Sunday, October 4, 2026
28.6 C
Odisha

    ପ୍ରକୃତ ଶିକ୍ଷା

    ଆଗକୁ ପଢନ୍ତୁ

     

    ଗୁରୁଙ୍କ ପାଖରେ ରହି ପାଞ୍ଚଜଣ ଶିଷ୍ୟ ବିଦ୍ୟା ଅଧ୍ୟୟନ କରୁଥିଲେ । ପ୍ରାରମ୍ଭିକ ବିଦ୍ୟା ସମାପ୍ତ ହେଲା । ଗୁରୁଙ୍କ ଆଶ୍ରମରୁ ବିଦାୟ ନେବାର ସମୟ ଉପଗତ । ବିଦ୍ୟା ସମାପ୍ତ ପରେ ଗୁରୁଙ୍କୁ ଦକ୍ଷିଣା ଦେଇ ବିଦାୟ ନେବାର ବିଧି ପ୍ରଚଳିତ ଥିଲା । ଶିଷ୍ୟମାନେ ଗୁରୁଙ୍କୁ କି’ ଦକ୍ଷିଣା ଦେବେ ସେଥିନେଇ ବ୍ୟସ୍ତ ହୋଇପଡିଲେ । ଗୁରୁଙ୍କୁ ତାଙ୍କ ପସନ୍ଦର ଦକ୍ଷିଣା ନଦେଲେ ସେ କ୍ଷୁବ୍ଧ ହେବେ । ତା’ପରେ ସେହି ବିଦ୍ଵାନ ଗୁରୁଙ୍କର ସୁନା,ରୂପା,ଅର୍ଥ ଆଦି ଭୋଗଲାଳସା ନଥିଲା । ଏବେ ଶିଷ୍ୟମାନେ ପରସ୍ପର ମଧ୍ୟରେ କଥା ହେଲେ ଯେ ଏ ବିଷୟରେ ଗୁରୁଙ୍କୁ ପଚାରିବେ । ଗୁରୁ ଯାହା କହିବେ ତାହା ହିଁ ଦକ୍ଷିଣା ସ୍ୱରୂପ ଭେଟି ଦିଆଯିବ । ତାଙ୍କ ପ୍ରଶ୍ନରେ ଗୁରୁ କହିଲେ,”ମୋର ଯାହା ଅଛି ବା ତୁମମାନଙ୍କ ଠାରୁ ଯାହା ଏଯାଏଁ ପାଇଛି ସେଥିରେ ମୁଁ ଖୁବ ସନ୍ତୁଷ୍ଟ । ଏବେ ତୁମର ବିଦ୍ୟା ସମାପ୍ତ ହୋଇଛି କି ନାହିଁ, ତୁମେ ଉପଯୁକ୍ତ ଶିକ୍ଷା ଗ୍ରହଣ କରିପାରିଛ କି ନାହିଁ ତାହା ପ୍ରଥମେ ପରୀକ୍ଷା କରିବାକୁ ପଡିବ । ତେଣୁ ତୁମେ ଯାଅ । ଏକ ସପ୍ତାହ ମଧ୍ୟରେ ତୁମର ଦୁଇଜଣ ଅତ୍ୟନ୍ତ ଉପକାରୀ ବ୍ୟକ୍ତିଙ୍କୁ ଆଣି ମୋ ସହିତ ସାକ୍ଷାତ କରାଇବ ।“

    ପାଞ୍ଚଜଣଯାକ ଶିଷ୍ୟ ଗୁରୁଙ୍କ କଥା ମାନି ବିଦାୟ ନେଲେ । ସପ୍ତାହକ ମଧ୍ୟରେ ଚାରିଜଣ ଶିଷ୍ୟ ଗୁରୁଙ୍କ ପାଖରେ ପହଁଚିଲେ । ଜଣେ ନିଜ ବାପା ମାଆ, ଦ୍ଵିତୀୟ ଜଣକ ନିଜ ଭାଇ ଭଉଣୀ, ତୃତୀୟ ଜଣକ ନିଜ ଅଜା ଆଈ ଓ ଚତୁର୍ଥ ଜଣକ ନିଜର ଦୁଇ ଅନ୍ତରଙ୍ଗ ସାଙ୍ଗଙ୍କୁ ଆଣି ଗୁରୁଙ୍କୁ ସାକ୍ଷାତ କରାଇ ପରିଚୟ ଦେଲେ । ସବା ଶେଷରେ ପଞ୍ଚମ ଶିଷ୍ୟ ଜଣକ କେବଳ ଏକା ଏକା ଫେରିଆସି ଗୁରୁଙ୍କ ପାଖରେ ପହଞ୍ଚିଲା । ଗୁରୁ ପ୍ରଶ୍ନ କଲେ,”ତୁମର କଣ କେହି ଅତ୍ୟନ୍ତ ଉପକାରୀ ବ୍ୟକ୍ତି ନାହାନ୍ତି? ତୁମେ କଣ ଏକା ଆସିଛ?” ପଞ୍ଚମ ଶିଷ୍ୟଟି ନମ୍ର ସ୍ଵରରେ ଉତ୍ତର ଦେଲା,”ଆଜ୍ଞା ସ୍ଥୂଳ ଦୃଷ୍ଟିରେ ଦେଖିବାକୁ ଗଲେ ବାପା, ମାଆ, ଭାଇ, ଭଉଣୀ, ଅଜା, ଆଈ, ସାଙ୍ଗସାଥି ନିଶ୍ଚିତ ଭାବେ ଉପକାରୀ । କିନ୍ତୁ ଆପଣଙ୍କଠାରୁ ଅଧୀନ ଏଇ ଶିକ୍ଷାପ୍ରାପ୍ତ ହୋଇଛି ଯେ ସମସ୍ତ କ୍ଷେତ୍ରରେ କେବଳ ସ୍ଥୂଳ ଦୃଷ୍ଟିରେ ନୁହେଁ, ସୂକ୍ଷ୍ମ ଦୃଷ୍ଟିରେ ବିଚାର କରିବାକୁ ହୁଏ । ତେଣୁ ମୁଁ ସୂକ୍ଷ୍ମ ଦୃଷ୍ଟିକୋଣରୁ ବିଚାର କରି ଦେଖିଲି ଯେ ମୋର ଶତ୍ରୁ ହିଁ ମୋର ପ୍ରକୃତ ବା ଅତ୍ୟନ୍ତ ଉପକାରୀ ବ୍ୟକ୍ତି । ମୁଁ ଯାହାକୁ ଶତ୍ରୁ ଭାବରେ ବିଚାର କରେ, ସେ ମୋର ଦୋଷ,ତ୍ରୁଟି,ଭୁଲ ଗୋଟି ଗୋଟି କରି ଦେଖାଇ ଦେଇଥାଏ । ମୁଁ ବେଳେବେଳେ ଆଚରଣ ଓ ଉଚ୍ଚାରଣରେ କରି ବସୁଥିବା ଭୁଲ ଓ ଖରାପ କାମ ନିଜ ଲୋକମାନେ ଦେଖି ନଦେଖିଲା ପରି ହୁଅନ୍ତି । ସ୍ନେହ, ଶ୍ରଦ୍ଧା, ମୋହ ମାୟାରେ ସେମାନେ ସେଗୁଡିକ ମୋତେ କୁହନ୍ତି ନାହିଁ, କାଳେ ମୋ ମନରେ ଦୁଃଖ ଜାତ ହେବ । କିନ୍ତୁ ଶତ୍ରୁମାନେ ଏଗୁଡିକ ପ୍ରକାଶ କରିଦେଇ ପରୋକ୍ଷରେ ଆମକୁ ସଂଶୋଧିତ ହେବାର(ସୁଧୁରିବାର) ମାର୍ଗ ପ୍ରଦର୍ଶନ କରିଥାନ୍ତି । ଶତ୍ରୁକୁ ସାଥିରେ ଆଣି ଆପଣଙ୍କୁ ସାକ୍ଷାତ କରାଇବା ସମ୍ଭବ ନୁହେଁ । ତେଣୁ ମୁଁ ଏକା ଫେରିଆସିଛି ।“

    ଗୁରୁ ପଞ୍ଚମ ଶିଷ୍ୟର ବୁଦ୍ଧିକୁ ପ୍ରଶଂସା କରିବା ସହିତ ସେ ହିଁ ପ୍ରକୃତ ଶିକ୍ଷା ଗ୍ରହଣ କରିଛି ବୋଲି ଅନୁଭବ କଲେ ।

     

    କାହାଣୀ- ନିରଞ୍ଜନ ପତି

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.6 ° C
    28.6 °
    28.6 °
    69 %
    1.5kmh
    4 %
    Sun
    26 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ