ପାକିସ୍ତାନୀ ଗୁପ୍ତଚରଙ୍କ ହନି ଟ୍ରାପ୍ରେ ଫସି ଭାରତୀୟ ନୌସେନା ସମ୍ବନ୍ଧୀୟ ସମ୍ବେଦନଶୀଳ ତଥ୍ୟ ଶତ୍ରୁ ପକ୍ଷକୁ ପଠାଇବା ଅଭିଯୋଗରେ ଜଣେ ନୌସେନା ଯବାନଙ୍କୁ ଗିରଫ କରାଯାଇଛି। ଗିରଫ ଯବାନ ହେଲେ ୩୧ ବର୍ଷୀୟ ପ୍ରଦୀପ ମୁଖାର୍ଜୀ। ଆନ୍ଧ୍ରପ୍ରଦେଶ ପୁଲିସର କାଉଣ୍ଟର ଇଣ୍ଟେଲିଜେନ୍ସ ସେଲ୍ ତାଙ୍କୁ ତାମିଲନାଡୁର କୋଏମ୍ବାଟୋରସ୍ଥିତ ନୌସେନା ପ୍ରଶିକ୍ଷଣ କେନ୍ଦ୍ର ‘ଆଇଏନଏସ୍ ଅଗ୍ରଣୀ’ରୁ ଗିରଫ କରିଛି।
ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗର ବାସିନ୍ଦା ପ୍ରଦୀପ ୨୦୧୪ ମସିହାରେ ଭାରତୀୟ ନୌସେନାରେ ଯୋଗ ଦେଇଥିଲେ। ପରେ ତାଙ୍କୁ ବିଶାଖାପାଟଣାସ୍ଥିତ ଇଷ୍ଟର୍ଣ୍ଣ ନାଭାଲ କମାଣ୍ଡରେ ନିୟୋଜିତ କରାଯାଇଥିଲା। ଏକ ମ୍ୟାନେଜମେଣ୍ଟ ଡେଭେଲପମେଣ୍ଟ କୋର୍ସ ପାଇଁ ସେ ଗତ ସପ୍ତାହେ ହେବ କୋଏମ୍ବାଟୋରର ନୌସେନା ପ୍ରଶିକ୍ଷଣ କେନ୍ଦ୍ରରେ ରହୁଥିଲେ। ତଦନ୍ତକାରୀଙ୍କ ଅନୁଯାୟୀ, କିଛି ମାସ ପୂର୍ବେ ଜଣେ ମହିଳା ପାକିସ୍ତାନୀ ଗୁପ୍ତଚର ଅନଲାଇନ୍ ମାଧ୍ୟମରେ ପ୍ରଦୀପଙ୍କ ସହ ଯୋଗାଯୋଗ ସ୍ଥାପନ କରିଥିଲେ। ଧୀରେ ଧୀରେ ତାଙ୍କ ସହ ସମ୍ପର୍କ ବଢ଼ାଇ ପ୍ରଦୀପଙ୍କଠାରୁ ନୌସେନା ସମ୍ବନ୍ଧୀୟ ସମ୍ବେଦନଶୀଳ ତଥ୍ୟ ହାସଲ କରାଯାଇଥିବା ଅଭିଯୋଗ ହୋଇଛି।
ବିଶେଷ କରି ବିଶାଖାପାଟଣା ନୌସେନା ଘାଟିର କାର୍ଯ୍ୟଶୈଳୀ, ସାମରିକ ପ୍ରସ୍ତୁତି, ନୌସେନା ଜାହାଜର ଯାତାୟାତ ଏବଂ ଅନ୍ୟାନ୍ୟ ସୁରକ୍ଷା ସମ୍ବନ୍ଧୀୟ ତଥ୍ୟ ପ୍ରଦୀପ ଶତ୍ରୁ ପକ୍ଷକୁ ପଠାଇଥିବା ତଦନ୍ତକାରୀମାନେ ଅଭିଯୋଗ କରିଛନ୍ତି। ପ୍ରଦୀପଙ୍କ ଡିଜିଟାଲ୍ କାର୍ଯ୍ୟକଳାପ ଉପରେ ନଜର ରଖିବା ବେଳେ ସିଆଇ ସେଲ୍ କିଛି ସନ୍ଦେହଜନକ ତଥ୍ୟ ପାଇଥିଲା। ଏହାପରେ ତାଙ୍କ ଉପରେ ନଜରଦାରି ବଢ଼ାଯାଇଥିଲା। ତଦନ୍ତକାରୀ ଦଳକୁ ଆବଶ୍ୟକ ପ୍ରମାଣ ମିଳିବା ପରେ ଶନିବାର ତାଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି।
ଏହି ଘଟଣା ପୁଣିଥରେ ଅନଲାଇନ୍ ହନି ଟ୍ରାପ୍ ମାଧ୍ୟମରେ ଭାରତୀୟ ସୁରକ୍ଷା ବ୍ୟବସ୍ଥାରୁ ସମ୍ବେଦନଶୀଳ ତଥ୍ୟ ହାସଲ କରିବାକୁ ଶତ୍ରୁ ଦେଶର ଗୁପ୍ତଚର ସଂସ୍ଥାଗୁଡ଼ିକର ଉଦ୍ୟମକୁ ସାମ୍ନାକୁ ଆଣିଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି
