କଳାହାଣ୍ଡି : ଦୁଃଖ କଷ୍ଟରେ ଦିନ କାଟୁଥିଲେ ଅନାଥ ଭାଇ ଭଉଣୀ । ବାପା ମା ଚାଲିଗଲା ପରେ ବୃଦ୍ଧା ଜେଜେ ମା ଲାଳନପାଳନ କରିବାକୁ ଅସମର୍ଥ ଥିଲେ । ଗଣମାଧ୍ୟମରେ ଖବର ପ୍ରସାରଣ ପରେ କଟ୍ ଓ କିସ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ସହାୟତାର ହାତ ବଢାଇଲେ । ପ୍ରତି ମାସରେ ଏବେ ୫ ହଜାର ଟଙ୍କା ସହାୟତା ରାଶି ଦେଉଛନ୍ତି ।
ଏବେ ବୃଦ୍ଧା ନୀଳା ପ୍ରଧାନୀ ସହାୟତା ଅର୍ଥ ପାଇବା ପରେ ଭଲରେ ଚଳୁଛନ୍ତି । ଏହାକୁ ନେଇ ନୀଳା ଓ ତାଙ୍କ ପଡ଼ୋଶୀ ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏ ହେଉଛି କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ମାଟିଗାଁର ଘଟଣା ।
ଗାଁର ମଦନ ପ୍ରଧାନୀ ଓ ପତ୍ନୀ ତ୍ରିଫଳା ପ୍ରଧାନୀ ଆଗପଛ ହୋଇ ଆରପାରିକୁ ଚାଲିଗଲା ପରେ ତାଙ୍କର ୨ ଶିଶୁ ଅନାଥ ହୋଇ ଯାଇଥିଲେ । ତାଙ୍କୁ ଲାଳନ ପାଳନ ଦାୟିତ୍ବ ବୃଦ୍ଧା ଜେଜେମା ନୀଳା ପ୍ରଧାନୀଙ୍କ ଉପରେ ପଡ଼ିଥିଲା । ନୀଳା ପ୍ରଧାନୀ ବୟସର ଅପରାହ୍ଣରେ ପହଞ୍ଚିଥିବାରୁ ଦାନା ଯୋଗାଡ଼ କରିବାରେ ଅସମର୍ଥ ଥିଲେ । ନିଳାଙ୍କୁ ମିଳୁଥିବା ଭତ୍ତା ୧ ହଜାର ଟଙ୍କା ଓ ୧୫ କିଲୋ ଚାଉଳରେ ତିନି ଜଣ ଚଳୁଥିଲେ ।
ବହୁ କଷ୍ଟ ହେଉଥିଲା ଚଳିବାକୁ । ଏବେ ଦୁଇ ଶିଶୁ ମଧ୍ୟ ସ୍କୁଲକୁ ଯାଉଛନ୍ତି । ପ୍ରିୟଙ୍କା ଚତୁର୍ଥ ଶ୍ରେଣୀରେ ପଢ଼ୁଥିବା ବେଳେ ମାଧବ ତୃତୀୟ ଶ୍ରେଣୀରେ ପଢ଼ୁଛି । ଏହି ଘଟଣା ଗଣ ମାଧ୍ୟମରୁ ଜାଣିବା ପରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ତାଙ୍କ ପରିବାରକୁ ସହାୟତାର ହାତ ବଢ଼ାଇଛନ୍ତି ।
ପ୍ରତି ମାସରେ ୫ହଜାର ଟଙ୍କା ସହାୟତା ପ୍ରଦାନ କରୁଛନ୍ତି । ମାସକୁ ମାସ ଟଙ୍କା ପାଇବା ଦ୍ବାରା ଏବେ ପରିବାରରେ ଖୁସିର ଲହରୀ । ଏଭଳି ସହଯୋଗ ପାଇଥିବାରୁ ଗ୍ରାମବାସୀ ଓ ନୀଳା ପ୍ରଧାନୀ କିଟ୍ ଓ କିସ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ଅନ୍ତରରୁ ଧନ୍ୟବାଦ ଜଣାଇଛନ୍ତି ।

