ଭୁବନେଶ୍ବର : ପୌର ନିର୍ବାଚନ ପାଇଁ ବାଟ ଖୋଲୁଛି । ୩୫ ପୌରାଧ୍ୟକ୍ଷ ପଦ ପାଇଁ ସଂରକ୍ଷଣ ତାଲିକା ଚିଠା ବିଜ୍ଞପ୍ତି । ସରକାର ନୂଆ କରି ଘୋଷଣା ହୋଇଥିବା ପୌରାଞ୍ଚଳ ଓ ଦୀର୍ଘଦିନ ଧରି ନିର୍ବାଚନ ବନ୍ଦ ରହିଥିବା ମହାନଗର ନିଗମ ପାଇଁ ଚିଠା ସଂରକ୍ଷଣ ବିଜ୍ଞପ୍ତି ଜାରି କରିଛନ୍ତି । ରାଜ୍ୟର ୩୫ଟି ପୌର ସଂସ୍ଥା ଓ ଏନ୍ ଏସିର ପୌରାଧ୍ୟକ୍ଷ ପଦ ପାଇଁ ସଂରକ୍ଷଣ ନିର୍ଦ୍ଧାରଣ ସମ୍ପର୍କିତ ଚିଠା ବିଜ୍ଞପ୍ତି ପ୍ରକାଶ ପାଇଛି । ଓଡ଼ିଶା ପୌର ଆଇନ, ୧୯୫୦ ଓ ଓଡ଼ିଶା ପୌର (ୱାର୍ଡ ସୀମା ନିର୍ଦ୍ଧାରଣ, ଆସନ ସଂରକ୍ଷଣ ଓ ନିର୍ବାଚନ ପରିଚାଳନା) ନିୟମାବଳୀ, ୧୯୯୪ ଅନୁଯାୟୀ ଏହି ଚିଠା ପ୍ରସ୍ତୁତ କରାଯାଇଛି । ବିଜ୍ଞପ୍ତି ପ୍ରକାଶ ପାଇବା ପରେ ୧୫ ଦିନ ମଧ୍ୟରେ ଜନସାଧାରଣ ନିଜର ଆପତ୍ତି କିମ୍ବା ପରାମର୍ଶ ଦେଇପାରିବେ । ପୌରାଞ୍ଚଳ ଚିଠା ତାଲିକା ଅନୁଯାୟୀ, ପାତ୍ରପୁର, ସାଲେପୁର, ବିଷମକଟକ, ଜଗନ୍ନାଥପ୍ରସାଦ, ତିହିଡ଼ି, ସୋହେଲା, ବୀରମହାରାଜପୁର, ନରସିଂହପୁର, ନର୍ଲା, ସିମୁଳିଆ ଓ ବଡ଼ମ୍ବା ଅନୁସୂଚିତ ଜାତି(ମହିଳା)ଙ୍କ ପାଇଁ ସଂରକ୍ଷିତ ପ୍ରସ୍ତାବ ରହିଛି ।
ସେହିପରି ଲୋଇସିଂହା, ଧୁଷୂରୀ, ପାଳଲହଡ଼ା, ଯଶୀପୁର, ବସ୍ତା, ଟାଙ୍ଗୀ ଓ ଛତ୍ରପୁର ଅନୁସୂଚିତ ଜାତି, ଚିତ୍ରଡ଼ା, ବାଙ୍ଗିରିପୋଷି, କପ୍ତିପଦା, ବେତନଟୀ, ବାମରା, ରେଙ୍ଗାଳି, ବୋରିଗୁମ୍ମା ଅନୁସୂଚିତ ଜନଜାତି (ମହିଳା), ରାସଗୋବିନ୍ଦପୁର, ଗଁଦିଆ, ଜୟପାଟଣା, ଚଣ୍ଡିଖୋଲକୁ ଅନୁସୂଚିତ ଜନଜାତି, ବୌଦ୍ଧଗଡ଼, ଆସିକା, ଭଞ୍ଜନଗର, କବିସୂର୍ଯ୍ୟନଗରକୁ ମହିଳା ଓ ପୋଲସରା ଓ ଓଡ଼ଗାଁ ଅଣସଂରକ୍ଷିତ ବର୍ଗ ପାଇଁ ପ୍ରସ୍ତାବିତ ହୋଇଛି । ସେହିପରି ସମ୍ବଲପୁର ଓ ପୁରୀ ମହାନଗର ନିଗମର ମେୟର ପଦ ପାଇଁ ମଧ୍ୟ ଚିଠା ପ୍ରସ୍ତାବ ପ୍ରକାଶ ପାଇଛି ।
ଏଥିରେ ସମ୍ବଲପୁର ଅଣସଂରକ୍ଷିତ ଓ ପୁରୀ ଅନୁସୂଚିତ ଜାତି(ମହିଳା) ବର୍ଗ ପାଇଁ ପ୍ରସ୍ତାବ ରଖାଯାଇଛି । ତେବେ ରାଉରକେଲା ମହାନଗର ପାଇଁ କୌଣସି ବିଜ୍ଞପ୍ତି ଜାରି ହୋଇନାହିଁ । ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ପୌର ପ୍ରଶାସନ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ଏହି ଆପତ୍ତି ଓ ପରାମର୍ଶ ଦାଖଲ କରାଯାଇପାରିବ । ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ମିଳୁଥିବା ସମସ୍ତ ମତାମତକୁ ରାଜ୍ୟ ସରକାର ବିଚାରକୁ ନେବେ । ଆପତ୍ତି ଓ ପରାମର୍ଶର ବିଚାର ପରେ ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ କରାଯିବ । ସେପର୍ଯ୍ୟନ୍ତ ଏହି ତାଲିକାକୁ ଚିଠା ବିଜ୍ଞପ୍ତିଭାବେ ଗ୍ରହଣ କରାଯିବ ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି ।
