Tuesday, September 29, 2026
23.8 C
Odisha

    ପୂର୍ବତଟ ରେଳପଥକୁ ଶ୍ରୀହୀନ କରିବାକୁ ଷଡ଼୍‌ଯନ୍ତ୍ର: ଆଇଏନ୍‌ଟିୟୁସି

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଓଡ଼ିଆ ସ୍ୱାଭିମାନ ଓ ଅସ୍ମିତାର ସ୍ଲୋଗାନ ଦେଇ କ୍ଷମତାକୁ ଆସିଥିବା ରାଜ୍ୟର ବିଜେପି ସରକାରରେ ଓଡ଼ିଆ ଅସ୍ମିତା ଉପରେ ଆକ୍ରମଣ ଆରମ୍ଭ ହୋଇଛି। ଓଡ଼ିଆ ଅସ୍ମିତାର ପ୍ରତୀକ ଭାବେ ଛିଡ଼ା ହୋଇଥିବା ପୂର୍ବତଟ ରେଳପଥର ସବୁଠୁ ଲାଭଜନକ ଅଙ୍ଗ ୱାଲଟିୟର ଡିଭିଜନକୁ କାଢ଼ି ନିଆଯିବା ସହ ଏହାକୁ ନବଗଠିତ ଦକ୍ଷିଣତଟ ରେଳପଥରେ ମିଶାଇ ଦିଆଯାଇଛି। ଏହାଦ୍ୱାରା ଓଡ଼ିଶାର ଭୀଷଣ କ୍ଷତି ହେବ। ଏହି ରେଳପଥର ସବୁଠୁ ଲାଭଜନକ ଡିଭିଜନ୍‌। କ୍ରମାଗତ ଭାବେ ୩ବର୍ଷ ଧରି ରାଜସ୍ୱ ଉପାର୍ଜନକାରୀ ଡିଭିଜନ୍‌ ଭାବେ ଏହା ସାରା ଦେଶରେ ୧ନମ୍ବର ହୋଇ ରହିଥିଲା। ମାତ୍ର ଆନ୍ଧ୍ର ବିଜେପିର ଚାପ ଆଗରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସମ୍ପୂର୍ଣ ସମର୍ପଣ କରି ଓଡ଼ିଶାର ଅମାପ କ୍ଷତି କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ଆଇଏନ୍‌ଟିୟୁସିର ରାଷ୍ଟ୍ରୀୟ ସଂପାଦକ ମାନସ ଚୌଧୁରୀ।

    ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଚୌଧୁରୀ କହିଲେ, ଓଡ଼ିଶାର ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ରାୟଗଡା ଡିଭିଜନ ପରି ଏକ ଶୁଷ୍କ ଡିଭିଜନ୍‌ ସୃଷ୍ଟି କରି ଲଲିପପ୍ ଧରାଇ ଦେବାର ଉଦ୍ୟମ ଚାଲିଛି। ୱାଲଟିୟର ଡିଭିଜନ ଅଧୀନରେ ଥିବା ବିଶାଖପାଟଣାର ବିଶାଳ ଇସ୍ପାତ କାରଖାନା ଓ ବୃହତ ବନ୍ଦର ଏବେ ଓଡ଼ିଶା ହାତରୁ ଚାଲି ଯାଉଥିବାରୁ ପୂର୍ବତଟ ରେଳପଥ କ୍ଷତିଗ୍ରସ୍ତ ହେବ। ପୂର୍ବରୁ ଆନ୍ଧ୍ରରେ ବିଜୟୱାଡ଼ା-ଗୁଣ୍ଟୁରୁ-ଗଣ୍ଟୁକାର ନାମରେ ୩ଟି ଡିଭିଜନ୍‌ ରହିଛି, ଯାହାକି ଦକ୍ଷିଣ କେନ୍ଦ୍ର ରେଳପଥ ଅଧୀନରେ ସିକନ୍ଦରାବାଦସ୍ଥିତ ମୁଖ୍ୟାଳୟରୁ କାର୍ଯ୍ୟ କରୁଛି। ତେଣୁ ଏହି ୩ଟି ଡିଭିଜନକୁ ନେଇ ଏକ ନୂତନ ଜୋନ୍ ନିର୍ମାଣରେ ସମସ୍ୟା କ’ଣ ଥିଲା ? ଓଡ଼ିଶାରେ ମଧ୍ୟ ସମ୍ବଲପୁର, ଖୋଦ୍ଧା ରୋଡ୍‌ ଓ ୱାଲଟିୟର ଆଦି ୩ଟି ଡିଭିଜନକୁ ନେଇ ପୂର୍ବତଟ ରେଳପଥ ସୃଷ୍ଟି ହୋଇଥିଲା।

    ଯଦି ରାଜ୍ୟର ସୀମାକୁ ଏକ ମାପକ ଭାବେ ନିଆଗଲା, ତେବେ ଓଡ଼ିଶାର ରାଉରକେଲା ଆଦି ଅଞ୍ଚଳକୁ ଦକ୍ଷିଣ ପୂର୍ବ ରେଳପଥର ଚକ୍ରଧରପୁର ଡିଭିଜନରୁ ମୁକ୍ତ କରି ପୂର୍ବତଟ ରେଳପଥରେ ସାମିଲ କରାଯାଉ। ସେହିପରି ଝାରସୁଗୁଡା ଜିଲ୍ଲାର କୋଇଲା ଖଣି ଅଞ୍ଚଳ ଆଇବି ଭ୍ୟାଲିକୁ ଦକ୍ଷିଣ ପୂର୍ବ ରେଳପଥର ବିଳାସପୁର ଡିଭିଜନରୁ ମୁକ୍ତ କରି ପୂର୍ବତଟ ରେଳପଥରେ ମିଶ୍ରଣ କରାଯାଉ। ରାଉରକେଲା ଇସ୍ପାତ ଖାରଖାନା ଓ ଆଇବି ଭ୍ୟାଲିର କୋଇଲା ଖଣି ଅଞ୍ଚଳ ଓଡ଼ିଶା ଅଧୀନକୁ ଆସିଲେ ରାଜସ୍ୱ ଉପାର୍ଜନ ଓ ମାଲ୍ ପରିବହନ କ୍ଷେତ୍ରରେ ବିଶାଖାପାଟଣାକୁ ହରାଇବାର କ୍ଷତି ଭରଣା ହୋଇପାରିବ। ଏହାସହ ବାଲେଶ୍ୱରକୁ ଏକ ନୂଆ ଡିଭିଜନରେ ପରିଣତ କରି ମୟୁରଭଞ୍ଜ ଆଦି ଅଞ୍ଚଳକୁ ମଧ୍ୟ ପୂର୍ବତଟ ରେଳପଥରେ ମିଶ୍ରଣ କରାଯାଉ। ପୂର୍ବତଟ ରେଳପଥକୁ ଭାଗ ଭାଗ କରିବା ସଂପର୍କରେ ସରକାର ସ୍ପଷ୍ଟ ମତ ନ ରଖନ୍ତୁ, ନଚେତ୍ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ ହେବ ବୋଲି ସେ ଚେତାବନୀ ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଯୁବନେତା ଅମୀୟ ପାଣ୍ଡବ ଉପସ୍ଥିତ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.8 ° C
    23.8 °
    23.8 °
    84 %
    1.5kmh
    7 %
    Tue
    24 °
    Wed
    30 °
    Thu
    31 °
    Fri
    31 °
    Sat
    31 °

    ସମ୍ବନ୍ଧିତ