ଗର୍ଭବତୀ ମହିଳାଙ୍କ ହତ୍ୟା ଘଟଣାରେ ଆସିଲା ନୂଆ ମୋଡ଼ । ପ୍ରେମିକା ପାଇଁ ସ୍ତ୍ରୀକୁ ସ୍ବାମୀ ମାରିଥିଲା ବୋଲି ଚାଲିଥିଲା ଚର୍ଚ୍ଚା । କିନ୍ତୁ ଏବେ ଏହି ହତ୍ୟା କାଣ୍ଡରେ ଯେଉଁ କଥା ସାମ୍ନାକୁ ଆସିଛି ତାହା ଆପଣଙ୍କୁ ନିଶ୍ଚିତ ଆଶ୍ଚର୍ଯ୍ୟ କରିବ । ପ୍ରେମିକା ନୁହେଁ ସମଲିଙ୍ଗୀ ପ୍ରେମିକ ପାଇଁ ଏଭଳି ଅମାନବୀୟ କାଣ୍ଡ ଘଟାଇଥିଲା ହତ୍ୟାକାରୀ ସ୍ବାମୀ ।
ଗତ ୧୩ ତାରିଖରେ ସୁନ୍ଦରଗଡ ଜିଲ୍ଲା ବଣାଇ ଅଞ୍ଚଳର ଜଣେ ଗର୍ଭବତୀ ମହିଳାଙ୍କୁ ତାଙ୍କ ସ୍ୱାମୀ ଦେବେନ ବେହେରା ଗୁଳି କରି ହତ୍ୟା କରିଥିଲା । ଏ ଘଟଣା କାହାକୁ ବା ଅଛପା ନଥିଲା । କିନ୍ତୁ ଏବେ ଖବର ମିଳୁଛି କି ସ୍ବାମୀ ଦେବେନ୍ ନିଜ ପ୍ରେମିକା ପାଇଁ ନୁହେଁ ବରଂ ନିଜ ସମଲିଙ୍ଗୀ ପ୍ରେମିକ ପାଇଁ ଏଭଳି ହତ୍ୟାକାଣ୍ଡ ରଚିଥିଲା । ତେବେ ଏ ହତ୍ୟା ଘଟଣାରେ ଆଉ ଜଣଙ୍କୁ ଗିରଫ କରିଛି ପୋଲିସ । ପୋଲିସ ଚାରିଦିନ ପାଇଁ ରିମାଣ୍ଡରେ ସ୍ୱାମୀ ଦେବେନ ବେହେରା ଓ ଭିଣେଇ ସତ୍ୟନାରାୟଣ ବେହେରାଙ୍କୁ ଆଣିବା ପରେ କିଛି ତଥ୍ୟ ପାଇଛି । ପୂର୍ବରୁ ମୃତ ସୌମ୍ୟାମୟୀଙ୍କ ବାପା ଓ ମାଆ ଅଭିଯୋଗ କରିଥିଲେ କି ବିବାହ ପୂର୍ବରୁ ଜଣେ ମହିଳା ଫୋନ ଯୋଗେ କହିଥିଲେ ମୋର ଦେବେନ ସାଙ୍ଗରେ ପ୍ରେମ ସମ୍ପର୍କ ଅଛି, ସେଠାରେ ଝିଅକୁ ବାହା ଦିଅନ୍ତୁ ନାହିଁ । ଏନେଇ ବଣାଇ ପୋଲିସ ତଦନ୍ତ ଚଳାଇ ଥିଲା । ତଦନ୍ତ ଜାରି ରହିଥିବାରୁ ପୋଲିସ କ୍ୟାମେରା ସାମ୍ନାରେ ମୁହଁ ଖୋଲି ନାହିଁ । କିନ୍ତୁ ବିଶେଷ ସୂତ୍ରରୁ ଖବର ମିଳିଛି କି ସମଲିଙ୍ଗୀ ପ୍ରେମିକ ଝିଅ ସ୍ୱରରେ କଥା ହୋଇ ଦୀର୍ଘ ୧୦ ବର୍ଷ ହେବ ଦେବେନଙ୍କ ସହ ପ୍ରେମ ସମ୍ପର୍କରେ ଥିଲା । ହେଲେ କିଛି ବର୍ଷ ହବ ଦେବେନ ଜାଣିପାରିଲା ଯେ ସେ ଝିଅ ନୁହେଁ ଜଣେ ପୁରୁଷ । କିନ୍ତୁ ତାଙ୍କ ଭିତରେ ଗଭୀର ପ୍ରେମ ସର୍ମ୍ପକ ସୃଷ୍ଟି ହୋଇଥିଲା । ସେହି ପୁରୁଷ ଜଣଙ୍କ ଲହୁଣୀପଡା ଥାନା ଅଞ୍ଚଳର ବୋଲି ଜଣାପଡ଼ିଛି । ପେସାରେ ସେ ଜଣେ ଶିକ୍ଷକ ବୋଲି କୁହାଯାଉଛି । ସେହି ବ୍ୟକ୍ତିଙ୍କ ସହିତ ସବୁବେଳେ ଫୋନ ଯୋଗେ କଥା ବାର୍ତ୍ତା କରୁଥିଲା ଦେବେନ୍ । ତେବେ ହତ୍ୟା ପୂର୍ବରୁ ସମଲିଙ୍ଗୀ ପ୍ରେମିକ ଜଣକ ଦେବେନକୁ କହିଥିଲା କି ତୋ ସ୍ତ୍ରୀକୁ ଜୀବନରୁ ମାରିଦେ ନହେଲେ ମୁଁ ନିଜ ଜୀବ ହାରି ଦେବି । ସମଲିଙ୍ଗୀ ପ୍ରେମିକର କଥାରେ ପଡ଼ି କୁଆଡ଼େ ନିଜ ସ୍ତ୍ରୀକୁ ଗୁଳି କରି ହତ୍ୟା କରିଥିଲା ସ୍ବାମୀ ଦେବେନ୍ । ଏନେଇ ବଣାଇ ପୋଲିସ ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଲୋକଟି ଲହୁଣୀପଡା ଥାନାର ପୋଇଗାଁର ଦୁଖବନ୍ଧୁ ଭଗର୍ତ୍ତି ବୋଲି ଜଣାପଡ଼ିଛି । ପେସାରେ ସେ ଜଣେ ଶିକ୍ଷକ ।
କହି ରଖୁଛୁ କି ସୁନ୍ଦରଗଡ଼ ବଣାଇ ଝିର୍ଡାପାଲି ଅଞ୍ଚଳରେ ଥିବା ମୃତ ସୌମ୍ୟାମୟୀଙ୍କ ଘରକୁ ଦୁଇ ଜଣ ଦୁର୍ବୃତ୍ତ ଆସି କବାଟ ବାଡେଇ ଥିଲେ । ମହିଳା ଜଣକ କବାଟ ଖୋଲିବାରୁ ତାଙ୍କ ବେକରୁ ସୁନା ଚେନ ଓ ମଙ୍ଗଳସୂତ୍ର ଛିଡ଼ାଇ ନେଇ ତାଙ୍କୁ ଗୁଳି ମାରି ଦେଇଥିଲେ । ପରେ ଦୁର୍ବୃତ୍ତ ଫେରାର ହୋଇଥିଲେ ବୋଲି ସ୍ବାମୀ ଦେବେନ କାହାଣୀ ତିଆରି କରିଥିଲେ । ତେବେ ଘଟଣାର ୨୪ ଘଣ୍ଟା ଭିତରେ ହତ୍ୟା ପଛର ଷଡ଼ଯନ୍ତ୍ର ସାମନାକୁ ଆସିଥିଲା । ଆଉ ଜଣାପଡ଼ିଥିଲା କି ସବୁ ନାଟକକୁ ରଚିଥିଲା ନିଜେ ସ୍ବାମୀ ।
ହତ୍ୟାକାଣ୍ଡର ମୁଖ୍ୟ ଆସାମୀ ସ୍ବାମୀ ଦେବେନ ବେହେରା ଓ ତାଙ୍କ ଭିଣୋଇ ସତ୍ୟ ନାରାୟଣ ବେହେରା ଗିରଫ ହୋଇଛନ୍ତି । ଅଭିଯୁକ୍ତ ହତ୍ୟାର ଡେମୋ ମଧ୍ୟ ଦେଖାଇଛି । ତେବେ ପରକୀୟା ପ୍ରେମକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ପୂର୍ବରୁ ପୋଲିସ୍ କହିଥିବା ବେଳେ ଏବେ ଆଉ ଏକ କାରଣ ସାମନାକୁ ଆସୁଛି । ସମଲିଙ୍ଗୀ ପ୍ରେମିକ ପାଇଁ ହତ୍ୟା କାଣ୍ଡ ଘଟିଥିବା ସୂଚନା ମିଳୁଛି । ତେବେ ପୋଲିସ୍ ତଦନ୍ତ ଶେଷ କରି ସ୍ପଷ୍ଟ କଲେ ଯାଇ ଏ ରହସ୍ୟରୁ ସମ୍ପୂର୍ଣ୍ଣ ପରଦା ଉଠିବ ।