ପ୍ଲାଷ୍ଟିକ୍ ବୋତଲରୁ ପାଣି ପିଇବାର ଅଭ୍ୟାସ ଦେଖିବାକୁ ହୁଏ ସାଧାରଣ ମନେହୁଏ, କିନ୍ତୁ ଏହାର ପ୍ରଭାବ ବହୁତ ବଡ଼ । ଦୈନନ୍ଦିନ ବ୍ୟସ୍ତତାରେ ଆମେ ରାସ୍ତାରେ ପ୍ଲାଷ୍ଟିକ୍ ପାଣି ବୋତଲ କିଣିଥାଉ କିମ୍ବା ପୁରୁଣା ବୋତଲକୁ ଧୋଇ ବାରମ୍ବାର ବ୍ୟବହାର କରିଥାଉ । ଯଦି ଆପଣ ମଧ୍ୟ ସମାନ କାମ କରୁଛନ୍ତି, ତେବେ ବର୍ତ୍ତମାନ ଏହାକୁ ବନ୍ଦ କରିବାର ସମୟ ଆସିଛି ।
ଏହି ବୋତଲଗୁଡ଼ିକ ସାଧାରଣ ମନେହୁଏ କିନ୍ତୁ ସେଥିରେ ଲୁଚି ରହିଥିବା ବିପଦ ଆମର ସ୍ୱାସ୍ଥ୍ୟ ଏବଂ ପରିବେଶକୁ ଅନେକ କ୍ଷତି ପହଞ୍ଚାଇଥାଏ । ସବୁଠାରୁ ଚିନ୍ତାର ବିଷୟ ହେଉଛି ଏହି ବୋତଲରୁ ଆମ ପାନୀୟ ଜଳରେ ମାଇକ୍ରୋପ୍ଲାଷ୍ଟିକ୍ ପହଞ୍ଚେ । ମାଇକ୍ରୋପ୍ଲାଷ୍ଟିକ୍ ହେଉଛି ବହୁତ ଛୋଟ ପ୍ଲାଷ୍ଟିକ୍ କଣିକା, ଯାହା ୫ ମିମିରୁ ବି ଛୋଟ । ଆଜିର ସମୟରେ କେବଳ ପ୍ଲାଷ୍ଟିକ ବୋତଲ ନୁହେଁ ସମୁଦ୍ର, ନଦୀ, ହ୍ରଦ ଏବଂ ବାୟୁ ମଧ୍ୟ ମାଇକ୍ରୋପ୍ଲାଷ୍ଟିକରେ ପରିପୂର୍ଣ୍ଣ ।
ମାଇକ୍ରୋପ୍ଲାଷ୍ଟିକ୍ ଶରୀରକୁ କିପରି ପ୍ରଭାବିତ କରେ?
ଯେତେବେଳେ ଆମେ ଏକ ପ୍ଲାଷ୍ଟିକ୍ ବୋତଲରୁ ପାଣି ପିଇଥାଉ, ଆମେ ଅଜାଣତରେ ଏହି ମାଇକ୍ରୋସ୍କୋପିକ୍ କଣିକା ମଧ୍ୟ ଗ୍ରହଣ କରିଥାଉ । ଅନେକ ଆନ୍ତର୍ଜାତୀୟ ଅଧ୍ୟୟନରେ ବୋତଲରେ ମାଇକ୍ରୋପ୍ଲାଷ୍ଟିକ୍ ଦେଖିବାକୁ ମିଳିଛି, ଯାହା ଲୋକଙ୍କର ସ୍ୱାସ୍ଥ୍ୟକୁ ନେଇ ଗୁରୁତର ଚିନ୍ତା ସୃଷ୍ଟି କରିଛି । ପ୍ଲାଷ୍ଟିକ୍ ସହ ଜଡିତ କିଛି ରାସାୟନିକ ପଦାର୍ଥ ଶରୀରରେ ପ୍ରବେଶ କରିପାରେ ଏବଂ ଅଧିକ କ୍ଷତି ଘଟାଇପାରେ, ଯେପରିକି ହରମୋନ୍ ଅସନ୍ତୁଳନ, ମେଦବହୁଳତା, ଇନସୁଲିନ୍ ପ୍ରତିରୋଧ, ପ୍ରଜନନ କ୍ଷମତା ଉପରେ ପ୍ରଭାବ ଏବଂ କେତେକ କ୍ଷେତ୍ରରେ କ୍ୟାନ୍ସର ମଧ୍ୟ ହୋଇପାରେ । ତେଣୁ ଯଦି ଆପଣ ବି ପୁରୁଣା ପ୍ଲାଷ୍ଟିକ ବୋତଲରେ ପାଣି ପିଉଛନ୍ତି ତେବେ ହୋଇଯାଆନ୍ତୁ ସାବଧାନ ନଚେତ ସ୍ୱାସ୍ଥ୍ୟ ଉପରେ ପଡିପାରେ ଅନେକ କୁପ୍ରଭାବ ।
କ’ଣ କରିପାରିବା?
ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲ୍ଥ (ଏନଆଇଏଚ) ଏ ସମ୍ପର୍କରେ ଏକ ରିପୋର୍ଟ ଜାରି କରିଛି। ତେବେ ଆସନ୍ତୁ ଜାଣିବା ଏହାକୁ ଏଡାଇବା ପାଇଁ ଆପଣ କ’ଣ କରିପାରିବେ । ସର୍ବପ୍ରଥମେ, ପ୍ଲାଷ୍ଟିକ୍ ବୋତଲକୁ ଛାଡି ଷ୍ଟିଲ୍, କିମ୍ବା କାଚ ବୋତଲ ବ୍ୟବହାର କରନ୍ତୁ । ଦ୍ୱିତୀୟତଃ, ଏକ ୱାଟର ଫିଲ୍ଟରେସନ୍ ସିଷ୍ଟମ୍ ବ୍ୟବହାର କରନ୍ତୁ ଯାହା ଜଳରେ ପ୍ରଦୂଷକକୁ ହ୍ରାସ କରିପାରିବ, ବିଶେଷକରି ମାଇକ୍ରୋପ୍ଲାଷ୍ଟିକ୍ । ମାଇକ୍ରୋପ୍ଲାଷ୍ଟିକ୍ କେବଳ ଯେ ସ୍ୱାସ୍ଥ୍ୟ ପାଇଁ ତା’ ନୁହେଁ ଏହି ବୋତଲ ସାମୁଦ୍ରିକ ଜୀବ, ନଦୀ ଏବଂ ସମଗ୍ର ଇକୋସିଷ୍ଟମକୁ କ୍ଷତି ପହଞ୍ଚାଇଥାଏ ଏବଂ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ସମସ୍ୟାକୁ ଆହୁରି ବଢାଇଥାଏ ।

