ମୁମ୍ବାଇ : ବଲିଉଡ଼ ଜଗତରେ ବେଶ ପ୍ରଶଂସା ସାଉଣ୍ଟିବା ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ଲୋକପ୍ରିୟ ଓ ସଫଳ ଅଭିନେତ୍ରୀ ହେଉଛନ୍ତି କାଜୋଲ । ତାଙ୍କ ଅଭିନୟକୁ ବେଶ ପସନ୍ଦ କରନ୍ତି ସିନେପ୍ରେମୀ । ଦର୍ଶକମାନଙ୍କୁ ସେ ବହୁତ ସଫଳ ଫିଲ୍ମ ଭେଟି ଦେଇଛନ୍ତି । ପ୍ରାୟ ତିନି ବର୍ଷ ପରେ କାଜୋଲ ବଡ଼ ପରଦାକୁ ଫେରିଛନ୍ତି। ଯାହା ତାଙ୍କ ପ୍ରଶଂସକମାନଙ୍କ ପାଇଁ ଖୁସି ଖବର । ଚଳିତବର୍ଷ ଜୁନ୍ ୨୭ରେ କାଜୋଲଙ୍କ ଫିଲ୍ମ ‘ମା’ ସିନେମା ହଲ୍ ରେ ରିଲିଜ୍ ହୋଇଛି । ଯାହା ପାଇଁ ଅଭିନେତ୍ରୀଙ୍କୁ ବହୁତ ପ୍ରଶଂସା କରାଯାଉଛି ।
ଲୋକଙ୍କ ପ୍ରତିକ୍ରିୟା ଅନୁସାରେ ଫିଲ୍ମର ପ୍ରଥମ ଦିନର ଆୟ ବହୁତ ବିଶେଷ ନୁହେଁ । କାଜୋଲଙ୍କ ପୂର୍ବ ଫିଲ୍ମ ଅନୁସାରେ ଏହି ଫିଲ୍ମଟି ଭଲ ଆରମ୍ଭ କରିଛି ବୋଲି ଚର୍ଚ୍ଚା ହୋଇଛି । ବିଶାଲ ଫୁରିଆଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ମା’ ଏକ ମ୍ୟାଥ୍ୱାଲୋଜିକାଲ ହରର ଫିଲ୍ମ । ଏହି ଫିଲ୍ମ ପୂର୍ବରୁ କାଜୋଲ କୌଣସି ଫିଲ୍ମରେ ଦେଖାଯାଇନାହାଁନ୍ତି । ଅଭିନେତ୍ରୀଙ୍କ ପ୍ରଶଂସକମାନେ ମଧ୍ୟ ତାଙ୍କୁ ଏପରି ଫିଲ୍ମରେ ଦେଖିବାକୁ ବହୁତ ଉତ୍ସାହିତ ଥିଲେ । ଏହି ଫିଲ୍ମରେ କାଜୋଲ ଅମ୍ବିକା ନାମକ ଜଣେ ମହିଳାଙ୍କ ଭୂମିକାରେ ଅଭିନୟ କରିଛନ୍ତି, ଯିଏ ଜଣେ ନିଷ୍ଠୁର ‘ମା’ । କାଜୋଲଙ୍କ ଚରିତ୍ର ଏପରି ଯେ ସେ ତାଙ୍କ ଝିଅକୁ ଅଜଣା ଶକ୍ତିଠାରୁ ରକ୍ଷା କରିବା ପାଇଁ କିଛି ମଧ୍ୟ କରିପାରିବେ । ‘ମା’ର ପ୍ରଥମ ଦିନର କଲେକ୍ସନ ବିଷୟରେ କହିବାକୁ ଗଲେ ରିପୋର୍ଟ ଅନୁଯାୟୀ, ଏହି ଫିଲ୍ମଟି ପ୍ରଥମ ଦିନରେ ୪.୫୦କୋଟି ଟଙ୍କା ରୋଜଗାର କରିଛି । ଫିଲ୍ମର ବଜେଟ୍ ବିଷୟରେ କହିବାକୁ ଗଲେ, ଏହା ଏପର୍ଯ୍ୟନ୍ତ ପ୍ରକାଶିତ ହୋଇନାହିଁ । ସୋସିଆଲ ମିଡିଆରେ ଦର୍ଶକଙ୍କ ପ୍ରତିକ୍ରିୟାକୁ ଦେଖିଲେ, ସପ୍ତାହାନ୍ତରେ ଫିଲ୍ମର ଆୟ ବୃଦ୍ଧି ପାଇବାର ଆଶା କରାଯାଇପାରେ ।
କାଜୋଲ ବ୍ୟତୀତ, ଫିଲ୍ମରେ ଇନ୍ଦ୍ରନୀଲ ସେନଗୁପ୍ତ, ଜିତିନ ଗୁଲାଟି ଏବଂ ଖେରିନ ଶର୍ମାଙ୍କ ଭଳି ଅଭିନେତା ମଧ୍ୟ ଅଛନ୍ତି । କାଜୋଲଙ୍କ ଫିଲ୍ମ ‘ମା’ ଅଜୟ ଦେବଗନ, ଜ୍ୟୋତି ଦେଶପାଣ୍ଡେ ଏବଂ କୁମାର ମଙ୍ଗତ ପାଠକଙ୍କ ଦ୍ୱାରା ପ୍ରଯୋଜିତ ହୋଇଛି । ଏହି ଫିଲ୍ମ ସହିତ ଦକ୍ଷିଣ ଫିଲ୍ମ ‘କନପ୍ପା’ ମଧ୍ୟ ଥିଏଟରରେ ରିଲିଜ୍ ହୋଇଛି। ଆଗାମୀ ଦିନରେ ଉଭୟ ଫିଲ୍ମର ଟକ୍କର ଦେଖିବା ବହୁତ ଆକର୍ଷଣୀୟ ହେବ । ଏହି ଫିଲ୍ମ ପୂର୍ବରୁ କାଜୋଲ ୨୦୨୨ ମସିହାରେ ‘ସଲାମ ଭେଙ୍କି’ରେ ନଜର ଆସିଥିଲେ। ଏହି ଫିଲ୍ମଟି ଖରାପ ଫ୍ଲପ୍ ହୋଇଥିଲା । ଏହି ଫିଲ୍ମଟି ମୋଟ ୨.୪୨ କୋଟି ଟଙ୍କା ସଂଗ୍ରହ କରିଥିଲା।