Monday, September 28, 2026
30.3 C
Odisha

    ଦେଶବ୍ୟାପୀ ଲାଗୁ ହେଲା ଭିବି-ଜି ରାମ ଜି ଅଧିନିୟମ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ  : ଗ୍ରାମୀଣ ଲୋକଙ୍କ ଜୀବନ ଧାରଣ ମାନରେ ଉନ୍ନତି ଆଣିବା, ସେମାନଙ୍କ ରୋଜଗାରକୁ ନିଶ୍ଚିତ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ପ୍ରଣୟନ କରିଥିବା ବିକଶିତ ଭାରତ-ଗ୍ୟାରେଣ୍ଟି ରୋଜଗାର ଓ ଆଜୀବିକା ମିଶନ (ଗ୍ରାମୀଣ) ବା ଭିବି-ଜି ରାମ ଜି ଅଧିନିୟମକୁ ବୁଧବାର (ଜୁଲାଇ ୧)ରୁ ଦେଶବ୍ୟାପୀ କାର୍ଯ୍ୟକାରୀ କରାଯାଇଛି। ଏହି ଅଧିନିୟମ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ଲକ୍ଷ୍ୟକୁ ସାକାର କରିବା ଦିଗରେ ସହାୟକ ହେବ। ଏହାଦ୍ବାରା ଗ୍ରାମାଞ୍ଚଳର ନିରନ୍ତର ବିକାଶ ସହିତ ଭିତ୍ତିଭୂମି ମଜଭୁତ ହେବ। ଏହି ଆଇନ ଅଧୀନରେ ଗ୍ରାମାଞ୍ଚଳର ଲୋକଙ୍କୁ ବାର୍ଷିକ ୧୨୫ ଦିନର କର୍ମନିଯୁକ୍ତି ଯୋଗାଇ ଦେବାର ଗ୍ୟାରେଣ୍ଟି ପ୍ରଦାନ କରାଯାଇଛି। ପୁର୍ବରୁ ପ୍ରଚଳିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି ଯୋଜନାରେ ପରିବର୍ତ୍ତନ କରାଯାଇ ଏହି ନୂଆ ଆଇନ ପ୍ରଣୟନ କରାଯାଇଛି। ପୂର୍ବ ଆଇନରେ ବାର୍ଷିକ ୧୦୦ ଦିନର ନିଯୁକ୍ତି ପ୍ରଦାନ କରାଯାଉଥିବାବେଳେ ନୂଆ ଆଇନରେ ଏହାକୁ ୧୨୫ ଦିନକୁ ବୃଦ୍ଧି କରାଯାଇଛି। ଏହାଦ୍ବାରା ଗ୍ରାମୀଣ ପରିବାରକୁ ଅଧିକ ନିଯୁକ୍ତି ସୁଯୋଗ ମିଳିବା ସହିତ ସେମାନଙ୍କ ଆର୍ଥିକ ସୁରକ୍ଷାକୁ ନିଶ୍ଚିତ ହୋଇପାରିବ।

    ନୂଆ ଆଇନକୁ କାର୍ଯ୍ୟକାରୀ କରାଯିବା ପୂର୍ବରୁ ସମସ୍ତ ପ୍ରକାର ପ୍ରସ୍ତୁତି ସରିଥିବା କେନ୍ଦ୍ର ଗ୍ରାମାଞ୍ଚଳ ବିକାଶ ଏବଂ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ କହିଛନ୍ତି। ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହ ଉତ୍ତମ ସମନ୍ବୟ ରକ୍ଷା କରାଯାଇଛି। ମନ୍ତ୍ରୀ କହିଛନ୍ତି ଯେ କୌଣସି ଜଣେ ଯୋଗ୍ୟ ଗ୍ରାମୀଣ ଶ୍ରମିକ ଯେପରି ଗୋଟିଏ ଦିନ ନିଯୁକ୍ତି ସୁଯୋଗରୁ ବଞ୍ଚିତ ନହେବେ ସେଥିପ୍ରତି ଗୁରୁତ୍ବ ଦିଆଯାଇଛି। ଆଇନକୁ କାର୍ଯ୍ୟକାରୀ କରିବା ଲାଗି ପର୍ଯ୍ୟାପ୍ତ ଆର୍ଥିକ ବ୍ୟବସ୍ଥା କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କୁ ୯୫,୬୯୨.୩୧ କୋଟି ଟଙ୍କାର ଅନ୍ତରୀଣ ପାଣ୍ଠି ଯୋଗାଇ ଦିଆଯାଇଛି। ଏହାଦ୍ବାରା ଶ୍ରମିକମାନଙ୍କୁ ଠିକ୍ ସମୟରେ ମଜୁରୀ ପ୍ରଦାନ କରାଯାଇପାରିବ ଓ ସେମାନଙ୍କୁ ନିରବଚ୍ଛିନ୍ନ ଭାବେ ନିଯୁକ୍ତି ମିଳିପାରିବ। ଏହାସହିତ ୨୯ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଏହି ଆଇନ କାର୍ଯ୍ୟକାରୀ ନିମନ୍ତେ ନିଜସ୍ବ ବଜେଟ୍ ବ୍ୟବସ୍ଥା କରିଛନ୍ତି। ୨୪ଟି ରାଜ୍ୟ ସରକାର ଏହି ଆଇନକୁ କାର୍ଯ୍ୟକାରୀ କରିବା ଲାଗି ନିଜର ବିଜ୍ଞପ୍ତି ପ୍ରକାଶ କରିସାରିଛନ୍ତି। ନୂଆ ଯୋଜନା ଅନୁଯାୟୀ କୌଣସି ରାଜ୍ୟରେ ଦୈନିକ ମଜୁରୀ ପରିମାଣ ୩୦୦ ଟଙ୍କାରୁ କମ୍ ହେବ ନାହିଁ। ପୂର୍ବରୁ ଏମଜିନରେଗାରେ ଦୈନିକ ମଜୁରୀ ୨୯୮.୮ ଟଙ୍କା ଥିବାବେଳେ ଏବେ ଏହାକୁ ୩୨୭.୪ ଟଙ୍କାକୁ ବୃଦ୍ଧି କରାଯାଇଛି। ଯାହାକି ଦେଶବ୍ୟାପୀ ହାରାହାରି ମଜୁରୀରେ ୧୦% ବୃଦ୍ଧି। ତେବେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ଭିନ୍ନ ଭିନ୍ନ ରାଜ୍ୟରେ ଏହି ମଜୁରୀ ପରିମାଣ ଭିନ୍ନ ରହିଛି। ଭିବି-ଜି ରାମ ଜି ଅଧିନିୟମ ଅଧୀନରେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟ ସରକାର ନିଜର ମଜୁରୀ ବୃଦ୍ଧି ନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.3 ° C
    30.3 °
    30.3 °
    63 %
    3.4kmh
    8 %
    Mon
    30 °
    Tue
    30 °
    Wed
    30 °
    Thu
    30 °
    Fri
    30 °

    ସମ୍ବନ୍ଧିତ