ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସମସ୍ତ ରାଜନୈତିକ ଦଳକୁ ଏହି ଘରକୁ ଘର ସର୍ଭେ ପ୍ରକ୍ରିୟାରେ ସକ୍ରିୟ ଭାବେ ସହଯୋଗ କରିବାକୁ ଅନୁରୋଧ କରାଯାଇଛି। ବିଶେଷକରି, ପ୍ରତ୍ୟେକ ରାଜନୈତିକ ଦଳ ନିଜର ବୁଥ୍ସ୍ତରୀୟ ଏଜେଣ୍ଟ (BLA) ମାନଙ୍କୁ ରାଜ୍ୟର ସମସ୍ତ ମତଦାନ କେନ୍ଦ୍ର ଗୁଡିକରେ ନିୟୋଜିତ କରିବା ସହ ସର୍ଭେ ସମୟରେ ସେମାନଙ୍କର ସକ୍ରିୟ ଅଂଶଗ୍ରହଣ ସୁନିଶ୍ଚିତ କରିବାକୁ ଆୟୋଗ ପକ୍ଷରୁ ଅନୁରୋଧ କରାଯାଇଛି।
ସମସ୍ତ ରାଜନୈତିକ ଦଳମାନଙ୍କୁ ଅକ୍ଟୋବର ୧୫ ତାରିଖ ସୁଦ୍ଧା BLA ଙ୍କ ତଥ୍ୟ ସହାୟକ ନିର୍ବାଚକ ପଞ୍ଜୀକରଣ ଅଧିକାରୀ ( AERO ) ତଥା ଗ୍ରାମାଞ୍ଚଳ ପାଇଁ ବିଡିଓ ଙ୍କ ପାଖରେ ସହରାଞ୍ଚଳ(NAC ଓ MUNICIPALITY ) ପାଇଁ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ମହାନଗର ନିଗମ ପାଇଁ ଡେପୁଟି କମିଶନର /ଆସିଷ୍ଟାଣ୍ଟ କମିଶନର ଙ୍କ ପାଖରେ ଦାଖଲ କରିବା ପାଇଁ ଅନୁରୋଧ କରାଯାଇଛି ।
ରାଜ୍ୟ ନିର୍ବାଚନ ଆୟୁକ୍ତ ଶ୍ରୀ ପାଢ଼ୀ କହିଥିଲେ ଯେ, ସଠିକ୍ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକା ଏକ ସୁସ୍ଥ ଓ ସ୍ୱଚ୍ଛ ନିର୍ବାଚନ ବ୍ୟବସ୍ଥାର ମୂଳ ଆଧାର। ତେଣୁ ଭୋଟର ତାଲିକା ପ୍ରସ୍ତୁତିର ପ୍ରତ୍ୟେକ ପର୍ଯ୍ୟାୟରେ ସ୍ୱଚ୍ଛତା, ନିରପେକ୍ଷତା ଓ ସମସ୍ତଙ୍କ ଅଂଶଗ୍ରହଣକୁ ଗୁରୁତ୍ୱ ଦିଆଯିବ। ରାଜନୈତିକ ଦଳଗୁଡ଼ିକର ସକ୍ରିୟ ସହଯୋଗ ଦ୍ୱାରା ଭୋଟର ତାଲିକାକୁ ଅଧିକ ବିଶ୍ୱସନୀୟ ଓ ତ୍ରୁଟିମୁକ୍ତ କରାଯାଇପାରିବ ବୋଲି ସେ ଆଶା ପ୍ରକାଶ କରିଥିଲେ।
ବୈଠକରେ ଘରକୁ ଘର ସର୍ଭେ ସମୟରେ ଭୋଟରମାନଙ୍କ ସହଯୋଗ, ସର୍ଭେ ଦଳଙ୍କ ଦ୍ୱାରା ତଥ୍ୟ ସଂଗ୍ରହ, ଭୋଟର ତାଲିକାରେ ନାମ ଯୋଗ, ବାଦ୍ ଓ ସଂଶୋଧନ ଭଳି ବିଭିନ୍ନ ବିଷୟ ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଭୋଟର ତାଲିକା ପ୍ରସ୍ତୁତି ପ୍ରକ୍ରିୟାରେ କୌଣସି ଯୋଗ୍ୟ ବ୍ୟକ୍ତିଙ୍କ ନାମ ଯେପରି ବାଦ୍ ନ ପଡ଼େ ଏବଂ ଅଯୋଗ୍ୟ ବ୍ୟକ୍ତିଙ୍କ ନାମ ଯେପରି ତାଲିକାରେ ଅନ୍ତର୍ଭୁକ୍ତ ନ ହୁଏ, ସେଥିପାଇଁ ସମସ୍ତ ସମ୍ପୃକ୍ତ ପକ୍ଷଙ୍କୁ ସଚେତନ ଓ ସହଯୋଗୀ ଭୂମିକା ଗ୍ରହଣ କରିବାକୁ ଆୟୋଗ ପକ୍ଷରୁ ଆହ୍ୱାନ କରାଯାଇଛି।
ବୈଠକରେ ରାଜନୈତିକ ଦଳର ପ୍ରତିନିଧିମାନେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଭୋଟର ତାଲିକା ପ୍ରସ୍ତୁତି ସମ୍ପର୍କରେ ବିଭିନ୍ନ ପରାମର୍ଶ ଦେବା ସହ ଘରକୁ ଘର ସର୍ଭେ ପ୍ରକ୍ରିୟାରେ ଆବଶ୍ୟକ ସହଯୋଗ ପ୍ରଦାନ କରିବାକୁ ଆଶ୍ୱାସନା ଦେଇଥିଲେ। ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ସମଗ୍ର ଭୋଟର ତାଲିକା ପ୍ରସ୍ତୁତି ପ୍ରକ୍ରିୟାକୁ ନିର୍ଦ୍ଧାରିତ ନିୟମ ଓ ମାର୍ଗଦର୍ଶିକା ଅନୁଯାୟୀ ସୁଚାରୁ ଭାବେ ସମ୍ପାଦନ କରାଯିବ। ଏଥିସହ ସମସ୍ତ ରାଜନୈତିକ ଦଳ, ପ୍ରଶାସନ ଓ ସାଧାରଣ ଭୋଟରଙ୍କ ସମନ୍ୱିତ ସହଯୋଗରେ ସ୍ୱଚ୍ଛ, ସଠିକ୍, ସମାବେଶୀ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତ କରିବା ଲକ୍ଷ୍ୟରେ ରାଜ୍ୟ ନିର୍ବାଚନ ଆୟୋଗ କାର୍ଯ୍ୟ କରୁଛନ୍ତି। ଏହି ବୈଠକରେ ଆୟୋଗ ର ସଚିବ ସନ୍ତୋଷ କୁମାର ଦାଶ ,ଉପ ସଚିବ ଦୁର୍ଗା ଚରଣ ମୁର୍ମୁ ଓ ସମସ୍ତ ରାଜନୈତିକ ଦଳର ପ୍ରତିନିଧିବୃନ୍ଦ ଉପସ୍ଥିତ ଥିଲେ ।
