ନୟାଗଡ଼ : ନାବାଳିକାକୁ ଜବରଦସ୍ତ ବିଷ ପିଆଇ ମାରିବା ପରେ ନିଜେ ବିଷ ପିଇଲା ଅଭିଯୁକ୍ତ ଯୁବକ । ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ମଗରବନ୍ଧରେ ଏହି ଘଟଣା ଘଟିଛି । ମଗରବନ୍ଧ ଗାଁର ଗୋଲେଖ ନାୟକଙ୍କ ପୁଅ ପୂର୍ଣ୍ଣ ଜଣେ ନାବାଳିକାକୁ ଏକତରଫା ପ୍ରେମ କରୁଥିଲା । ଏନେଇ ନାବାଳିକାର ପରିବାର ଲୋକେ ପୂର୍ଣ୍ଣର ବାପାମାଆଙ୍କୁ ଜଣାଇଥିଲେ ମଧ୍ଯ ପରିବାର ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନଥିଲା ।
ଏପରିକି ନାବାଳିକା ଜଣକ ସ୍କୁଲ୍ ଏବଂ ଟ୍ୟୁସନ୍ ଯିବା ସମୟରେ ପୂର୍ଣ୍ଣ ବାରମ୍ବାର ଅସଦାଚରଣ କରୁଥିଲେ ବୋଲି ନାବାଳିକାଙ୍କ ବାପା କହିଛନ୍ତି । ଆଜି ନାବାଳିକା ଜଣକ ଟ୍ୟୁସନ ଯିବା ସମୟରେ ବିନାୟକପୁର ଶିବ ମନ୍ଦିର ନିକଟରେ ପୂର୍ଣ୍ଣ ପ୍ରଥମେ ନାବାଳିକାର ମୁଣ୍ଡକୁ ଏକ ପାଇପରେ ପିଟିବା ପରେ ଜବରଦସ୍ତ ବିଷ ପିଆଇଦେଇଥିଲା ।
ପରେ ପୂର୍ଣ୍ଣ ନିଜେ ମଧ୍ଯ ବିଷ ପିଇ ଦେଇଥିଲେ । ଉଭୟଙ୍କୁ ନୟାଗଡ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ନାବାଳିକାକୁ ମୃତ ଘୋଷଣା କରିଥିଲେ । ଏହି ଘଟଣାକୁ ନେଇ ନୟାଗଡ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଥିଲା । ପୂର୍ଣ୍ଣକୁ ଗୁରୁତର ଅବସ୍ଥାରେ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି ।

