Friday, August 7, 2026
23.9 C
Odisha

    ଏଏସଓ ନିଯୁକ୍ତି ପରୀକ୍ଷା-୨୦୨୫ର ପ୍ରଶ୍ନପତ୍ର ପ୍ରଘଟ ଓ ଦୁର୍ନୀତି ମାମଲା, ୧୪ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ

    ଆଗକୁ ପଢନ୍ତୁ

    ଭୁବନେଶ୍ବର  : ଏଏସଓ ନିଯୁକ୍ତି ପରୀକ୍ଷା-୨୦୨୫ର ପ୍ରଶ୍ନପତ୍ର ପ୍ରଘଟ ଓ ଦୁର୍ନୀତି ମାମଲାରେ ସଂପୃକ୍ତ ସମସ୍ତ ୧୪ ଜଣ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ । ଜାମିନ ଆବେଦନ ଖାରଜ କରିଛନ୍ତି ଓଡ଼ିଶା ହାଇକୋର୍ଟ । ବିଚାରପତି ଜଷ୍ଟିସ୍ ଗୌରୀଶଙ୍କର ଶତପଥୀ ଏହି ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି ଅଭିଯୁକ୍ତଙ୍କୁ ଜାମିନ ଦେବାକୁ ମନା କରିଦେଇଛନ୍ତି । ଅଦାଲତ କହିଛନ୍ତି ‘ଏଭଳି ପ୍ରଶ୍ନପତ୍ର ପ୍ରଘଟ ମାମଲା କେବଳ ସାଧାରଣ ଅପରାଧ ନୁହେଁ, ବରଂ ଏହା ସମାଜର ଆର୍ଥିକ-ସାମାଜିକ ସ୍ଥିତି ଏବଂ ଯୋଗ୍ୟତା ଉପରେ ସିଧାସଳଖ ଆକ୍ରମଣ । ଏହା ଲକ୍ଷ ଲକ୍ଷ ପରିଶ୍ରମୀ ଯୁବକଯୁବତୀଙ୍କ ବିଶ୍ୱାସ ଭାଙ୍ଗିବା ସହ ସେମାନଙ୍କ ଜୀବିକା ଛଡ଼ାଇ ନେଇଥାଏ । କେବଳ ଦୀର୍ଘ ଦିନ ଜେଲ୍ ରେ ରହିବା ଜାମିନ ପାଇବାର ଆଧାର ହୋଇପାରିବ ନାହିଁ।

    ହାଇକୋର୍ଟ ସମସ୍ତ ଦିଗ ଏବଂ ଅଭିଯୁକ୍ତମାନଙ୍କ ବିରୋଧରେ ଥିବା ବଳିଷ୍ଠ ପ୍ରମାଣକୁ ଭିତ୍ତି କରି ଜାମିନ ପ୍ରଦାନ କରିବାକୁ ସଫା ମନା କରିଦେଇଛନ୍ତି । ହାଇକୋର୍ଟରେ ୧୪୭ଟି ଏଏସଓ ପଦ ପାଇଁ ପ୍ରକାଶିତ ବିଜ୍ଞାପନ ଆଧାରରେ ପରୀକ୍ଷା ପରିଚାଳନା ଦାୟିତ୍ୱ ‘ସିଲିକନ୍ ଟେକ୍ ଲାବ୍ ପ୍ରାଇଭେଟ୍ ଲିମିଟେଡ୍’ ନାମକ ଏକ ସଂସ୍ଥାକୁ ଦିଆଯାଇଥିଲା । ମାତ୍ର ପ୍ରଶ୍ନପତ୍ର ପ୍ରଘଟ ଏବଂ ମଡେଲ୍ ଉତ୍ତର ସିଟ୍ ଅସାଧୁ ଉପାୟରେ ପରୀକ୍ଷାର୍ଥୀଙ୍କୁ ଯୋଗାଇ ଦିଆଯାଇଥିବା ଅଭିଯୋଗ ସାମ୍ନାକୁ ଆସିବା ପରେ ମୁଖ୍ୟ ଲିଖିତ ପରୀକ୍ଷାକୁ ବାତିଲ କରିଦିଆଯାଇଥିଲା । ଅଭିଯୁକ୍ତମାନେ ଦଲାଲ୍ ଜରିଆରେ ପରୀକ୍ଷାର୍ଥୀଙ୍କଠାରୁ ୨ ରୁ ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅଗ୍ରୀମ ଆଦାୟ କରିବା ସହ ସେମାନଙ୍କର ଅସଲି ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ରକୁ ବନ୍ଧକ ଭାବେ ରଖୁଥିବା ଅଭିଯୋଗ ରହିଛି ।

    ଭୁବନେଶ୍ୱର, କଟକ ଏବଂ ବ୍ରହ୍ମପୁର ଭଳି ସ୍ଥାନରେ ଗୁପ୍ତ କୋଚିଂ ସେଣ୍ଟର ଖୋଲି ପରୀକ୍ଷାର୍ଥୀମାନଙ୍କୁ ପ୍ରଶ୍ନପତ୍ର ସହ ହାତଲେଖା ମଡେଲ୍ ଉତ୍ତର ପ୍ରଦାନ କରାଯାଇ ମୁଖସ୍ଥ କରାଯାଉଥିଲା, ଯାହା ପରୀକ୍ଷା ଖାତାର ସମାନ ଉତ୍ତରରୁ ସ୍ପଷ୍ଟ ହୋଇଛି । ସଂସ୍ଥାର ପ୍ରୋଜେକ୍ଟ ମୁଖ୍ୟ ଶ୍ରୀଧର ମନ୍ତ୍ରୀ ନିଜ ଲାପଟପ୍ କୁ ଫର୍ମାଟ୍ କରି ଡିଜିଟାଲ୍ ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରିଥିବା ନେଇ ତଦନ୍ତରୁ ଜଣାପଡ଼ିଛି । ଅନ୍ୟପକ୍ଷରେ ଏହି ରାକେଟ୍ କେବଳ ଏଏସଓ ପରୀକ୍ଷାରେ ସୀମିତ ନଥିଲା । ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ନାୟକ, ଶଙ୍କର ପୃଷ୍ଟି, ତାଫିମ ଅହମ୍ମଦ ଖାନ, ଲୋକନାଥ ସାହୁ ଏବଂ ଇପିଲି ସୀତାରାମ ପୂର୍ବରୁ ଓଡ଼ିଶା ପୋଲିସ ଏସଆଇ ନିଯୁକ୍ତି ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ସଂପୃକ୍ତ ଥିବା ଅଭିଯୋଗ ରହିଛି । ସେହିଭଳି ଅନ୍ୟତମ ଅଭିଯୁକ୍ତ ରାମଜୀ ପ୍ରସାଦ ଗୁପ୍ତା ଓଟିଇଟି ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଜଡ଼ିତ ଥିବା ଅଭିଯୋଗ ରହିଛି ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.9 ° C
    23.9 °
    23.9 °
    93 %
    1.4kmh
    100 %
    Fri
    24 °
    Sat
    28 °
    Sun
    30 °
    Mon
    27 °
    Tue
    31 °

    ସମ୍ବନ୍ଧିତ