Sunday, March 22, 2026
23.1 C
Odisha

    ପ୍ରତ୍ୟର୍ପିତ ଭାରତୀୟଙ୍କୁ ନେଇ ଆମେରିକାରୁ ଦ୍ବିତୀୟ ବିମାନ ଅମୃତସରରେ ପହଞ୍ଚିଲା

    ଆଗକୁ ପଢନ୍ତୁ

    ଅମୃତସର: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବେଆଇନ ଆପ୍ରବାସନ ବିରୋଧରେ ଯୁଦ୍ଧ ଘୋଷଣା କରିଥିବା ବେଳେ ଏହି ପ୍ରକ୍ରିୟାରେ ଆଜି ଦ୍ବିତୀୟ ପର୍ଯ୍ୟାୟରେ ପ୍ରତ୍ୟର୍ପିତ ଭାରତୀୟଙ୍କୁ ନେଇ ସି-୧୭ ଆମେରିକୀୟ ସାମରିକ ବିମାନ ପଂଜାବର ଅମୃତସରରେ ପହଞ୍ଚିଛି। ଦ୍ବିତୀୟ ପର୍ଯ୍ୟାୟରେ ୧୧୯ ବେଆଇନ ଭାରତୀୟ ଆପ୍ରବାସୀ ଅମୃତସରରେ ପହଞ୍ଚିଛନ୍ତି। ସେମାନଙ୍କ ମଧ୍ୟରେ ପଂଜାବର ୬୭ ଜଣ ଥିବାବେଳେ ହରିୟାଣାର ୩୩, ଗୁଜରାଟର ୮, ଉତ୍ତରପ୍ରଦେଶର ୩, ରାଜସ୍ଥାନ, ଗୋଆ ଏବଂ ମହାରାଷ୍ଟ୍ରରୁ ୨ ଜଣ ଲେଖାଏଁ, ଜମ୍ମୁ କଶ୍ମୀର ଏବଂ ହିମାଚଳପ୍ରଦେଶରୁ ଜଣେ ଲେଖାଏଁ ଆସି ପହଞ୍ଚିଛନ୍ତି। ଆସନ୍ତାକାଲି ମଧ୍ୟ ଆମେରିକା ଆଉ ଏକ ପର୍ଯ୍ୟାୟରେ ବେଆଇନ ଭାରତୀୟ ଆପ୍ରବାସୀଙ୍କୁ ପଠାଇପାରେ। ପ୍ରତି ସପ୍ତାହରେ ଆମେରିକା ବେଆଇନ ଆପ୍ରବାସୀଙ୍କୁ ସେମାନଙ୍କ ରାଷ୍ଟ୍ରକୁ ପଠାଇବ ବୋଲି ଜଣାପଡ଼ିଛି। ଗତ ସପ୍ତାହରେ ଆମେରିକା ୧୦୪ ବେଆଇନ ଭାରତୀୟ ଆପ୍ରବାସୀଙ୍କୁ ଫେରାଇଥିଲା। ଉଲ୍ଲେଖଯୋଗ୍ୟ, ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଘୋଷଣା କରିଛନ୍ତି ଯେ ଆମେରିକାରେ ବେଆଇନ ଭାବେ ରହୁଥିବା ଭାରତୀୟଙ୍କୁ ଫେରାଇ ନିଆଯିବ। ମୋଦୀ କହିଥିଲେ ଆମେରିକାରେ ବେଆଇନ ଭାବେ ରହୁଥିବା ଅଧିକାଂଶ ଭାରତୀୟ ସାଧାରଣ ପରିବାରର। ସେମାନେ ବୋଧହୁଏ ମାନବ‌ ଚାଲାଣକାରୀଙ୍କ ଦ୍ବାରା ଭୁଲ୍‌ରେ ପରିଚାଳିତ ହୋଇପାରିଥାନ୍ତି ବୋଲି ମୋଦୀ କହିଛନ୍ତି।
    ତେବେ ପ୍ରତ୍ୟର୍ପିତ ଭାରତୀୟଙ୍କୁ ‌ନେଇ ଆମେରିକୀୟ ବିମାନ ଲଗାତାର ଦୁଇ ଥର ଅମୃତସରରେ ଅବତରଣ କରିଥିବାରୁ ଏନେଇ ପଂଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍‌ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ମାନ୍‌ କହିଛନ୍ତି, ପଂଜାବକୁ ବଦନାମ କରିବାପାଇଁ କେନ୍ଦ୍ର ସରକାର ଜାଣିଶୁଣି ଅମୃତସରରେ ଏହି ବିମାନ ଅବତରଣ ପାଇଁ ଅନୁମତି ଦେଉଛି। ଏହା ପଛରେ ରାଜନୈତିକ ଉଦ୍ଦେଶ୍ୟ ଥିବା ମାନ୍‌ ଦାବି କରିଛନ୍ତି। କିନ୍ତୁ ବିଜେପି ମାନ୍‌ଙ୍କ ଏହି ଅଭିଯୋଗକୁ ଖଣ୍ଡନ କରିଛି। ବିଜେପି ସାଂସଦ ପ୍ରବୀଣ ଖଣ୍ଡେଲୱାଲ୍‌ କହିଛନ୍ତି, ପଂଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍‌ ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ରାଜନୀତି ନକରିବା ଉଚିତ। ଆପ୍‌ ନେତାମାନେ ଦେଶର ସୁରକ୍ଷାକୁ ଆଦୌ ଖାତିର କରୁନାହାନ୍ତି। ସେମାନେ କେବଳ ରାଜନୀତି କରୁଛନ୍ତି। ଆମେରିକାରୁ ଭାରତ ପ୍ରବେଶ କରୁଥିବା ବିମାନ ଅମୃତସର ସବୁଠାରୁ ନିକଟବର୍ତ୍ତୀ ଅନ୍ତର୍ଜାତୀୟ ବିମାନବନ୍ଦର। ଏଥଇପାଇଁ ଭାରତୀୟ ଆପ୍ରବାସୀଙ୍କୁ ଧରି ଆସୁଥିବା ଆମେରିକୀୟ ବିମାନ ଏଠାରେ ଅବତରଣ କରୁଛି । ମାନ୍‌ ଉକ୍ତ ପ୍ରସଙ୍ଗକୁ ‌ନେଇ ରାଜନୀତି ବନ୍ଦ କରନ୍ତୁ ବୋଲି ବିଜେପି ଜାତୀୟ ମୁଖପାତ୍ର ଆର୍‌ପି ସିଂହ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    23.1 ° C
    23.1 °
    23.1 °
    53 %
    1.4kmh
    64 %
    Sat
    22 °
    Sun
    33 °
    Mon
    35 °
    Tue
    37 °
    Wed
    39 °

    ସମ୍ବନ୍ଧିତ