ଗୋଟିଏ ଚେୟାରରେ ଘଣ୍ଟା ଘଣ୍ଟା ବସି କାମ କରିବା ଦ୍ବାରା ମେରୁଦଣ୍ଡ ଉପରେ ସବୁଠାରୁ ଅଧିକ ପ୍ରଭାବ ପଡିଥାଏ । ବର୍ତ୍ତମାନ ସମୟରେ ଲୋକଙ୍କର ପିଠି ଓ କମର ଯନ୍ତ୍ରଣା ବହୁମାତ୍ରାରେ ଦେଖିବାକୁ ମିଳୁଛି । ଦୀର୍ଘ ସମୟ ଧରି ବସି ରହିବା ଯୋଗୁଁ ମେରୁଦଣ୍ଡରେ ଉପରେ କୁ-ପ୍ରଭାବ ମଧ୍ୟ ପଡୁଛି । ଏଥିପାଇଁ କେବଳ କମର ଏବଂ ପିଠିରେ ଯନ୍ତ୍ରଣା ହୁଏ ନାହିଁ ବରଂ ବେକ ଏବଂ ମାଂସପେଶୀରେ ମଧ୍ୟ ଯନ୍ତ୍ରଣା ହୋଇଥାଏ । ଆପଣମାନେ ନିଶ୍ଚିତ ଭାବରେ ଜାଣିଥିବେ ଯେ ଏହି ସମସ୍ୟା ହେଲେ ଗୋଟିଏ ମଣିଷ ନିଜର ଦୈନନ୍ଦିନ କାର୍ଯ୍ୟ ଠିକ୍ ଭାବରେ କରିପାରେ ନାହିଁ । ଏଥିସହ ଅନେକ ସମୟରେ ସକାଳେ ବିଛଣାରୁ ଉଠିବା ମାତ୍ରେ ପ୍ରବଳ ଯନ୍ତ୍ରଣା ହୁଏ । ଆପଣଙ୍କୁ କହିରଖୁଛୁ ଯେ ମେରୁଦଣ୍ଡ ସିଧାସଳଖ ମସ୍ତିଷ୍କ ସହିତ ସଂଯୁକ୍ତ । ତେଣୁ ଏହାକୁ ହାଲୁକା ଭାବରେ ନେବା ଉଚିତ୍ ନୁହେଁ । କାରଣ ପିଠି ଯନ୍ତ୍ରଣା ଶାରୀରିକ ଏବଂ ମାନସିକ ସମସ୍ୟା ସୃଷ୍ଟି ହୋଇପାରେ । ଯଦି ଆପଣଙ୍କର ଏହି ସମସ୍ୟା ହେଉଛି, ତେବେ ଆସନ୍ତୁ ଜାଣିବା କିଛି ଘରୋଇ ଉପଚାର ବିଷୟରେ ।
କ୍ୟାଲସିୟମ ଯୁକ୍ତ ଖାଦ୍ୟ ଖାଆନ୍ତୁ : ଆପଣଙ୍କ ଖାଦ୍ୟରେ ଯଥା ସମ୍ଭବ କ୍ୟାଲସିୟମ ଯୁକ୍ତ ଖାଦ୍ୟ ସାମିଲ କରନ୍ତୁ । କ୍ୟାଲସିୟମ ଅଭାବ ଦୂର କରିବା ପାଇଁ କ୍ଷୀର, ଦହୀ, ପନିର୍ ଭଳି ଦୁଗ୍ଧଜାତ ଦ୍ରବ୍ୟ ସାମିଲ୍ କରନ୍ତୁ । କ୍ଷୀରରେ କ୍ୟାଲସିୟମ ଭରପୂର ମାତ୍ରାରେ ଥାଏ, ଯାହା ହାଡ଼ ଏବଂ ମାଂସପେଶୀକୁ ମଜବୁତ୍ କରିବାରେ ସାହାଯ୍ୟ କରେ । ଏହା କମର ଯନ୍ତ୍ରଣା, ପିଠି ଯନ୍ତ୍ରଣା ଏବଂ ମେରୁଦଣ୍ଡ ଯନ୍ତ୍ରଣାରୁ ମଧ୍ୟ ମୁକ୍ତି ଦିଏ । ଏଥି ସହିତ ଆପଣ କ୍ଷୀରରେ ମହୁ ମିଶାଇ ମଧ୍ୟ ପିଇପାରିବେ ।
ମେଥି ସେବନ କରନ୍ତୁ : ପିଠି ଯନ୍ତ୍ରଣା ପାଇଁ ମେଥି ସେବନ କରନ୍ତୁ । ମେଥିରେ ଭିଟାମିନ୍ ଏ, ଭିଟାମିନ୍ ସି, ପୋଟାସିୟମ, କ୍ୟାଲସିୟମ ଏବଂ ମ୍ୟାଗ୍ନେସିୟମ ଭରପୂର ପରିମାଣରେ ଥାଏ । ଏଥି ସହ ମେଥିରେ ଭଲ ପରିମାଣର ଫାଇବର ମିଳିଥାଏ । ଯଦି ଆପଣ ପିଠି କିମ୍ବା ମାଂସପେଶୀ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି, ତେବେ ଆପଣ ରାତିରେ ଗୋଟିଏ ଗ୍ଲାସ୍ ପାଣିରେ ୧ ଚାମଚ ମେଥି ଭିଜାଇ ରଖନ୍ତୁ । ସକାଳେ ଏହି ପାଣିକୁ ଉଷୁମ କରି ପିଅନ୍ତୁ । ଏହା ସହିତ ଯଦି ଆପଣ ଚାହିଁବେ ତେବେ ମେଥିକୁ ଚୋବାଇ ଖାଇପାରିବେ । ଏହା ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ ।
ଭିଟାମିନ୍ ସି’ ଯୁକ୍ତ ଖାଦ୍ୟ ଖାଆନ୍ତୁ : ମେରୁଦଣ୍ଡ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ, ଆପଣଙ୍କ ଖାଦ୍ୟରେ ଭିଟାମିନ୍ ସି’ ଯୁକ୍ତ ଖାଦ୍ୟ ସାମିଲ୍ କରନ୍ତୁ । ଭିଟାମିନ୍ ସି’ ପାଇଁ ଆପଣଙ୍କ ଖାଦ୍ୟରେ କମଳା, ଲେମ୍ବୁ, ଟମାଟୋ, ସେଓ, ଅଙ୍ଗୁର ଏବଂ କଦଳୀ ପରି ଖାଦ୍ୟକୁ ସାମିଲ କରନ୍ତୁ । ଏହା ବ୍ୟତୀତ କ୍ଷୀର, ସବୁଜ ଧନିଆ, ପାଳଙ୍ଗ, ମୂଳା ପତ୍ର ଶଲଗମ ଏବଂ ପୁଦିନା ଖାଆନ୍ତୁ ।
ପ୍ରଚୁର ମାତ୍ରାରେ ପାଣି ପିଅନ୍ତୁ : ଶରୀରରେ ୟୁରିକ୍ ଏସିଡ୍ ଅଧିକ ହେବା ମଧ୍ୟ ମେରୁଦଣ୍ଡ ଯନ୍ତ୍ରଣା ଅନୁଭବ କରିବା ଏକ ପ୍ରମୁଖ କାରଣ ହୋଇପାରେ । ତେଣୁ ୟୁରିକ୍ ଏସିଡ୍ ନିୟନ୍ତ୍ରଣରେ ରଖନ୍ତୁ । ୟୁରିକ୍ ଏସିଡ୍ ବଢୁଥିବା ଯୋଗୁଁ ମେରୁଦଣ୍ଡ ଯନ୍ତ୍ରଣା ସମସ୍ୟା ଉପୁଜିଥାଏ । ଏଥିପାଇଁ ଆପଣଙ୍କୁ ପ୍ରଚୁର ମାତ୍ରାରେ ପାଣି ପିଇବାକୁ ପଡିବ । ମେରୁଦଣ୍ଡ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଚାହୁଁଥିଲେ ଦିନସାରା ୧୦-୧୨ ଗ୍ଲାସ୍ ପାଣି ପିଇବା ନିହାତି ଆବଶ୍ୟକ ।
ସୋରିଷ ତେଲରେ ରସୁଣ ମିଶାଇ ମାଲିସ୍ କରନ୍ତୁ : ଯଦି ଆପଣଙ୍କର ଆଣ୍ଠୁଗଣ୍ଠୀ ସମସ୍ୟା କିମ୍ବା ପିଠି ଯନ୍ତ୍ରଣା ହେଉଛି ଏବଂ ଛାଡୁନାହିଁ, ତେବେ ଆପଣ ସୋରିଷ ତେଲରେ କିଛି ରସୁଣ ପକାନ୍ତୁ ଏବଂ ଏହାକୁ ଫୁଟାଇ ଦିଅନ୍ତୁ । ଏହାପରେ ଏହି ତେଲକୁ କିଛି ସମୟ ରଖି ଥଣ୍ଡା ହେଲା ପରେ ମାଲିସ୍ କରନ୍ତୁ । ଏହାକୁ ନିୟମିତ ଭାବରେ କରିବା ଫଳରେ ଆପଣଙ୍କର ହେଉଥିବା ସମସ୍ୟା ଖୁବ୍ ଶୀଘ୍ର ଦୂର ହେବାକୁ ଲାଗିବ ।