ବଲାଙ୍ଗୀର : ଶିକ୍ଷାବିତ ତଥା ସମାଜସେବୀ ଓ ଜ୍ୟୋତିର୍ବିଦ ପଣ୍ଡିତ ଟିକେଶ୍ୱର ଗୁରୁଙ୍କ ଦ୍ଵିତୀୟ ଶ୍ରାଦ୍ଧବାର୍ଷିକୀ ଗାନ୍ଧୀ ନଗର, ବଲାଙ୍ଗୀର ଠାରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାମାନନ୍ଦ ସାଗରକୃତ ‘ରାମାୟଣ’ର ସୀତା ଚରିତ୍ରରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଥିବା ଅଭିନେତ୍ରୀ ଦୀପିକା ଚିଖଲିଆ ତଥା ପୂର୍ବତନ ସାଂସଦ ସୁଦୂର ମୁମ୍ବାଇରୁ ଆସି ଯୋଗ ଦେଇଥିଲେ ।
ସଭା ପ୍ରାରମ୍ଭରେ ଅତିଥିମାନେ ସ୍ବର୍ଗତ ଟିକେଶ୍ୱର ଗୁରୁଙ୍କ ପ୍ରତିମୁର୍ତିରେ ମାଲ୍ୟାର୍ପଣ କରିଥିଲେ । ପରେ ଶ୍ରୀ ଗୁରୁଙ୍କ ପୁତ୍ର ଘଂଟେଶ୍ୱର ଗୁରୁ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଏହାରି ଭିତରେ ଶ୍ରୀମତୀ ଦୀପିକା ଜୀ ରାମାୟଣର ଗୋଟିଏ ସଂଳାପ ଶୁଣାଇଥିଲେ, ଯାହାକୁ ଶୁଣିବା ପରେ ପୁରା ଦର୍ଶକ ଅଭିଭୂତ ହୋଇ ଯାଇଥିଲେ । ସେ ବଲାଙ୍ଗୀର, ଓଡିଶା ଓ ସମ୍ବଲପୁରୀ ଶାଢ଼ୀ ଓ ସଂସ୍କୃତିକୁ ଖୁବ ପ୍ରଶଂସା କରିଥିଲେ । କହି ରଖୁଛୁ ସେ ବଲାଙ୍ଗୀରରେ ସମଲେଶ୍ବରୀ ମନ୍ଦିର, ପାଟଣେଶ୍ବରୀ ମନ୍ଦିର ଓ ଦୁର୍ଗା ମା’ଙ୍କ ମନ୍ଦିର ଦର୍ଶନ କରିଥିଲେ ଓ କିଛି ସମ୍ବଲପୁରୀ ଶାଢ଼ୀ କିଣିଥିଲେ । ଏହି ପରିପ୍ରେକ୍ଷୀରେ ସେବା ପାଇଁ ସୁଶ୍ରୀ ରମାଦେବୀ ଯାନୀ, ଶିକ୍ଷକତା ପାଇଁ ତ୍ରିନାଥ କୁଅଁର, ଜ୍ୟୋତିଷି ପାଇଁ ଶଶିଭୂଷଣ ଶତପଥି ଓ ସଂସ୍କୃତର ବିକାଶ ପାଇଁ କ୍ରିଷ୍ଣା ମହାକୁର (ଛାତ୍ରୀ)ଙ୍କୁ ସମ୍ମାନିତ କରାଯାଇଥିଲା ।
ସୂଚନା ଥାଉ କି ଲୋକପ୍ରିୟ ଟିଭି ଶୋ’ ରାମାୟଣରେ ସୀତା ଭୂମିକାରେ ଅଭିନୟ କରି ଘରେ ଘରେ ପରିଚିତ ହୋଇଥିଲେ ଅଭିନେତ୍ରୀ ଦୀପିକା ଚିଖଲିଆ । ଦୀପିକା ରାମାୟଣରେ କାମ କରିବା ପୂର୍ବରୁ କିଛି ଫିଲ୍ମରେ ମଧ୍ୟ କାମ କରିଥିଲେ । ଦୀପିକା ଚିଖଲିଆ ୧୯୮୩ରେ ଫିଲ୍ମ’ସୁନ୍ ମେରୀ ଲୈଲା’ ମାଧ୍ୟମରେ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ । ଏହାପରେ ସେ ଫିଲ୍ମ’ଭଗବାନ୍ ଦାଦା, ‘ଖୁଦାଇ’ ଭଳି ଅନେକ୍ ଫିଲ୍ମରେ କାମ କରି ଲୋକପ୍ରିୟ ହୋଇପାରିଥିଲେ ।
ଏଇ ଅବସରରେ ସ୍ୱାମୀ ତେଜୋମୟାନନ୍ଦ ସରସ୍ବତୀ, ପ୍ରାନ୍ତ ସଂଘ ଚାଳକ, ଓଡିଶା ପଶ୍ଚିମ, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଡ. ସନାତନ ପ୍ରଧାନ, ବଲାଙ୍ଗୀର ମ୍ୟୁନିସିପାଲିଟି ଅଧ୍ୟକ୍ଷ ଶ୍ରୀମତୀ ଲିକା ସାହୁ ପ୍ରମୁଖ ଯୋଗ ଦେଇ ଶ୍ରୀ ଗୁରୁଙ୍କ ସ୍ମୃତିଚାରଣ କରିଥିଲେ ।

