ପୁଲିସ ବିଭାଗର ଯୋଜନା ଅନୁଯାୟୀ, ଉତ୍ତରପ୍ରଦେଶରୁ ସର୍ବାଧିକ ସୁରକ୍ଷାକର୍ମୀ ମଗାଯାଇଛି। ସେଠାରୁ ୨,୧୯୫ ଜଣ ସାଧାରଣ ପୁଲିସ କର୍ମଚାରୀ, ୩୩୦ ଜଣ ଟ୍ରାଫିକ୍‌ ପୁଲିସ, ୧୮୭ ଜଣ ଅଗ୍ନିଶମ କର୍ମଚାରୀ ଓ ୨୦୦ ଜଣ ଗୁଇନ୍ଦା କର୍ମଚାରୀଙ୍କ ଆବଶ୍ୟକତା ରହିଛି। ଏହାବ୍ୟତୀତ ପିଏସିର ୪୮ଟି କମ୍ପାନି ମୁତୟନ ପାଇଁ ଦାବି କରାଯାଇଛି। ସେହିପରି ହରିୟାଣାରୁ ୧,୧୦୫ ଜଣ ସାଧାରଣ ପୁଲିସ କର୍ମଚାରୀଙ୍କ ସମେତ ଅନ୍ୟ ସୁରକ୍ଷା ବାହିନୀ ମଗାଯାଇଛି।

ଅନ୍ୟପକ୍ଷରେ ଦିଲ୍ଲୀରୁ ୫୫ ଜଣ ସାଧାରଣ ପୁଲିସ, ୬୫ ଜଣ ଟ୍ରାଫିକ୍‌ ପୁଲିସ, ୫୮ ଜଣ ଅଗ୍ନିଶମ କର୍ମଚାରୀ ଓ ୧୮ ଜଣ ଗୁଇନ୍ଦା କର୍ମଚାରୀ ଯୋଗାଇଦେବାକୁ କୁହାଯାଇଛି। ହିମାଚଳପ୍ରଦେଶରୁ ୫୫୫ ଜଣ ସାଧାରଣ ପୁଲିସ କର୍ମଚାରୀ, ୬୫ ଜଣ ଟ୍ରାଫିକ୍‌ ପୁଲିସ, ୩୬ ଜଣ ଅଗ୍ନିଶମ କର୍ମଚାରୀ ଓ ୧୮ ଜଣ ଗୁଇନ୍ଦା କର୍ମଚାରୀଙ୍କ ସହ ପିଏସିର ୧୨ଟି କମ୍ପାନି ମଗାଯାଇଛି। ଏହାଦ୍ୱାରା ମେଳା ସମୟରେ ଭିଡ଼ ନିୟନ୍ତ୍ରଣ, ଯାତାୟାତ ପରିଚାଳନା ଓ ଜରୁରୀକାଳୀନ ସ୍ଥିତିର ମୁକାବିଲା କରାଯାଇପାରିବ।

କେବଳ ସାଧାରଣ ପୁଲିସ ନୁହେଁ, ମେଳାର ସୁରକ୍ଷା ପାଇଁ ଘୋଡ଼ାସବାର ଟିମ୍‌ ମଧ୍ୟ ନିୟୋଜିତ ହେବେ। ଉତ୍ତରପ୍ରଦେଶରୁ ୧୫ଟି ଘୋଡ଼ା ସହ ୩୫ ଜଣ ଯବାନ, ମଧ୍ୟପ୍ରଦେଶରୁ ୨୦ଟି ଘୋଡ଼ା ସହ ୨୦ ଜଣ ଯବାନ ଏବଂ ରାଜସ୍ଥାନରୁ ୨୦ଟି ଘୋଡ଼ା ସହ ୨୦ ଜଣ ଯବାନ ମୁତୟନ ହେବେ। ଏହାବ୍ୟତୀତ ଆତଙ୍କବାଦୀ ଗତିବିଧିର ମୁକାବିଲା ପାଇଁ ଏଟିଏସ୍‌ର ୬ଟି ଟିମ୍‌ ଏବଂ ଏନ୍‌ଏସ୍‌ଜିର ୬ଟି ଟିମ୍‌ ମୁତୟନ ହେବେ। ସାଇବର ଅପରାଧ ଉପରେ ନଜର ରଖିବାକୁ ୨୫ଟି ସାଇବର କମାଣ୍ଡୋ ଟିମ୍‌ ମଧ୍ୟ ପ୍ରସ୍ତୁତ ରହିବେ।

ପୁଲିସ ପ୍ରଶାସନର ଆକଳନ ଅନୁଯାୟୀ, ୨୦୧୦ ମସିହାରେ ହରିଦ୍ୱାରରେ ଆୟୋଜିତ କୁମ୍ଭମେଳାରେ ପ୍ରାୟ ୪.୩୫ କୋଟି ଶ୍ରଦ୍ଧାଳୁ ସ୍ନାନ କରିଥିଲେ। କିନ୍ତୁ ୨୦୨୭ରେ ଏହି ସଂଖ୍ୟା ୧୫ରୁ ୨୧ କୋଟି ଛୁଇଁବାର ଆଶା ରହିଛି। ତେଣୁ ପୂର୍ବ ଅପେକ୍ଷା ଅଧିକ ପୁଲିସ ଫୋର୍ସ ନିୟୋଜନ କରିବାକୁ ଯୋଜନା ହୋଇଛି। ପ୍ରାଥମିକ ଆକଳନ ଅନୁସାରେ, ୬,୩୯୩ ଜଣ ନିରୀକ୍ଷକ, ଉପନିରୀକ୍ଷକ, ମୁଖ୍ୟ କନଷ୍ଟେବଳ ଓ କନଷ୍ଟେବଳଙ୍କ ସମେତ ପିଏସିର ୫୪ଟି କମ୍ପାନି, ମହିଳା ପିଏସିର ୩ଟି କମ୍ପାନି, କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳର ୧୦୦ଟି କମ୍ପାନି ଏବଂ ୪,୦୦୦ ହୋମଗାର୍ଡ ଓ ପିଆର୍‌ଡି ଯବାନ ନିୟୋଜିତ ହେବେ। ଏତେ ବଡ଼ ଆୟୋଜନକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ସହ ଶ୍ରଦ୍ଧାଳୁଙ୍କ ସୁରକ୍ଷିତ ସ୍ନାନ ଓ ଯାତାୟାତ ସୁନିଶ୍ଚିତ କରିବା ପ୍ରଶାସନ ପାଇଁ ବଡ଼ ଆହ୍ୱାନ ହେବ।