ନୂଆପଡ଼ା : ଧାନ କିଣିବାକୁ ଜିଲ୍ଲାପାଳଙ୍କୁ ଅନୁରୋଧ କଲେ ଚାଷୀ । ନୂଆପଡ଼ା ଜିଲ୍ଲା ବୋଡେନ ବ୍ଲକ ପଲସଦା ପଞ୍ଚାୟତ ଚାଷୀମାନେ ଜିଲ୍ଲାପାଳଙ୍କୁ ଭେଟି ମଣ୍ଡି ଖୋଲିବା ସହ ଧାନ କିଣିବାକୁ ଅନୁରୋଧ କରିଛନ୍ତି । ଗତ ୩ତାରିଖରେ ଖରିଆର ରୋଡଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲାପାଳ ମଧୁସୂଦନ ଦାଶ ଚଳିତ ଖରିଫ ମଣ୍ଡିର ଶୁଭାରମ୍ଭ କରିଥିଲେ । ହେଲେ ପ୍ରଶାସନର ବେପରୁଆ ନୀତି ଯୋଗୁଁ ଜିଲ୍ଲାରେ ମଣ୍ଡି ସମସ୍ୟା ଦେଖାଦେଇଛି ।
ଚଳିତ ଖରିଫ ମଣ୍ଡି ପାଇଁ ଜିଲାରେ ମୋଟ ୫୧ ହଜାର ୩୪୧ ଜଣ ଚାଷୀ ପଞ୍ଜିକୃତ ହୋଇଥିବା ବେଳେ ଅଧିକାଂଶ ଚାଷୀଙ୍କୁ ଏଯାଏଁ ଟୋକନ ମିଳିପାରି ନାହିଁ । ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ବୋଡେନ ବ୍ଲକ ପଲସଦା ପଞ୍ଚାୟତର ଚାଷୀଙ୍କ ଧାନ ଖୋଲା ଆକାଶ ତଳେ ପଡ଼ି ରହିଛି । ଶୀତ କାକରରେ ଜଗି ରହି ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ହେଲେ ପଲସଦାରେ ଏଯାଏଁ ମଣ୍ଡି ଖୋଲାଯାଇ ନାହିଁ । ୫ ଶହ ଚାଷୀଙ୍କୁ ଟୋକନ ମଧ୍ୟ ମିିଳିପାରି ନାହିଁ ।
ଜିଲ୍ଲା ଯୋଗାଣ ଅଧିକାରୀ ତ୍ରିନାଥ ଭୋଇ କହିଛନ୍ତି, ସେ ପଲସଦାରେ ଖୁବଶୀଘ୍ର ମଣ୍ଡି ଖୋଲାଯିବ । ଦ୍ଵିତୀୟ ପର୍ଯ୍ୟାୟରେ ଚାଷୀମାନଙ୍କୁ ଟୋକନ ମଧ୍ୟ ଯୋଗେଇ ଦିଆଯିବ ବୋଲି ଜିଲ୍ଲା ଯୋଗାଣ ଅଧିକାରୀ ତ୍ରିନାଥ ଭୋଇ ପ୍ରତିଶ୍ରୁତି ଦେଇଛନ୍ତି ।

