Sunday, April 12, 2026
25.2 C
Odisha

    ନୂଆପଡ଼ାବାସୀଙ୍କ ପାଇଁ ମୋ ଦୁଆର ସବୁବେଳେ ଖୋଲା: ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ନୂଆପଡ଼ା : ସୋମବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆପଡ଼ା ମିନି ଷ୍ଟାଡିୟମରେ ଆୟୋଜିତ ସଭାରେ ଯୋଗଦେଇ ଏହା କହିଛନ୍ତି ଯେ ନୂଆପଡ଼ାବାସୀଙ୍କ ପାଇଁ ମୋ ଦୁଆର ସବୁବେଳେ ଖୋଲା। ସେମାନେ ଯେତେବେଳେ ଚାହିବେ, ମୋତେ ଭେଟିପାରିବେ। ସେମାନଙ୍କ କୌଣସି ସମସ୍ୟା ଯଦି ମୋ ନଜରକୁ ଆସେ, ସେସବୁକୁ ଗୁରୁତ୍ବ ଦେଇ ସମାଧାନ କରିବାକୁ ଉଦ୍ୟମ କରାଯିବ। ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ, ମୋଦୀଙ୍କ ନେତୃତ୍ୱରେ ଡବଲ୍‌ ଇଞ୍ଜିନ୍‌ ସରକାର ରାଜ୍ୟବାସୀଙ୍କ ସେବା ପାଇଁ ସବୁ ସମୟରେ ତତ୍ପର ରହିଛି। ନୂଆପଡ଼ା ସହିତ ତାଙ୍କ ଭାବଗତ ସମ୍ପର୍କ ରହିଛି। ଆଗାମୀ ଦିନରେ ଏହି ସମ୍ପର୍କ ଆହୁରି ସୁଦୃଢ଼ ହେବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନୂଆପଡ଼ା ଜିଲ୍ଲା ପାଇଁ ୧୧୦୦ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଥିଲେ। ସେମଧ୍ୟରୁ ୬୪ କୋଟି ୨ ଲକ୍ଷ ଟଙ୍କା ବିନିଯୋଗରେ ୧୦୯ଟି ପ୍ରକଳ୍ପର ଲୋକାର୍ପଣ, ୧୫୯ କୋଟି ୭୬ ଲକ୍ଷ ଟଙ୍କାର ୩୯ଟି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ୭୫ କୋଟି ୩୭ ଲକ୍ଷ ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଏହା ସହିତ ନୂଆପଡ଼ା ଜିଲ୍ଲାରେ ଜଳସେଚନର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ଭାବେ ୮୦୨ କୋଟି ୯ ଲକ୍ଷ ଟଙ୍କାର ବିଭିନ୍ନ ପ୍ରକଳ୍ପ ଘୋଷଣା କରିଥିଲେ। ସେହିପରି ଖରିଆର୍ ରୋଡ୍‌ ଏନ୍‌ଏସିକୁ ମ୍ୟୁନିସିପାଲିଟି ଏବଂ କୋମନା ଓ ସିନାପାଲିକୁ ନୂଆ ଏନ୍‌ଏସି ଭାବେ ଘୋଷଣା କରିଥିଲେ। ଗତ ଏପ୍ରିଲ ମାସରେ ମାରାଗୁଡ଼ା ମହୋତ୍ସବକୁ ଆସି ମୁଖ୍ୟମନ୍ତ୍ରୀ ୩୨୦ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ ମୋଟ ୧୪୨୦ କୋଟି ଟଙ୍କାର ପ୍ରକଳ୍ପ ଆରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟର କେନ୍ଦୁପତ୍ର ତୋଳାଳିଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ। କେନ୍ଦ୍ର ସରକାର ଜିଏସ୍‌ଟି ହାର ୧୮ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ କରିଛନ୍ତି। ଏହାଦ୍ବାରା ସାରା ଦେଶର ତଥା ରାଜ୍ୟର ଲକ୍ଷ ଲକ୍ଷ କେନ୍ଦୁପତ୍ର ତୋଳାଳି ଉପକୃତ ହେବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟର ସବୁ ତହସିଲରେ ସବ୍‌ରେଜିଷ୍ଟ୍ରାର ଅଫିସ ଖୋଲାଯିବ ବୋଲି ଘୋଷଣା କରିଥିଲେ। ବର୍ତ୍ତମାନ ରାଜ୍ୟର ୩୧୭ଟି ତହସିଲରୁ ୨୧୦ଟି ତହସିଲରେ ସବ୍‌ରେଜିଷ୍ଟ୍ରାର ଅଫିସ ରହିଛି। ଖୁବ୍‌ଶୀଘ୍ର ବାକି ୧୦୭ଟି ତହସିଲରେ ସବ୍‌ରେଜିଷ୍ଟ୍ରାର୍‌ ଅଫିସ ଖୋଲାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

    ଆଜି ପ୍ରଥମ ପର୍ଯ୍ୟାୟରେ ନୂଆପଡ଼ାର ୩ଟି, ସିନାପାଲି, କୋମନା ଓ ବୋଡ଼େନ ଏବଂ ମାଲକାନଗିରି ଜିଲ୍ଲାର ୪ଟି, ମାଥିଲି, କାଲିମେଳା, ଖଇରପୁଟ ଓ କୁଡୁମୁଲୁଗୁମା- ଏହିପରି ୭ଟି ତହସିଲରେ ସବ୍‌ରେଜିଷ୍ଟ୍ରାର ଅଫିସ ଖୋଲାଗଲା ବୋଲି ଘୋଷଣା କରିଥିଲେ। ପଶ୍ଚିମ ଓଡ଼ିଶା ବିକାଶ ପରିଷଦକୁ ଅଧିକ ଅନୁଦାନ ସହିତ ସୁଦୃଢ଼ କରାଯାଇଛି । ଏହା ସହିତ ଉତ୍ତର ଓ ଦକ୍ଷିଣ ଓଡ଼ିଶାର ବିକାଶ ପାଇଁ ସ୍ୱତନ୍ତ୍ର ଭାବେ ବିକାଶ ପରିଷଦ ଗଠନ କରିବାକୁ ପଦକ୍ଷେପ ନିଆଯାଇଛି। ରାଜ୍ୟର ଶିଳ୍ପ ବିକାଶରେ ମଧ୍ୟ ସବୁ ଅଞ୍ଚଳକୁ ଗୁରୁତ୍ବ ଦିଆଯାଇ ପ୍ରତ୍ୟେକ ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା କରିବା ଉଦ୍ୟମ ଅବ୍ୟାହତ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ପୂର୍ବରୁ ପ୍ରି-ମାଟ୍ରିକ୍‌ ସ୍କଲାରସିପର୍ ଭାବେ ଛାତ୍ରମାନଙ୍କୁ ୧୦,୫୦୦ ଟଙ୍କା ମିଳୁଥିବା ବେଳେ ଏବେ ୧୬ ହଜାର ଟଙ୍କା ପ୍ରଦାନ କରାଯିବ। ସେହିପରି ଅନ୍ୱେଷା ଯୋଜନାରେ ଛାତ୍ରଛାତ୍ରୀମାନଙ୍କୁ ପୂର୍ବରୁ ୧୧ ହଜାର ଟଙ୍କା ମିଳୁଥିବା ବେଳେ ଏବେ ୧୭ ହଜାର ଟଙ୍କା ମିଳିବ। ସେହିପରି ପୋଷ୍ଟ-ମାଟ୍ରିକ ସ୍କଲାରସିପ୍‌ରେ ପୂର୍ବରୁ ଛାତ୍ରମାନଙ୍କୁ ୧୧ ହଜାର ଟଙ୍କା ମିଳୁଥିବା ବେଳେ ଏବେ ୧୬ ହଜାର ଟଙ୍କା ମିଳିବ ଏବଂ ଛାତ୍ରୀମାନଙ୍କୁ ୧୭ ହଜାର ଟଙ୍କା ମିଳିବ। କେନ୍ଦ୍ର ସରକାର ଓଡ଼ିଶା ପାଇଁ ୩୦ ହଜାର କୋଟି ଟଙ୍କାର ରେଳ ପ୍ରକଳ୍ପ ମଞ୍ଜୁର କରିଛନ୍ତି ଏବଂ ଏଥିରେ ନୂଆପଡ଼ା ପାଇଁ ମଧ୍ୟ ଦୁଇଟି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସୁଭଦ୍ରା ଯୋଜନାରେ ନୂଆପଡ଼ାର ୧ ଲକ୍ଷ ୫୫ ହଜାର ମହିଳା ଉପକୃତ ହୋଇଛନ୍ତି। ଅନ୍ତ୍ୟୋଦୟ ଗୃହ ଯୋଜନାରେ ୨୫୪୮ ପରିବାରକୁ ଘର ଯୋଗାଇଦେବା ପାଇଁ ପଦକ୍ଷେପ ନିଆଯାଇଛି। ନୂଆପଡ଼ା ଜିଲ୍ଲା ମନରେଗା ଯୋଜନାରେ ଦୈନିକ ୬୦ ହଜାରରୁ ଅଧିକ ଶ୍ରମିକ ନିୟୋଜିତ କରି ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଜନଶୁଣାଣି କାର୍ଯ୍ୟକ୍ରମକୁ ସମ୍ପ୍ରସାରଣ କରାଯାଇ ଏହାକୁ ପଞ୍ଚାୟତ ସ୍ତରରେ ମଧ୍ୟ ଆୟୋଜିତ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ଜିଲ୍ଲାର ସଫଳତା ପାଇଁ ଜିଲ୍ଲା ପ୍ରଶାସନ ଓ ଜନସାଧାରଣଙ୍କୁ ଧନ୍ୟବାଦ ଦେଇଥିଲେ।

    ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଥିଲେ ଯେ, ମୋହନ ମାଝୀଙ୍କ ସରକାର ହେଉଛି ଲୋକଙ୍କ ସରକାର। ରାଜ୍ୟର ସମସ୍ତ ବର୍ଗର ବିକାଶ କିପରି ହେବ ସେଥିପାଇଁ ଆମେ ପ୍ରତିଶ୍ରୁତିବଦ୍ଧ। ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଥିଲେ ଯେ, ରାଜ୍ୟରେ ଆମ ସରକାର ଆସିବା ପରେ ନୂଆପଡ଼ା ଜିଲ୍ଲାର ୧୦ଟି ହାଇସ୍କୁଲକୁ ଉନ୍ନୀତ କରି ଉଚ୍ଚମାଧ୍ୟମିକ ସ୍କୁଲରେ ପରିଣତ କରିଛୁ। ସରକାର ଗୋଦାବରୀଶ ମିଶ୍ର ପ୍ରାଥମିକ ବିଦ୍ୟାଳୟ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ପଞ୍ଚାୟତିରାଜ ଓ ପାନୀୟଜଳ ଯୋଗାଣ ମନ୍ତ୍ରୀ ରବି ନାରାୟଣ ନାୟକ କହିଥିଲେ ଯେ, ନୂଆପଡ଼ାକୁ ଆଦର୍ଶ ଜିଲ୍ଲା କରିବା ପାଇଁ ମୁଖ୍ୟମନ୍ତ୍ରୀ ଯୋଜନା କରୁଛନ୍ତି। ନୂଆପଡ଼ା ପଲିଥିନମୁକ୍ତ ଜିଲ୍ଲା ହୋଇଛି, ଏହା ଆମ ପାଇଁ ଗର୍ବର ବିଷୟ। କେବିକେ ଅଞ୍ଚଳରେ କିପରି ରୋଜଗାର ବୃଦ୍ଧି ହେବ ସେଥିପାଇଁ ଆମ ସରକାର ଯୋଜନା କରୁଛନ୍ତି। କାର୍ଯ୍ୟକ୍ରମରେ କଳାହାଣ୍ଡି ସାଂସଦ ମାଳବିକା ଦେଓ, ରାଜ୍ୟସଭା ସାଂସଦ ସୁଜିତ କୁମାର ପ୍ରମୁଖ ତାଙ୍କର ଉଦ୍‌ବୋଧନ ଦେଇଥିଲେ। ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶ ସ୍ୱାଗତ ଭାଷଣ ଓ ଖରିଆର୍ ରୋଡ୍ ଏନ୍‌ଏସି ଅଧ୍ୟକ୍ଷା ଡ. ସୋନିଆ ଜୈନ ଧନ୍ୟବାଦ ଦେଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.2 ° C
    25.2 °
    25.2 °
    17 %
    1.7kmh
    0 %
    Sat
    25 °
    Sun
    40 °
    Mon
    41 °
    Tue
    42 °
    Wed
    44 °

    ସମ୍ବନ୍ଧିତ