ତାମିଲନାଡୁ : ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍ ଆଜି କୋଲାଥୁର ନିର୍ବାଚନମଣ୍ଡଳୀରୁ ନାମାଙ୍କନ ଦାଖଲ କରିଛନ୍ତି। ନାମାଙ୍କନ ଦାଖଲ ପରେ ଜନସାଧାରଣଙ୍କ ସହ ଭାବ ବିନିମୟ କରିବା ପାଇଁ ରୋଡ୍ ଶୋ କରିଥିଲେ।
ନାମାଙ୍କନ ପରେ ସେ କହିଛନ୍ତି ଯେ, ଆମର ବିଜୟ ନିଶ୍ଚୟ ହେବ। ଗତ ତିନି ଥର ତୁଳନାରେ ଏଥର ମୁଁ ବିପୁଳ ସମର୍ଥନ ଦେଖୁଛି। ଏହା ହେଉଛି ସଂଯୁକ୍ତ ପ୍ରଗତିଶୀଳ ମେଣ୍ଟ। ତାମିଲନାଡୁ ଦିଲ୍ଲୀ ବିରୁଦ୍ଧରେ ଲଢ଼ୁଛି। ଏଥର ବିଜୟ ବୃହତ ହେବାକୁ ଯାଉଛି ବୋଲି ଷ୍ଟାଲିନ୍ ପ୍ରତିକ୍ରିୟା ରଖି କହିଛନ୍ତି। ଡିଏମକେ ରାଜ୍ୟର ୨୩୪ଟି ଆସନରୁ ୧୬୪ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଛି। ଯେତେବେଳେ ୭୦ଟି ଆସନ ଏହାର ମେଣ୍ଟ ସହଯୋଗୀମାନଙ୍କୁ ବଣ୍ଟନ କରାଯାଇଛି। ୨୮ଟି ଆସନ କଂଗ୍ରେସ, ୫ଟି ଆସନ କମ୍ୟୁନିଷ୍ଟ ପାର୍ଟି (ସିପିଆଇ), ୫ଟି ଆସନ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) (ସିପିଆଇ(ଏମ୍)), ୮ଟି ଆସନ ଭିସିକେ ଏବଂ ୪ଟି ଆସନ ଏମଡିଏମକେ ପାଇଁ ଛଡ଼ା ଯାଇଛି। ଅନ୍ୟ ଛୋଟ ଦଳଗୁଡ଼ିକ ମଧ୍ୟରେ ୧୦ଟି ଆସନ ଦେଶିଆ ମୁରପୋକ୍କୁ ଦ୍ରାବିଡ କାଝାଗମ (ଡିଏମଡିକେ), ୨ ଆସନ ଇଣ୍ଡିଆନ ୟୁନିଅନ ମୁସଲିମ ଲିଗ୍ (ଆଇୟୁଏମଏଲ) ଏବଂ ଅନେକ ଆଞ୍ଚଳିକ ଦଳକୁ ବଣ୍ଟା ଯାଇଛି।
AIADMK ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ୧୨୭ ପ୍ରାର୍ଥୀଙ୍କ ଦ୍ୱିତୀୟ ତାଲିକା ମଧ୍ୟ ପ୍ରକାଶ କରିଛି। ଦ୍ୱିତୀୟ ତାଲିକାରେ ଇ ପଲାନିସ୍ୱାମୀଙ୍କ ନେତୃତ୍ୱରେ ଶାସନକୁ ଫେରିବା ପାଇଁ ଦଳ ଲକ୍ଷ୍ୟ ରଖିଥିବା ବେଳେ ବର୍ତ୍ତମାନର ବିଧାୟକ, ପୂର୍ବତନ ବିଧାୟକ ଏବଂ ନୂତନ ଚେହେରାଙ୍କୁ ଦଳ ଟିକେଟ ଦେଇଛି।
