କଟକ : ଫାର୍ମାସି ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ୍ ପ୍ରଦାନ ପାଇଁ ୯ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରା ହେଲେ । ଭିଜିଲାନ୍ସ ଓଡ଼ିଶା ଫାର୍ମାସି କାଉନ୍ସିଲ୍ର ଜଣେ ବରିଷ୍ଠ ସହାୟକ ଏବଂ ତାଙ୍କର ଜଣେ ବେସରକାରି ସହଯୋଗୀଙ୍କୁ ଧରିବାରେ ସକ୍ଷମ ହୋଇଛି । ଗିରଫ ହୋଇଥିବା କର୍ମଚାରୀ ବିଶ୍ୱମୋହନ ପଟ୍ଟନାୟକ ଓ ତାଙ୍କ ସହଯୋଗୀ ମହମ୍ମଦ ଇଜାଜ ଖାନ ବୋଲି ଜଣାପଡିଛି । ଜଣେ ଆବେଦନକାରୀଙ୍କ ଫାର୍ମାସି ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ୍ ପାଇଁ ଫାଇଲ ଯାଞ୍ଚ କରିବା ଏବଂ ପ୍ରକ୍ରିୟାକୁ ଆଗକୁ ବଢ଼ାଇବା ନିମନ୍ତେ ବିଶ୍ୱମୋହନ ପଟ୍ଟନାୟକ ୯ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । ଅଭିଯୋଗକାରୀ ଗତ ଏକ ସପ୍ତାହ ଧରି ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ୍ ପାଇଁ କାଉନସିଲ୍ କାର୍ଯ୍ୟାଳୟକୁ ଦୌଡୁଥିଲେ । ମାତ୍ର ଲାଞ୍ଚ ନଦେଲେ କାମ ହେବ ନାହିଁ ବୋଲି ଅଭିଯୁକ୍ତ କହିଥିବା ଅଭିଯୋଗ ହୋଇଛି ।
ସୋମବାର ଆବେଦନକାରୀ ଭୁବନେଶ୍ୱରସ୍ଥିତ ଫାର୍ମାସି କାଉନ୍ସିଲ୍ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିବା ପରେ ବିଶ୍ୱମୋହନ ପଟ୍ଟନାୟକ ପୁଣି ଲାଞ୍ଚ ଦାବି କରି ଟଙ୍କା ତାଙ୍କ ସହଯୋଗୀ ଇଜାଜ୍ ଖାନଙ୍କୁ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଅଭିଯୋଗକାରୀ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ପୂର୍ବ ଯୋଜନା ଅନୁଯାୟୀ ଭିଜିଲାନ୍ସ ଟିମ୍ ଉଭୟ ଅଭିଯୁକ୍ତଙ୍କୁ ୯ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କାବୁ କରିଥିଲା । ଟ୍ରାପ୍ ପରେ ବରିଷ୍ଠ ସହାୟକ ବିଶ୍ୱମୋହନ ପଟ୍ଟନାୟକଙ୍କର ଦୁଇଟି ସ୍ଥାନରେ ଆୟବହିର୍ଭୂତ ସମ୍ପତ୍ତି ଠୁଳ ନେଇ ଏକକାଳୀନ ଚଢ଼ାଉ ଜାରି ରହିଛି । ଏନେଇ ଭୁବନେଶ୍ୱର ଭିଜିଲାନ୍ସ ଥାନାରେ ଦୁର୍ନୀତି ନିବାରଣ ଆଇନ, ୨୦୧୮ର ଧାରା ୭ ଅନୁଯାୟୀ ମାମଲା ରୁଜୁ ହୋଇଛି ।
