Thursday, October 1, 2026
24.6 C
Odisha

    ପ୍ରଚଣ୍ଡ ଗରମ, ୨୬ ଯାଏ ତ୍ରାହି ନାହିଁ

    ଆଗକୁ ପଢନ୍ତୁ

    ଭୁବନେଶ୍ବର  : ପଶ୍ଚିମ ଓଡ଼ିଶାର ଝାରସୁଗୁଡ଼ାରେ ପାରଦ ୪୫.୨ ଡିଗ୍ରୀ ଛୁଇଁଛି। ଏଠାରେ ସର୍ବାଧିକ ତାପମାତ୍ରା ଅଧିକ ରହିବା ଦ୍ବାରା ପ୍ରଚଣ୍ଡ ଗରମ ଅନୁଭୂତ ହେଉଛି। ବୌଦ୍ଧରେ ପାରଦ ଉପର ମୁଁହାଁ ହୋଇ ୪୪.୫ ଡିଗ୍ରୀରେ ପହଞ୍ଚିଛି। ସମ୍ବଲପୁରରେ ୪୪.୨, ବଲାଙ୍ଗିର ଓ ଟିଟିଲାଗଡ଼ରେ ୪୪, ସୁନ୍ଦରଗଡ଼ରେ ୪୧.୮, ହୀରାକୁଦରେ ୪୩.୬, ଭବାନୀପାଟଣାରେ ୪୩.୬, ମାଲକାନଗିରିରେ ୪୧.୬, ସୁବର୍ଣ୍ଣପୁରରେ ୪୨.୧, ବରଗଡ଼ରେ ୪୧.୪, ନୂଆପଡ଼ାରେ ୪୩.୨, ଭୁବନେଶ୍ବରରେ ୩୭.୭ ଏବଂ କଟକରେ ୩୬.୬ ଡିଗ୍ରୀ ତାପମାତ୍ରା ଗତକାଲି ରେକର୍ଡ ହୋଇଛି। ରାଜ୍ୟରେ ଗ୍ରୀଷ୍ମ ଲହରୀ ଜାରି ରହିଥିବାରୁ ମଧ୍ୟାହ୍ନ ୧୨ଟାରୁ ଅପରାହ୍ଣ ସାଢ଼େ ୨ଟା ମଧ୍ୟରେ ସୁରକ୍ଷିତ ସ୍ଥାନରେ ରହିବାକୁ ପାଣିପାଗ ବିଭାଗ ପରାମର୍ଶ ଜାରି କରିଛି। ଗତ ୨୪ ଘଣ୍ଟାରେ ବୌଦ୍ଧକୁ ଛାଡ଼ି ଦେଲେ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ସର୍ବାଧିକ ତାପମାତ୍ରା କମିଛି। ଭୁବନେଶ୍ବରରେ ଗୁରୁବାର ୪୨.୨ ଡିଗ୍ରୀ ତାପମାତ୍ରା ଥିବାବେଳେ ଶୁକ୍ରବାର ଏହା ୩୭.୭ ଡିଗ୍ରୀକୁ ଖସିଛି। କଟକରେ ୪୦.୨ରୁ ୩୬.୬ ଡିଗ୍ରୀକୁ ଦିନ ତାପମାତ୍ରା ହ୍ରାସ ପାଇଛି। କିନ୍ତୁ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରଚଣ୍ଡ ଗରମ ସହିତ ଗୁଳୁଗୁଳି ଅନୁଭୂତ ହେଉଛି। ଭୁବନେଶ୍ବରରେ ଅପରାହ୍ଣ ସାଢ଼େ ୨ଟା ବେଳକୁ ସର୍ବାଧିକ ତାପମାତ୍ରା ୩୭ ଡିଗ୍ରୀ ଥିବାବେଳେ ୫୪ ଡିଗ୍ରୀ ତାପମାତ୍ରା ଭଳି ଅନୁଭୂତ ହେଉଥିଲା। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟର ସର୍ବାଧିକ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଆସିବାର ସମ୍ଭାବନା ନାହିଁ। କିନ୍ତୁ ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗିର, ଭଦ୍ରକ, କେନ୍ଦ୍ରାପଡ଼ା, ସୁନ୍ଦରଗଡ଼, ବରଗଡ଼, ଅନୁଗୋଳ, ସୁବର୍ଣ୍ଣପୁର, ବୌଦ୍ଧ ଏବଂ ନୟାଗଡ଼ ଆଦି ୧୧ ଜିଲାକୁ ଗ୍ରୀଷ୍ମ ଲହରୀ ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ବାୟୁମଣ୍ଡଳରେ ଆର୍ଦ୍ରତା ପରିମାଣ ଅଧିକ ରହିବା ହେତୁ ବାଲେଶ୍ବର, ଯାଜପୁର, ଜଗତସିଂହପୁର, କଟକ, ଦେବଗଡ଼, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ନୂଆପଡ଼ା, କଳାହାଣ୍ଡି, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ, ଖୋରଧା ଜିଲ୍ଲାକୁ ଗରମ ଏବଂ ଗୁଳୁଗୁଳି ନେଇ ପାଣିପାଗ ବିଭାଗ ସତର୍କତା ଜାରି କରିଛି। ସମ୍ବଲପୁର ଏବଂ ବଲାଙ୍ଗିର ଜିଲ୍ଲାରେ ରାତି ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିପାରେ।

    ଶୁକ୍ରବାର ଅପରାହ୍ଣରେ ଗୋପାଳପୁର ସହିତ ସୁବର୍ଣ୍ଣପୁର, ଛତ୍ରପୁର, ପାରଳାଖେମୁଣ୍ଡି ଏବଂ ନବରଙ୍ଗପୁରରେ କାଳବୈଶାଖୀ ପ୍ରଭାବରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହୋଇଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, କେନ୍ଦୁଝର, ମୟୂରଭଞ୍ଜ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ, ଖୋରଧା ଏବଂ ନୟାଗଡ଼ ଜିଲ୍ଲାରେ କାଳବୈଶାଖୀଜନିତ ଝଡ଼ବର୍ଷା ଏବଂ ବଜ୍ରପାତର ସମ୍ଭାବନା ରହିଛି। ଏଥିପାଇଁ ଉପରୋକ୍ତ ଜିଲ୍ଲାଗୁଡ଼ିକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    24.6 ° C
    24.6 °
    24.6 °
    83 %
    1.4kmh
    22 %
    Thu
    24 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ