ବ୍ୟକ୍ତି ଜଣକ ଖୁବ ନିଷ୍ଠାପର । କର୍ମୀ ଓ ଧର୍ମପ୍ରବଣ । ନର ସେବାକୁ ନାରାୟଣଙ୍କ ସେବା , ମାନବସେବାକୁ ମାଧବ ସେବା, ପୁରୁଷ ସେବାକୁ ପୁରୁଷୋତ୍ତମ ସେବା, ଦୁଃଖୀଙ୍କ ସେବାକୁ ଦୁଃଖବନ୍ଧୁଙ୍କ ସେବା, ଆରତର ସେବାକୁ ଆର୍ତ୍ତତ୍ରାଣଙ୍କ ସେବା ଭାବରେ ଗ୍ରହଣ କରି ଜୀବଗଣଙ୍କ ସେବାରେ ଉତ୍ସର୍ଗୀକୃତ ଥାନ୍ତି । ଏକଦା ଈଶ୍ଵର ତାଙ୍କର ସେବା ଓ ନିଷ୍ଠାପର ସାଧନାରେ ମୁଗ୍ଧ ହୋଇ ତାଙ୍କୁ ଏକ ବିଚିତ୍ର ଶଙ୍ଖ ପ୍ରଦାନ କଲେ । ଏହାଥିଲା ଏକ କୁହୁକ ଶଙ୍ଖ । ତା ସହିତ ଗୋଟିଏ ସଂସ୍କୃତ ଶ୍ଳୋକ ତା’ଙ୍କୁ ସ୍ଵପ୍ନରେ ଜଣାଇ ଦେଲେ । ତ୍ରିବାର ଶଙ୍ଖ ବାଦନାନ୍ତେ ତ୍ରିବାର ଶ୍ଳୋକ ଗାନ କରି ଇପସିତ ବସ୍ତୁ ବା ଦ୍ରବ୍ୟ ଯାଚନା କଲେ ଆପେ ଆପେ ମିଳିଯାଏ ।
ଦିନୁ ଦିନ ତାଙ୍କର କୋଠା-ବାଡି, ଧନ-ଜନ, ଗୋପଲକ୍ଷ୍ମୀ ବୃଦ୍ଧି ହେବାରେ ଲାଗିଲା । ତାଙ୍କର ଏପରି ଅକସ୍ମାତ ଧନବୃଦ୍ଧିର କାରଣ ତାଙ୍କ ପଡ଼ୋଶୀ ଜାଣିପାରି ତାଙ୍କ ଶଙ୍ଖଟିକୁ ଚୋରେଇ ନେଲେ । କିନ୍ତୁ ଶ୍ଳୋକଟି ଜାଣିନଥିବାରୁ ତା’ର ସୁଫଳ ପ୍ରାପ୍ତ ହୋଇ ପାରିଲେ ନାହିଁ । ପରଶ୍ରୀକାତରତା ଭାବ ତାଙ୍କୁ (ପଡୋଶୀ) ଅଥୟ କରୁଥାଏ । ସେହି ପଡ଼ୋଶୀ ଏକ ସର୍ତ୍ତରେ ଶଙ୍ଖର ମାଲିକଙ୍କୁ ଶଙ୍ଖ ଫେରାଇ ଦେବାକୁ ରାଜି ହେଲେ । ତାଙ୍କ କଥାନୁସାରେ ଶଙ୍ଖ ମାଲିକ ଶଙ୍ଖ ଫୁଙ୍କି ଯାହା ମାଗିବେ ତାହାତ ପାଇବେ କିନ୍ତୁ ପଡୋଶୀ ଜଣକ ତାର ଦ୍ଵିଗୁଣ ପାଇପାରିବେ । ଏଥର ମାଲିକ ଦୁଇଟି କୋଠାଘର ପାଇଲେ ପଡ଼ୋଶୀ ୪ଟି କୋଠାଘର ପାଇବେ । ମାଲିକ ଚାରିଟି ଗାଈ ପାଇଲେ ପଡ଼ୋଶୀ ଆଠଟି ଗାଈ ପାଇବେ ।
ପଡ଼ୋଶୀ ତ ପର ଶିରୀ ଦେଖି ପାରିନଥିଲେ, ସହି ପାରି ନଥିଲେ । ଠିକ ସେମିତି ପଡ଼ୋଶୀଙ୍କ ଧନ ଜନ ଦେଖି ଶଙ୍ଖ ମାଲିକ ବି ଈର୍ଷା ପରାୟଣ ହୋଇ ଉଠିଲେ । ତାଙ୍କଠାରେ ମଧ୍ୟ ପରଶ୍ରୀକାତରତା ଭାବ ପରିଲକ୍ଷିତ ହେଲା । ସେ ପ୍ରତିଶୋଧ ପରାୟଣ ହୋଇ ଉଠିଲେ । ମୋର ଦୁଇଟି କୋଠା ଭାଙ୍ଗିଯାଉ ମାଗୁ ମାଗୁ ପଡ଼ୋଶୀଙ୍କର ଦୁଇ ଗୁଣ ଚାରିଟି କୋଠା ଭାଙ୍ଗିଗଲା । ମୋର ଗୋଟିଏ ଆଖି ନଷ୍ଟ ହୋଇଯାଉ କହିବାରୁ ପଡ଼ୋଶୀଙ୍କର ଦୁଇଟି ଆଖି ନଷ୍ଟ ହୋଇଗଲା । ମୋର ଗୋଟିଏ କୂଅ ପୋତା ପଡ଼ିଯାଉ କହିବାରୁ ପଡ଼ୋଶୀଙ୍କର ଦୁଇଟି କୂପ ପୋତା ପଡ଼ିଗଲା । ଏହିପରି ଭାବରେ ବ୍ୟକ୍ତି ଜଣକ ପଡୋଶୀଙ୍କ ଅନିଷ୍ଟ କରିବାକୁ ଚିନ୍ତା କରି ନିଜ ପାଇଁ ମଧ୍ୟ ବିପଦ ମାଗି ଚାଲିଥାନ୍ତି ।
କାହାଣୀ- ନିରଞ୍ଜନ ପତି