Friday, October 18, 2024
30.6 C
Odisha

    ନିଲାମ ହେଲା ଅର୍ପଣ ଚାଉଳ ଶ୍ରୀମନ୍ଦିର ଆକାଉଣ୍ଟକୁ ଯିବ ୨.୮୬ କୋଟି

    ଆଗକୁ ପଢନ୍ତୁ

    ପୁରୀ: ନିଲାମ ହେଲା ଅର୍ପଣ ଚାଉଳ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବେଳେ ସାରା ରାଜ୍ୟରୁ ସଂଗୃହୀତ ଅର୍ପଣ ଚାଉଳକୁ ଶେଷରେ ନିଲାମ କରାଯାଇଛି । ଗଚ୍ଛିତ ଥିବା ସମୁଦାୟ ୧୦,୩୨୨ କୁଇଣ୍ଟାଲ ୩୯ କେଜି ଚାଉଳର ନିଲାମ ପ୍ରକ୍ରିୟା ଗୁରୁବାର ଶେଷ ହୋଇଛି । କୁଇଣ୍ଟାଲ ପିଛା ୨,୭୮୦ ଟଙ୍କାରେ ଏହି ଚାଉଳକୁ ନିଲାମରେ ନେଇଛନ୍ତି ନିମାପଡ଼ାର ମିଲର । ନିଲାମରୁ ସଂଗୃହୀତ ୨ କୋଟି ୮୬ ଲକ୍ଷ, ୯୬ ହଜାର ୨୪୪ ଟଙ୍କା ଶ୍ରୀମନ୍ଦିର ଆକାଉଣ୍ଟରେ ଜମା କରାଯିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ।
    ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦ୍‌ଘାଟନ ପୂର୍ବରୁ ରାଜ୍ୟର କୋଣ ଅନୁକୋଣରୁ ଗଡ଼ିଥିଲା ଅର୍ପଣ ରଥ । ମହାପ୍ରଭୁଙ୍କ ପ୍ରତି ସମର୍ପଣ ଭାଗ ରଖି ପ୍ରତ୍ୟେକ ପରିବାର ଚାଉଳ, ଗୁଆ, ନଡ଼ିଆ ପ୍ରଦାନ କରିଥିଲେ । ପ୍ରାୟ ୧୪ ହଜାର କୁଇଣ୍ଟାଲ ଚାଉଳ ସଂଗ୍ରହ ହୋଇ ପୁରୀକୁ ଆସିଥିଲା । ଅର୍ପଣ ଚାଉଳର ଭବିଷ୍ୟତକୁ ନେଇ ବାଦ ବିବାଦ ଉଠିବା ପରେ ଏଥିରେ କାନିକା, ଖେଚେଡ଼ି ପ୍ରସ୍ତୁତ କରାଯାଇ ଭକ୍ତଙ୍କୁ ବଣ୍ଟନ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା । ତେଣୁ ସୁଆର ମହାସୁଆର ନିଯୋଗ ଏଥିରେ କାନିକା, ଖେଚେଡ଼ି କରି ଶ୍ରୀମନ୍ଦିର ଚାରିଦ୍ୱାରରେ ଶ୍ରଦ୍ଧାଳୁଙ୍କୁ ବଣ୍ଟନ କରୁଥିଲେ । ହେଲେ ରାଜ୍ୟରେ ସରକାର ପରିବର୍ତ୍ତନ ପରେ ଗତ ଜୁନ୍ ୬ ତାରିଖରୁ ହଠାତ୍ କାନିକା, ଖେଚେଡି ବଣ୍ଟନକୁ ବନ୍ଦ କରିଦିଆଗଲା । ଫଳରେ ଆହୁରି ୧୦ ହଜାର କୁଇଣ୍ଟାଲରୁ ଊର୍ଦ୍ଧ୍ୱ ଚାଉଳ ରହି ଧୀରେ ଧୀରେ ନଷ୍ଟ ହେବାକୁ ଲାଗିଥିଲା ।
    ପୁନଶ୍ଚ ଅର୍ପଣ ଚାଉଳକୁ ନେଇ ବିବାଦ ଉପୁଜିଥିଲା । ପରିଚାଳନା କମିଟିରେ ଏହାକୁ ନେଇ ଅନେକଥର ଆଲୋଚନା କରାଯାଇଛି । ପରେ ଜିଲ୍ଲାପାଳ କହିଥିଲେ, ମହାପ୍ରସାଦ ପ୍ରସ୍ତୁତ ଲାଗି ଯାହା ଯୋଗ୍ୟ ଥିଲା ତା’ର ବ୍ୟବହାର କରାଯାଇଛି । ବଳକା ଚାଉଳ ମହାପ୍ରସାଦ ପାଇଁ ଅନୁପଯୁକ୍ତ ବୋଲି ସ୍ପଷ୍ଟ କରିଥିଲା ସୁଆର ମହାସୁଆର ନିଯୋଗ । ଫଳରେ ବଳକା ଚାଉଳକୁ କ’ଣ କରାଯିବ ସେ ନେଇ ଆଲୋଚନା କରାଯାଇ ପ୍ରସ୍ତାବ ରାଜ୍ୟ ସରକାରଙ୍କୁ ପଠାଯାଇଥିଲା । ସରକାର ଏହା ଉପରେ ପୁଙ୍ଖାନୁପୁଙ୍ଖ ବିଚାର କରି ପ୍ରସ୍ତାବକୁ ଅନୁମୋଦନ ଦେଇଥିଲେ । ଏହା ପରେ ଗୁରୁବାର ଯୋଗାଣ ବିଭାଗ ଅଧିକାରୀଙ୍କ ଦ୍ୱାରା ସଟ୍ ଅକ୍ସନ ଓ ସ୍ପଟ୍ ଅକ୍ସନ ସମ୍ପୂର୍ଣ୍ଣ ହୋଇଥିଲା । ଏହାର ବେସ୍ ପ୍ରାଇସ୍ କୁଇଣ୍ଟାଲ ପିଛା ୨ ହଜାର ଟଙ୍କା ରଖାଯାଇଥିଲା । ନିଲାମରେ ମୋଟ ୬ ଜଣ ଭାଗ ନେଇଥିଲେ । ସର୍ବାଧିକ କୁଇଣ୍ଟାଲ ପିଛା ୨,୭୮୦ ଟଙ୍କା ନିଲାମରେ ମୋଟ ୧୦ ହଜାର ୩୨୨ କୁଇଣ୍ଟାଲ ୩୯ କେଜି ଚାଉଳ ଯାଇଛି । ଜିଲ୍ଲା ଯୋଗାଣ ଅଧିକାରୀ ସୁବୋଧ ଚନ୍ଦ୍ର ହୋତା କହିଛନ୍ତି, ନିଲାମରେ ୬ ଜଣ ସାମିଲ ହୋଇଥିଲେ । ନିମାପଡ଼ାର ମା’ ତାରିଣୀ ରାଇସ୍ ମିଲର ମାଲିକ ସୁରେଶ କୁମାର ମହାନ୍ତି ନିଲାମରେ ନେଇଛନ୍ତି । ମୋଟ ୨କୋଟି ୮୬ ଲକ୍ଷ, ୯୬ ହଜାର ୨୪୪ ଟଙ୍କାରେ ଚାଉଳ ନିଲାମ ଯାଇଛି ।
    ସୂଚନାଥାଉ କି, ସାରା ରାଜ୍ୟରୁ ଅର୍ପଣ ରଥ ଜରିଆରେ ସମୁଦାୟ ୧୪୦୧୭.୨୩ କୁଇଣ୍ଟାଲ ଚାଉଳ ସଂଗ୍ରହ କରାଯାଇଥିବା ବେଳେ ୩,୯୪୯ଟି ନଡ଼ିଆ ଓ ୪୨୬ ବସ୍ତା ଗୁଆ ମିଳିଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    30.6 ° C
    30.6 °
    30.6 °
    64 %
    1.3kmh
    27 %
    Fri
    31 °
    Sat
    30 °
    Sun
    30 °
    Mon
    30 °
    Tue
    29 °

    ସମ୍ବନ୍ଧିତ