Tuesday, September 29, 2026
23.8 C
Odisha

    ଧର୍ମ ଆଧାରରେ ସଂରକ୍ଷଣ ଦିଆଯାଇପାରିବ ନାହିଁ: ସୁପ୍ରିମକୋର୍ଟ

    ଆଗକୁ ପଢନ୍ତୁ

    ଧର୍ମ ଆଧାରରେ ସଂରକ୍ଷଣ ସୁବିଧା ଦିଆଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ସୋମବାର ଟିପ୍ପଣୀ ଦେଇଛନ୍ତି। ପଶ୍ଚିମବଙ୍ଗରେ ବିଭିନ୍ନ ଜାତିଙ୍କୁ ୨୦୧୦ରୁ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ମାନ୍ୟତା ଦିଆଯାଇଥିବାବେଳେ କୋଲ୍‌କାତା ହାଇକୋର୍ଟ ଗତ ମେ’ ୨୨ରେ ଏହାକୁ ଖାରଜ କରିଦେଇଥିଲେ। ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ପଶ୍ଚିମବଙ୍ଗ ସରକାରଙ୍କ ସମେତ ଅନ୍ୟମାନଙ୍କ ଦ୍ୱାରା ଦାଏର କେତେକ ପିଟିଶନ୍‌ର ଶୁଣାଣି ବେଳେ ଜଷ୍ଟିସ୍‌ ବି.ଆର୍‌. ଗଭାଇ ଏବଂ କେ.ଭି. ବିଶ୍ୱନାଥନ୍‌ଙ୍କ ଖଣ୍ଡପୀଠ ଉପରୋକ୍ତ ମତ ଦେଇଛନ୍ତି। ଧର୍ମ ଆଧାରରେ ନୁହେଁ, ସାମାଜିକ ଏବଂ ଅର୍ଥନୈତିକ ଦୃଷ୍ଟିରୁ ପଛୁଆ ଆଧାରରେ ସଂରକ୍ଷଣ ଦିଆଯାଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କପିଲ ସିବଲ କହିଥିଲେ।

    ସରକାରୀ ଚାକିରି ଏବଂ ଶିକ୍ଷାନୁଷ୍ଠାନରେ ସଂରକ୍ଷଣ ବେଆଇନ ଦର୍ଶାଇ ହାଇକୋର୍ଟ ପଶ୍ଚିମବଙ୍ଗର କେତେକ ଜାତିଙ୍କୁ ଦିଆଯାଇଥିବା ଓବିସି ମାନ୍ୟତାକୁ ଖାରଜ କରିଦେଇଥିଲେ। ଏହି ଜାତିଗୁଡ଼ିକୁ ଓବିସି ଘୋଷଣା କରିବାରେ ବାସ୍ତବରେ ଧର୍ମକୁ ପ୍ରମୁଖ ମାନଦଣ୍ଡ କରାଯାଇଥିବା ଜଣାପଡ଼ୁଛି ବୋଲି ହାଇକୋର୍ଟ କହିଥିଲେ। ମୁସଲମାନଙ୍କର ୭୭ଟି ଜାତିକୁ ଓବିସି ଭାବେ ଚୟନ କରିବା ଏହି ସମ୍ପ୍ରଦାୟ ପ୍ରତି ସାମୂହିକ ଭାବେ ଅପମାନ ବୋଲି ହାଇକୋର୍ଟ କହିଥିଲେ। ସେହିପରି ଅନୁସୂଚିତ ଜାତି ଓ ଜନଜାତିଙ୍କୁ ବାଦ୍‌ ଦେଇ ଓବିସି ମାନ୍ୟତା ଦିଆଯାଇଥିବା ଅନ୍ୟ ୩୭ ଜାତିଙ୍କ ସଂରକ୍ଷଣକୁ ମଧ୍ୟ ହାଇକୋର୍ଟ ବାତିଲ କରିଦେଇଥିଲେ। ଅନ୍ୟପକ୍ଷରେ ଆଇନର ବ୍ୟବସ୍ଥାକୁ ଖାରଜ କରାଯିବା ଦ୍ୱାରା ବିଶ୍ୱବିଦ୍ୟାଳୟରେ ନାମ ଲେଖାଇବାକୁ ଏବଂ ସରକାର ଚାକିରି ଆଶାରୀ ଅନେକ ହଜାର ଛାତ୍ରୀଛାତ୍ରଙ୍କ ଅଧିକାର ପ୍ରଭାବିତ ହୋଇଥିବା ସିବଲ ଜଣାଇଥିଲେ। ହାଇକୋର୍ଟଙ୍କ ରାୟ ଉପରେ ସ୍ଥଗିତାଦେଶ ଜାରି ସହ କେତେକ ଅନ୍ତରୀଣ ନିର୍ଦ୍ଦେଶ ଦେବା ପାଇଁ ସିବଲ ଖଣ୍ଡପୀଠଙ୍କୁ ନିବେଦନ କରିଥିଲେ। ଜାନୁଆରୀ ୭ରେ ମାମଲାର ପରବର୍ତ୍ତୀ ଶୁଣାଣି କରିବାକୁ ସର୍ବୋଚ୍ଚ ଅଦାଲତ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.8 ° C
    23.8 °
    23.8 °
    84 %
    1.5kmh
    7 %
    Tue
    24 °
    Wed
    30 °
    Thu
    31 °
    Fri
    31 °
    Sat
    31 °

    ସମ୍ବନ୍ଧିତ