ନୂଆଦିଲ୍ଲୀ : ଦେଶବାସୀ ଖାଇବା ତେଲ, ପିଆଜ ଏବଂ ଚିନି ଦର ବୃଦ୍ଧି ନେଇ ଚିନ୍ତାରେ ଥିବା ବେଳେ ଆଜିଠାରୁ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡର ଦର ବଢ଼ିଛି। ଭୂରାଜନୈତିକ ଉତ୍ତେଜନା ଏବଂ ଯୋଗାଣ ଅଭାବ ମଧ୍ୟରେ ଅକ୍ଟୋବର ମାସ ଆରମ୍ଭ ହେବା ସହିତ ବାଣିଜ୍ୟିକ ଏଲପିଜି ସିଲିଣ୍ଡର ମୂଲ୍ୟ ପୁଣି ଥରେ ବୃଦ୍ଧି ପାଇଛି। ଆଜି ଠାରୁ ବାଣିଜ୍ୟିକ ଏଲପିଜି ସିଲିଣ୍ଡର ମୂଲ୍ୟ ବୃଦ୍ଧି ପାଇଛି। ବିଭିନ୍ନ ସହରରେ ୧୯ କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟ ୭୧.୫୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଏଲ୍ପିଜି ଗ୍ୟାସ୍ ଦର ବୃଦ୍ଧି ପାର୍ବଣ ଋତୁରେ ରେଷ୍ଟୁରାଣ୍ଟ, ହୋଟେଲ, କ୍ୟାଟରର ଏବଂ ବାଣିଜ୍ୟିକ ଏଲପିଜି ବ୍ୟବହାର କରୁଥିବା ଅନ୍ୟାନ୍ୟ ବ୍ୟବସାୟ ଉପରେ ଖର୍ଚ୍ଚ ବୋଝ କରିବ।
କେଉଁ ସହରରେ କେତେ ବୃଦ୍ଧି ପାଇଛି?
ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ୧୯ କିଲୋଗ୍ରାମ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ସେପ୍ଟେମ୍ବରରେ ୨,୭୪୭.୫୦ରୁ ୬୨.୫୦ ଟଙ୍କା ବୃଦ୍ଧି ପାଇ ୨,୮୧୦ ଟଙ୍କା ହୋଇଛି। ସେପ୍ଟେମ୍ବରରେ ମଧ୍ୟ ମୂଲ୍ୟ ୯.୫୦ ଟଙ୍କା ବୃଦ୍ଧି କରାଯାଇଥିଲା। ମୁମ୍ବାଇରେ ଏକ ନୂତନ ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ୨,୭୬୪ ଟଙ୍କା ହୋଇଥିବା ବେଳେ ଚେନ୍ନାଇରେ ଏହା ୨,୯୮୩ ଟଙ୍କାକୁ ବୃଦ୍ଧି ପାଇଛି।
ଘରୋଇ ସିଲିଣ୍ଡର ମୂଲ୍ୟ ଅପରିବର୍ତ୍ତିତ
ଘରୋଇ ଗ୍ରାହକଙ୍କ ପାଇଁ ଏହା ଏକ ଆଶ୍ୱସ୍ତିର କଥା ଯେ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ବର୍ତ୍ତମାନ ବୃଦ୍ଧି କରାଯାଇ ନାହିଁ। ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ଘରୋଇ ସିଲିଣ୍ଡରର ମୂଲ୍ୟ ଦିଲ୍ଲୀରେ ୯୪୨ ଟଙ୍କା, ମୁମ୍ବାଇରେ ୯୪୧.୫୦ ଟଙ୍କା ଏବଂ ଚେନ୍ନାଇରେ ୯୫୭.୫୦ ଟଙ୍କା ରହିଛି।
ମାସର ପ୍ରଥମ ତାରିଖ ଗୁରୁତ୍ୱପୂର୍ଣ୍ଣ
ସୂଚନାଯୋଗ୍ୟ, ବେଞ୍ଚମାର୍କ ଆନ୍ତର୍ଜାତୀୟ ମୂଲ୍ୟ ଏବଂ ବିଦେଶୀ ମୁଦ୍ରା ବିନିମୟ ହାର ଆଧାରରେ ଏଲପିଜି ମୂଲ୍ୟ ପ୍ରତି ମାସର ପ୍ରଥମ ତାରିଖରେ ସଂଶୋଧନ କରାଯାଉଛି। ଭାଟ୍ ଭଳି ସ୍ଥାନୀୟ କର ଉପରେ ନିର୍ଭର କରି ରାଜ୍ୟଗୁଡ଼ିକରେ ମୂଲ୍ୟ ଭିନ୍ନ ହୋଇଥାଏ।
