୨ ମାସରେ ୫ ବଡ଼ ରାଲି, ରାଷ୍ଟ୍ରପତିଙ୍କୁ ଭେଟିବେ

ଅକ୍ଟୋବର ୬ରେ ସମସ୍ତ ବିରୋଧୀ ସାଂସଦ ଦିଲ୍ଲୀରେ ଏକାଠି ହୋଇ ନିର୍ବାଚନ କମିସନଙ୍କ ମୁଖ୍ୟାଳୟ ପର୍ଯ୍ୟନ୍ତ ପଦଯାତ୍ରା କରିବେ। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି ଯେ ଭୋଟ ଚୋରି ପ୍ରସଙ୍ଗରେ ଦେଶବାସୀଙ୍କୁ ଅବଗତ କରାଇବା ପାଇଁ ଅକ୍ଟୋବର ଓ ନଭେମ୍ବରରେ ଦେଶବ୍ୟାପୀ ପାଞ୍ଚଟି ପ୍ରମୁଖ ରାଲି କରାଯିବ। ଏହି ରାଲିଗୁଡ଼ିକର ସ୍ଥାନ ଓ ସମୟ ଖୁବ୍‌ଶୀଘ୍ର ସ୍ଥିର କରାଯିବ। ଇଭିଏମ୍‌ ବଦଳରେ ବାଲଟ୍‌ ପେପର ମାଧ୍ୟମରେ ନିର୍ବାଚନ କରାଯିବାକୁ ସବୁ ଦଳ ଦାବି କରିବେ ବୋଲି ଖଡ଼ଗେ କହିଛନ୍ତି। ବୁଧବାର ଦିଲ୍ଲୀର କନ୍‌ଷ୍ଟିଚ୍ୟୁସନ କ୍ଲବ୍‌ଠାରେ ଇଣ୍ଡିମେଣ୍ଟର ସାଢ଼େ ୩ ଘଣ୍ଟାରୁ ଅଧିକ ସମୟ ଧରି ବୈଠକ ହୋଇଥିଲା। ଏଥିରେ ଖଡ଼ଗେଙ୍କ ସମେତ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ଟିଏମ୍‌ସି ମୁଖ୍ୟ ମମତା ବାନାର୍ଜୀ, ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା, ଆର୍‌ଜେଡିର ତେଜସ୍ୱୀ ଯାଦବ ଓ ଏନ୍‌ସିପି (ଏସ୍‌ପି) ସାଂସଦ ସୁପ୍ରିୟା ସୁଲେ ପ୍ରମୁଖ ସାମିଲ ହୋଇଥିଲେ। ବୈଠକ ପରେ ଇଣ୍ଡିମେଣ୍ଟ ନେତାମାନେ ମିଳିତ ଭାବେ ସାମ୍ବାଦିକ ସମ୍ମିଳନୀ କରି ମିଳିତ କାର୍ଯ୍ୟ ଯୋଜନା ବିଷୟରେ ସୂଚନା ଦେଇଥିଲେ।

ଖଡ଼ଗେ କହିଛନ୍ତି, ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ନୋଟବନ୍ଦୀ’ କଲେ ଓ ଏବେ ଲୋକଙ୍କ ଅଧିକାର ଛଡ଼ାଇ ନେଇ ‘ଭୋଟବନ୍ଦୀ’ କରିଛନ୍ତି। ଭୋଟ ଚୋରି ପ୍ରସଙ୍ଗ ରାଷ୍ଟ୍ରପତିଙ୍କ ସମ୍ମୁଖରେ ଉଠାଇବା ପାଇଁ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଅକ୍ଟୋବର ଦ୍ୱିତୀୟ ସପ୍ତାହରେ ରାଷ୍ଟ୍ରପତିଙ୍କ ଭେଟିବେ। ଏସ୍‌ଆଇଆର୍‌ ଓ ନିର୍ବାଚନୀ ଅନିୟମିତତା ମାମଲାଗୁଡ଼ିକର ଶୁଣାଣି ତ୍ୱରାନ୍ୱିତ କରିବାକୁ ସୁପ୍ରିମ୍‌କୋର୍ଟଙ୍କୁ ମଧ୍ୟ ଇଣ୍ଡିମେଣ୍ଟ ନେତାମାନେ ନିବେଦନ କରିଛନ୍ତି ବୋଲି ସେ କହିଛନ୍ତି। ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଓ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ତଥା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ମୁଖ୍ୟ ହେମନ୍ତ ସୋରେନ ଆଭାସୀ ମାଧ୍ୟମରେ ବୈଠକରେ ଯୋଗ ଦେଇଥିଲେ। ଭୋଟ ଚୋରି ପ୍ରସଙ୍ଗରେ ସମସ୍ତେ ଏକାଠି ଲଢ଼ିବେ ବୋଲି ସହମତି ହୋଇଛି। ନିର୍ବାଚନ ଆୟୋଗ କେବଳ ଏକ ମାଧ୍ୟମ ଓ ପ୍ରକୃତରେ ଭୋଟ ଚୋରି ପଛରେ ପ୍ରଧାନମନ୍ତ୍ରୀ ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହ ଅଛନ୍ତି ବୋଲି ଖଡ଼ଗେ କହିଛନ୍ତି। ରାହୁଲ ଗାନ୍ଧୀ କହିଛନ୍ତି, ମୋଦୀ, ଶାହ ଓ ସିଇସି ଜ୍ଞାନେଶ କୁମାର ଭାରତର ଗଣତାନ୍ତ୍ରିକ ଢାଞ୍ଚାକୁ ନଷ୍ଟ କରୁଛନ୍ତି। ମମତା ବାନାର୍ଜୀ ଭୋଟ ଚୋରି ଘଟଣାକୁ ନିନ୍ଦନୀୟ କହିବା ସହ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରିଛନ୍ତି। ସେ ଇସ୍ତଫା ନଦେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ମମତା କହିଛନ୍ତି।