ଭୁବନେଶ୍ୱର : ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅଛନ୍ତି ପିପିଲି ବଳଙ୍ଗା ପୀଡ଼ିତା । ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କ ଚିକିତ୍ସା କରୁଛନ୍ତି । ଗତକାଲି ତାଙ୍କର ସ୍କିନ୍ ଟ୍ରାନ୍ସପ୍ଲାଣ୍ଟ ହୋଇଛି । ତାଙ୍କ ସ୍ବାସ୍ଥ୍ୟ ସ୍ଥିର ରହିଛି । ଏବେ ମଧ୍ୟ ତାଙ୍କୁ ଅକ୍ସିଜେନ ସହାୟତାରେ ରଖାଯାଇଛି । ଉଭୟ ବିଜେଡି ଓ ବିଜେପି ସାଂସଦ ପୀଡିତାଙ୍କ ପିତାମାତାଙ୍କୁ ଦେଖା କରି ଝିଅଟିର ଆଶୁ ଆରୋଗ୍ୟ କାମନା କରିଛନ୍ତି । ଡାକ୍ତରୀଦଳଙ୍କ ଠାରୁ ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ । ପୀଡିତାଙ୍କ ସ୍ବାସ୍ଥ୍ୟ ଭଲ ଥିବା ନେଇ ନେଇ ଜଗତସିଂହପୁର ସାଂସଦ ସୂଚନା ଦେଇଥିବା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି । ଶରୀରର ୭୫ ଭାଗ ଜଳିବାଯାଇଥିବା ବେଳେ ସ୍ବତନ୍ତ୍ର ଡାକ୍ତରୀ ଦଳ ନାବାଳିକାଙ୍କ ଚିକିତ୍ସା କରୁଛନ୍ତି ।
ହେଲେ ଘଟଣାରେ ୪ ଦିନ ପରେ ବି ଅଭିଯୁକ୍ତଙ୍କ ଟେର ପାଉନି ପୋଲିସ । ଏପର୍ଯ୍ୟନ୍ତ କ୍ରାଇମବ୍ରାଞ୍ଚ ଟିମ୍ ୨୦ ଜଣଙ୍କୁ ଜେରା କରିସାରିଲାଣି । ଗତକାଲି କ୍ରାଇମବ୍ରାଞ୍ଚର ସ୍ପେଶାଲ ଟିମ୍ ପୀଡ଼ିତାଙ୍କୁ ଉଦ୍ଧାର କରିଥିବା ଚେରହଳ ଗାଁର ଦୁଃଖୀଶ୍ୟମ ସେନାପତିଙ୍କ ଘରକୁ ଯାଇ ଘଟଣା ଦିନ ସମ୍ପର୍କରେ ପଚାରି ବୁଝିଥିଲେ । ସେପଟେ ରୁପା ମୁଦି ଖୋଲିବ ବଳଙ୍ଗା ସସପେନ୍ସ। କ୍ରାଇମ ସ୍ପଟରୁ ମିଳିଥିବା ରୁପା ମୁଦି କାହାର ? ବଳଙ୍ଗା ବଜାରରେ ଥିବା ବିଭିନ୍ନ ଅଳଙ୍କାର ଦୋକାନରେ ପଚାରୁଛି ପୋଲିସ । କେଉଁ ଦୋକାନରୁ ଆସିଥିଲା ରୁପା ମୁଦି ? ଦୋକାନ ଜଣା ପଡ଼ିଲେ ଅପରାଧୀ ପାଖରେ ପହଞ୍ଚି ପାରିବ ତଦନ୍ତକାରୀ ଟିମ୍ । ଘଟଣା ସ୍ଥଳରୁ ସାଇଣ୍ଟିଫିକ୍ ଟିମ ଜବତ କରିଥିବା କିରୋସିନ ବୋତଲ, ମ୍ୟାଚିସ୍ ଓ ଜୋତା ସହ ଏକ ରୁପା ମୁଦି ଜବତ ହୋଇଛି । ଘଟଣାକୁ ଚାରି ଦିନ ବିତିଥିଲେ ବି ଏପର୍ଯ୍ୟନ୍ତ ପୋଲିସର ହାତ ଖାଲି। କ୍ରାଇମବ୍ରାଞ୍ଚର ୫ ଜଣିଆ ସ୍ବତନ୍ତ୍ର ଟିମ୍ ତନାଘନା ଜାରି ରହିଛି ।