼ି ହୋଇ ରହିଆସିଛନ୍ତି। ୨୦୨୩ ବିଶ୍ବକପ୍‌ରେ ମଧ୍ୟ ରୋହିତ-ଗିଲ୍ ଯୋଡ଼ି ବହୁତ ଭଲ ପ୍ରଦର୍ଶନ କରିବା ଜୟସ୍ବାଲଙ୍କ ଦିନିକିଆ ଦଳରେ ସ୍ଥାନ ପାଇବା ଦିଗରେ ବଡ଼ ପ୍ରତିବନ୍ଧକ ଭାବେ ଉଭା ହୋଇଛି। ନିକଟ ଅତୀତରେ ଗିଲ୍‌ଙ୍କ ପ୍ରଦର୍ଶନ କିନ୍ତୁ ତଳମୁହାଁ ରହିଛି, ସେଥିପାଇଁ ଇଂଲଣ୍ଡ ଶୃଙ୍ଖଳା ସହ ଚାମ୍ପିଅନ୍ସ ଟ୍ରଫି ଦଳରେ ଜୟସ୍ବାଲ୍ ସ୍ଥାନ ପାଇବାର ଯଥେଷ୍ଟ ସମ୍ଭାବନା ରହିଛି। ରୋହିତ ଅଧିନାୟକ ପଦ ବଜାୟ ରଖିବାର ଶତପ୍ରତିଶତ ସମ୍ଭାବନା ଥିଲା ବେଳେ ବିରାଟ କୋହଲି ତିନି ନମ୍ବର ସ୍ଥାନରେ ଖେଳିବେ। ତେବେ ଶୀର୍ଷକ୍ରମରେ ଜଣେ ବାମହାତୀ ଖେଳାଳିଙ୍କୁ ସୁଯୋଗ ଦେବା ଲାଗି ଚୟନକର୍ତ୍ତା ଗିଲ୍‌ଙ୍କ ପରିବର୍ତ୍ତେ ଜୟସ୍ବାଲ୍‌ଙ୍କୁ ନେଇ ପାରନ୍ତି କିମ୍ବା ଉଭୟଙ୍କୁ ୧୫ଜଣିଆ ଦଳରେ ରଖି ପାରନ୍ତି। ବର୍ଡର-ଗାଭାସ୍କର ଟ୍ରଫିରେ ଭାରତ ପକ୍ଷରୁ ସର୍ବାଧିକ ରନ୍ କରିବା ଏବଂ ଘରୋଇ ୫୦ ଓଭରିଆ ପ୍ରତିଯୋଗିତାରେ ଭଲ କରିବା‌ ଜୟସ୍ବାଲ୍‌ଙ୍କ ସପକ୍ଷରେ ଯାଇପାରେ। ଗତବର୍ଷ ଘରୋଇ କ୍ରିକେଟ୍‌ରେ ଜୟସ୍ବାଲ୍ ୫୪ ହାରରେ ୫ ଶତକ ଓ ୭ ଅର୍ଦ୍ଧଶତକ ସହ ୧୫୧୧ରନ୍ କରିଛନ୍ତି। ତାଙ୍କ ଛଡ଼ା ଋତୁରାଜ ଗାଏକ୍ବାଡ଼, ସାଇ ସୁଦର୍ଶନ ଓ ରଜତ ପଟିଦାର ମଧ୍ୟ ଭାରତୀୟ ଦଳରେ ସ୍ଥାନ ପାଇବା ଦୌଡ଼ରେ ରହିଛନ୍ତି।

    ଜାଡ଼େଜାଙ୍କୁ ନେଇ ଟଣାଓଟରା
    ଅଲରାଉଣ୍ଡର୍ ରବୀନ୍ଦ୍ର ଜାଡ଼େଜା ୨୦୨୩ ବିଶ୍ବକପ୍ ପରଠାରୁ ଏକଦିବସୀୟ କ୍ରିକେଟ୍ ଖେଳି ନାହାନ୍ତି। ଜାଡ଼େଜା ବିଶ୍ବକପ୍‌ରେ ଶ୍ରେୟସ୍ ଆୟର, କେଏଲ୍ ରାହୁଲ ଓ ସୂର୍ଯ୍ୟକୁମାର ଯାଦବଙ୍କ ସହ ମଧ୍ୟକ୍ରମରେ ଖେଳିଥିଲେ। ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ଶୃଙ୍ଖଳାରେ କିନ୍ତୁ ସଞ୍ଜୁ ସାମସନ୍, ତିଳକ ବର୍ମା ଓ ରିଙ୍କୁ ସିଂହ ଏହି ଦାୟିତ୍ବରେ ରହିଥିଲେ। ଶ୍ରୀଲଙ୍କା ବିପକ୍ଷରେ ଅଧିକ ବୋଲିଂ ବିକଳ୍ପ ଓ ବ୍ୟାଟିଂରେ ଗଭୀରତା ଉପରେ ନୂଆ ପ୍ରଶିକ୍ଷକ ଗୌତମ ଗମ୍ଭୀର ଏବଂ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଜୋର୍ ଦେଇଥିଲେ। ସେଥିପାଇଁ ଶ୍ରୀଲଙ୍କା ଶୃଙ୍ଖଳାରେ ଅକ୍ଷର ପଟେଲ, ଶିବମ ଦୁବେ, ୱାସିଂଟନ୍ ସୁନ୍ଦର, ରିୟାନ ପରାଗଙ୍କ ଭଳି ଖେଳାଳିଙ୍କୁ ସୁଯୋଗ ମିଳିଥିଲା। ତଥାପି ଭାରତ ସେହି ଶୃଙ୍ଖଳା ହାରିଯାଇଥିଲା। ଅଭିଜ୍ଞ ଅଲରାଉଣ୍ଡର୍ ହାର୍ଦିକ ପାଣ୍ଡ୍ୟା ଦଳକୁ ଫେରିବା ଏକ ପ୍ରକାର ନିଶ୍ଚିତ ଥିଲା ବେଳେ ରିୟାନ ପରାଗ ଆଘାତ ଜନିତ ସମସ୍ୟାରୁ ମୁକୁଳି ସାରିଛନ୍ତି। ଅଷ୍ଟ୍ରେଲିଆରେ ପ୍ରଭାବୀ ପ୍ରଦର୍ଶନ କରିଥିବା ନୀତୀଶ କୁମାର ରେଡ୍ଡୀ ମଧ୍ୟ ଅନ୍ୟତମ ଦାବିଦାର ଭାବେ ଉଭା‌ ହୋଇଛନ୍ତି। କିନ୍ତୁ ଦୁଇ ଅଭିଜ୍ଞ ତାରକା ଶ୍ରେୟସ୍ ଆୟର ଓ କେଏଲ୍ ରାହୁଲ ନିଜନିଜ ସ୍ଥାନ ବଜାୟ ରଖିବାରେ ଯଥେଷ୍ଟ ସମ୍ଭାବନା ରହିଛି।

    ଦ୍ବିତୀୟ ୱିକେଟ୍‌ରକ୍ଷକ କିଏ?
    ବିଶ୍ବକପ୍ (୨୦୨୩) ସହ ଦକ୍ଷିଣ ଆଫ୍ରିକା ଓ ଶ୍ରୀଲଙ୍କା ଶୃଙ୍ଖଳାରେ ରାହୁଲ ଭାରତୀୟ ଦଳର ପ୍ରଥମ ପସନ୍ଦର ୱିକେଟ୍ ରକ୍ଷକ ଥିଲେ। ସେ ସେହି ସ୍ଥାନ କାଏମ ରଖିବେ। ଦକ୍ଷିଣ ଆଫ୍ରିକାରେ ସଞ୍ଜୁ ସାମସନ୍ ସଂରକ୍ଷିତ ୱିକେଟ୍‌ରକ୍ଷକ ଥିଲେ। ତେବେ ଋଷଭ ପନ୍ତଙ୍କ ପ୍ରତ୍ୟାବର୍ତ୍ତନ ପରେ ଶ୍ରୀଲଙ୍କାରେ ତାଙ୍କୁ ଦଳରେ ରଖିଥିଲେ ଚୟନକର୍ତ୍ତା। ଏବେ ଚାମ୍ପିଅନ୍ସ ଟ୍ରଫିରେ ପନ୍ତଙ୍କ ସହ ରାହୁଲ କିମ୍ବା ସାମସନ୍ ଦ୍ବିତୀୟ ୱିକେଟ୍‌ରକ୍ଷକ ଭାବେ ଦଳରେ ରହିବେ, ସେ କଷ୍ଟକର ନିଷ୍ପତ୍ତି ମଧ୍ୟ ଅଜିତ ଅଗରକରଙ୍କ ନେତୃତ୍ବାଧୀନ ସମିତିକୁ ‌ନେବାକୁ ହେବ।
    ଫୋକସ୍‌ରେ ବୁମ୍‌ରା ଓ ସାମିଙ୍କ ଫିଟନେସ୍
    ଭାରତୀୟ ଦଳର ସଫଳତାରେ ଦୁଇ ଅଭିଜ୍ଞ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ଓ ମହମ୍ମଦ ସାମିଙ୍କ ବଳିଷ୍ଠ ଯୋଗଦାନ ରହିଛି। ତେବେ ଉଭୟଙ୍କ ଫିଟ୍‌ନେସ୍ ନେଇ ଏବେ ଆଶଙ୍କା ସୃଷ୍ଟି ହୋଇଛି। ଘରୋଇ କ୍ରିକେଟ୍‌କୁ ଫେରିଥିଲେ ମଧ୍ୟ ଏବେ ବି ସାମି ଶତପ୍ରତିଶତ ଫିଟ୍‌ନେସ୍ ଲାଭ କରି ନାହାନ୍ତି। ସେଥିପାଇଁ ବର୍ଡର-ଗାଭାସ୍କର ଟ୍ରଫି ଲାଗି ଅଷ୍ଟ୍ରେଲିଆ ଯାଇ ନଥିଲେ ସେ। ସେହିଭଳି ସିଡ୍‌ନି ଟେଷ୍ଟ୍‌ରେ ଆହତ ହେବା ପରେ ବୁମ୍‌ରାଙ୍କ ଫିଟ୍‌ନେସ୍ ଏବେ ଚର୍ଚ୍ଚାର ବିଷୟ ହୋଇଛି। ଏମିତିକି ‌ସେ ଚାମ୍ପିଅନ୍ସ ଟ୍ରଫିରୁ ବାଦ୍ ପଡ଼ିବାର ଢେର୍‌ ଆଶଙ୍କା ମଧ୍ୟ ରହିଛି। ଯଦି ବୁମ୍‌ରା ଓ ସାମି ଫିଟ୍ ହୋଇ ନପାରନ୍ତି, ତାହେଲେ ଭାରତୀୟ ଦଳ ପାଇଁ ଏହା ଯୁଗଳ ଝଟ୍‌କା ସଦୃଶ ହେବ।

    କିଏ ସମ୍ଭାଳିବ ସ୍ପିନ୍ ବିଭାଗ
    ବାମହାତୀ କଚଟି ସ୍ପିନର କୁଲଦୀପ ଯାଦବ ମଧ୍ୟ ପୂରା ଫିଟ୍ ନାହାନ୍ତି। ହାର୍ଣ୍ଣିଆ ଅସ୍ତ୍ରୋପଚାର ପରେ ଏବେ ସେ ପୁନର୍ବାସ ପ୍ରକ୍ରିୟା ଦେଇ ଗତି କରୁଛନ୍ତି। ଯଦି କୁଲଦୀପ ଉପଲବ୍ଧ ନ ହୁଅନ୍ତି, ତା’ହେଲେ ଭାରତର ସ୍ପିନ୍ ବାହିନୀକୁ ତିନି ଅଲରାଉଣ୍ଡର ଜାଡ଼େଜା, ଅକ୍ଷର ଓ ସୁନ୍ଦରଙ୍କୁ ସମ୍ଭାଳିବାକୁ ପଡ଼ିବ। ବରୁଣ ଚକ୍ରବର୍ତ୍ତୀ ମଧ୍ୟ ଏକ ଭଲ ବିକଳ୍ପ ‌ହୋଇପାରନ୍ତି। ବିଜୟ ହଜାରେ ଟ୍ରଫିର ଅନ୍ୟତମ ଅଗ୍ରଣୀ ୱିକେଟ୍ ସଂଗ୍ରହକାରୀ ହେବା ତାଙ୍କ ସପକ୍ଷରେ ଯାଇପା‌ରେ। ଗତ ନଭେମ୍ବରରେ ଖେଳା ଯାଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳ‌ାରେ ମଧ୍ୟ ସର୍ବାଧିକ ୱିକେଟ୍ ନେଇଥିଲେ ସେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    39.5 ° C
    39.5 °
    39.5 °
    9 %
    1.8kmh
    64 %
    Fri
    42 °
    Sat
    43 °
    Sun
    43 °
    Mon
    44 °
    Tue
    44 °

    ସମ୍ବନ୍ଧିତ