Saturday, February 21, 2026
33.5 C
Odisha

    ନୂଆ ପର୍ଯ୍ୟାୟ‌େର ଭାରତର ଘାତଶକ୍ତି: ୨୦୧୯ ବାଲାକୋଟ ଏୟାର୍ ଷ୍ଟ୍ରାଇକ୍, ଚୀନ୍‌ ସହ ସୀମା ବିବାଦ ପରେ ଭାରତର ଆକ୍ରମଣାତ୍ମକ କ୍ଷମତା ବଢ଼ିଛି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ୨୦୧୯ରେ ପାକିସ୍ତାନର ବାଲାକୋଟ ଏୟାର୍‌ଷ୍ଟ୍ରାଇକ୍ ପରଠାରୁ ଏବଂ ଚୀନ୍ ସହ ସୀମା ବିବାଦ ପରେ ଭାରତ ନିଜର ଆକ୍ରମଣାତ୍ମକ କ୍ଷମତାକୁ ଯଥେଷ୍ଟ ବୃଦ୍ଧି କରିଛି। ପହଲଗାମ ଆକ୍ରମଣ ପଛରେ ଭୂମିକାକୁ ନେଇ ପାକିସ୍ତାନକୁ ଦଣ୍ଡିତ କରିବା ପାଇଁ ସାମରିକ କାର୍ଯ୍ୟାନୁଷ୍ଠାନ ଉପରେ ଭାରତ ସତର୍କତାର ସହ ବିଚାର କରୁଥିବାବେଳେ ଆତଙ୍କିତ ପାକିସ୍ତାନ ଚୀନ୍‌ ଓ ତୁର୍କୀର ସମର୍ଥନ ଆଶାରେ ରହିଛି। ଗତ ୫ରୁ ୬ ବର୍ଷ ମଧ୍ୟରେ ଆମଦାନି ଓ ସ୍ଥାନୀୟ ସ୍ତରରେ ଉତ୍ପାଦିତ ଅସ୍ତ୍ରଶସ୍ତ୍ର ମାଧ୍ୟମରେ ଭାରତର ସାମରିକ କ୍ଷମତା ବୃଦ୍ଧି ପାଇଛି। ବାଲାକୋଟ ଏୟାର୍ ଷ୍ଟ୍ରାଇକ୍ ସମୟରେ ଯେତିକି ଶକ୍ତିଶାଳୀ ଥିଲା, ତା’ଠାରୁ ସେନା ଏବେ ଯଥେଷ୍ଟ ଅଧିକ ଶକ୍ତିଶାଳୀ ବୋଲି ଜଣେ ଅଧିକାରୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି।

    ଭାରତୀୟ ସେନାରେ ଯେଉଁ ସାମରିକ ଉପକରଣ ଅନ୍ତର୍ଭୁକ୍ତ ହୋଇଛି ସେଥିରେ ରାଫେଲ ଲଢୁଆ ବିମାନ, ଏସ୍-୪୦୦ ଏୟାର୍ ଡିଫେନ୍ସ ସିଷ୍ଟମ, ବାରାକ ୮ ଏୟାର୍ ଡିଫେନ୍ସ ସିଷ୍ଟମ୍, ସ୍ୱଦେଶୀ ବିମାନବାହୀ ଜାହାଜ ଆଇଏନ୍‌ଏସ୍ ବିକ୍ରାନ୍ତ, ପରମାଣୁ ଶକ୍ତିସମ୍ପନ୍ନ ବ୍ୟାଲିଷ୍ଟିକ୍ କ୍ଷେପଣାସ୍ତ୍ର ବୁଡ଼ାଜାହାଜ ଆଇଏନ୍‌ଏସ୍‌ ଅରିଘାତ, ପ୍ରଚଣ୍ଡ ହାଲୁକା ଯୁଦ୍ଧ ହେଲିକପ୍ଟର, ସି-୨୯୫ ରଣନୀତିକ ପରିବହନ ବିମାନ, ଆର୍ଟିଲାରୀ ବନ୍ଧୁକ ଓ ଏକ ନୂତନ ଆସଲ୍ଟ ରାଇଫଲ ରହିଛି। ପୂର୍ବ ଲଦାଖରେ ଚୀନ୍ ସହ ସାମରିକ ସଂଘର୍ଷ ପରେ ହୋଇଥିବା ଏହି କ୍ଷମତା ବୃଦ୍ଧିରେ ବିଭିନ୍ନ ମାନବବିହୀନ ବ୍ୟବସ୍ଥା, ସ୍ମାର୍ଟ ଏୟାର୍-ଟୁ-ଗ୍ରାଉଣ୍ଡ ଅସ୍ତ୍ରଶସ୍ତ୍ର, କ୍ଷେପଣାସ୍ତ୍ର, ରକେଟ୍, ନିର୍ଦ୍ଦିଷ୍ଟ ଯୁଦ୍ଧାସ୍ତ୍ର, ଟ୍ୟାଙ୍କ୍ ଗୋଳାବାରୁଦ, ହାଇଟେକ୍ ସର୍ଭେଲାନ୍ସ ସିଷ୍ଟମ୍ ଓ ବିଶେଷ ଯାନ ସାମିଲ ରହିଛି। ଅନ୍ୟ ଜଣେ ଅଧିକାରୀ କହିଛନ୍ତି ଯେ, ସାମ୍ପ୍ରତିକ ବର୍ଷଗୁଡ଼ିକରେ ନିରନ୍ତର ଦକ୍ଷତା ବିକାଶ ଅଭାବକୁ ଦୂର କରିଛି। ଆଦେଶ ଆସିଲେ ସଶସ୍ତ୍ର ବାହିନୀ କାର୍ଯ୍ୟ କରିବ। ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ପହଲଗାମ ଆକ୍ରମଣର ଦୋଷୀ ଓ ଷଡ଼ଯନ୍ତ୍ରକାରୀଙ୍କୁ କଠୋର ଜବାବ ଦିଆଯିବ, ଯାହାକୁ ଅନେକେ ପାକିସ୍ତାନକୁ କଡ଼ା ଚେତାବନୀ ଭାବେ ଦେଖୁଛନ୍ତି। ୧୪୦ କୋଟି ଭାରତୀୟଙ୍କ ଏକତା ହିଁ ଆତଙ୍କବାଦ ବିରୋଧୀ ଯୁଦ୍ଧରେ ଆମର ସବୁଠାରୁ ବଡ଼ ଶକ୍ତି ବୋଲି ସେ କହିଛନ୍ତି। ଆରବ ସାଗରରେ ଅଭ୍ୟାସ ସମୟରେ ଏକାଧିକ ଭାରତୀୟ ଯୁଦ୍ଧ ଜାହାଜ ସେମାନଙ୍କର ଦୀର୍ଘ ଦୂରତା ନିର୍ଦ୍ଦିଷ୍ଟ ଆକ୍ରମଣ କ୍ଷମତା ପ୍ରଦର୍ଶନ କରିବା ଦିନ ସେ ଏହି ମନ୍ତବ୍ୟ ଦେଇଛନ୍ତି।

    ବିଶେଷ କରି ରାଫେଲ-ଏସ୍-୪୦୦ ଭାରତକୁ ଶତ୍ରୁପକ୍ଷଠାରୁ ଅଧିକ କ୍ଷମତା ଦେଇଛି ବୋଲି ରଣନୈତିକ ବ୍ୟାପାର ବିଶେଷଜ୍ଞ ଏୟାର୍ ମାର୍ଶାଲ ଅନିଲ ଚୋପ୍ରା (ଅବସରପ୍ରାପ୍ତ) କହିଛନ୍ତି। ଆମ ଭଣ୍ଡାରରେ ଥିବା ଅସ୍ତ୍ରଶସ୍ତ୍ର ଓ ବ୍ୟବସ୍ଥା ପାକିସ୍ତାନ ପାଇଁ ଦୁଃସ୍ୱପ୍ନ। ଆମେ କେବଳ ଆମର ସାମରିକ ସାମର୍ଥ୍ୟ ବୃଦ୍ଧି କରିନାହୁଁ ବରଂ ଭବିଷ୍ୟତକୁ ଦୃଷ୍ଟିରେ ରଖି ନୂତନ ଅସ୍ତ୍ରଶସ୍ତ୍ର ଓ ଜ୍ଞାନକୌଶଳ ମଧ୍ୟ ସାମିଲ କରିବାକୁ ଯାଉଛୁ। ଭାରତ ଅନେକ ନୂତନ ଅସ୍ତ୍ରଶସ୍ତ୍ର ଏବଂ ଜ୍ଞାନକୌଶଳ ବିକଶିତ କରୁଛି ଯାହା ଏହାକୁ ଏକ ଶକ୍ତିଶାଳୀ ଦେଶରେ ପରିଣତ କରିଛି। ନିକଟରେ ସ୍ଥାନୀୟ ସ୍ତରରେ ନିର୍ମିତ ଏକ ଲେଜର ଅସ୍ତ୍ରର ଉନ୍ମୋଚନ ହୋଇଥିଲା ଯାହା ଡ୍ରୋନକୁ ନିପାତ କରିପାରିବ। ଗତ ଦୁଇରୁ ତିନି ବର୍ଷ ମଧ୍ୟରେ ଭାରତ ପ୍ରଦର୍ଶନ କରିଥିବା ଅତ୍ୟାଧୁନିକ ପ୍ରତିରକ୍ଷା ଜ୍ଞାନକୌଶଳ କେବଳ କିଛି ଦେଶ ପାଖରେ ରହିଛି। ଲେଜର ଅସ୍ତ୍ର ବ୍ୟବହାର କରି କ୍ଷେପଣାସ୍ତ୍ର, ଡ୍ରୋନ୍ ଓ କ୍ଷୁଦ୍ର କ୍ଷେପଣାସ୍ତ୍ରକୁ ଅକ୍ଷମ କରିବାର ଜ୍ଞାନକୌଶଳରେ ପାରଦର୍ଶିତା ହାସଲ କରିଥିବା କେତେକ ଦେଶ ମଧ୍ୟରେ ଆମେରିକା, ରୁଷିଆ, ଚୀନ୍, ବ୍ରିଟେନ୍, ଜର୍ମାନୀ ଓ ଏସରାଇଲ ଅନ୍ତର୍ଭୁକ୍ତ। ସେହିଭଳି କେବଳ ଆମେରିକା, ରୁଷିଆ ଓ ଚୀନ୍ ଦ୍ରୁତ ଗତିରେ ଚାଲୁଥିବା ହାଇପର୍‌ସୋନିକ୍ କ୍ଷେପଣାସ୍ତ୍ର ପ୍ରସ୍ତୁତ କରିଛନ୍ତି, ଯାହା କମ୍ ଉଚ୍ଚତାରେ ଉଡ଼ିଥାଏ ଯାହାକୁ ଟ୍ରାକ୍ କରିବା ଓ ପ୍ରତିରୋଧ କରିବା ଅତ୍ୟନ୍ତ କଷ୍ଟକର।

    ନିକଟରେ ଭାରତର ଅନ୍ୟାନ୍ୟ ଉଲ୍ଲେଖନୀୟ ସଫଳତା ମଧ୍ୟରେ ବୁଡ଼ାଜାହାଜରୁ ୩,୫୦୦ କିଲୋମିଟର ଦୂରତା ବିଶିଷ୍ଟ କେ-୪ ପରମାଣୁ କ୍ଷମତା ସମ୍ପନ୍ନ ବ୍ୟାଲିଷ୍ଟିକ୍ କ୍ଷେପଣାସ୍ତ୍ର ଉତ୍‌କ୍ଷେପଣ, ଭାରତର ବ୍ୟାଲିଷ୍ଟିକ୍ କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥାର ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷଣ ଏବଂ ଅଗ୍ନି-୫ କ୍ଷେପଣାସ୍ତ୍ରକୁ ଟାର୍ଗେଟେବଲ୍ ରି-ଏଣ୍ଟ୍ରି ଭେଇକିଲ୍ (ଏମ୍ଆଇଆର୍‌ଭି) ଜ୍ଞାନକୌଶଳରେ ବିକଶିତ କରିବା ଅନ୍ତର୍ଭୁକ୍ତ।  ଗୋଟିଏ ଯୁଦ୍ଧାସ୍ତ୍ର ବହନ କରୁଥିବା ପାରମ୍ପରିକ କ୍ଷେପଣାସ୍ତ୍ର ତୁଳନାରେ ଏମ୍‌ଆଇଆର୍‌ଭି ଅଧିକ ବିନାଶ ସୃଷ୍ଟି କରିପାରେ। ଗତ ନଭେମ୍ବରରେ ଆଇଏନ୍‌ଏସ୍‌ ଅରିଘାତ ପ୍ରଥମ ଥର ପାଇଁ କେ-୪ କ୍ଷେପଣାସ୍ତ୍ର ଉତ୍‌କ୍ଷେପଣ କରିଥିଲା, ଯାହା ଦେଶର ପରମାଣୁ ତ୍ରିକୋଣ (ସ୍ଥଳ, ସମୁଦ୍ର ଓ ଆକାଶରୁ ଅସ୍ତ୍ର ନିକ୍ଷେପ କରିବାର କ୍ଷମତା)କୁ ସୁଦୃଢ଼ କରିବା ଦିଗରେ ଏକ ପଦକ୍ଷେପ। ୧୫୦୦ କିଲୋମିଟରରୁ ଅଧିକ ଦୂରତାକୁ ଲକ୍ଷ୍ୟଭେଦ କରିବା ପାଇଁ ଡିଜାଇନ୍ କରାଯାଇଥିବା ହାଇପର୍‌ସୋନିକ୍‌ କ୍ଷେପଣାସ୍ତ୍ରର ମଧ୍ୟ ଭାରତ ପରୀକ୍ଷଣ କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    33.5 ° C
    33.5 °
    33.5 °
    15 %
    4.2kmh
    11 %
    Sat
    33 °
    Sun
    35 °
    Mon
    36 °
    Tue
    35 °
    Wed
    34 °

    ସମ୍ବନ୍ଧିତ