ମୁମ୍ବାଇ : ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ଅଭିନୀତ ‘ଦୃଶ୍ୟମ ୩: ଦ କନକ୍ଲୁଜନ’ ବକ୍ସ ଅଫିସରେ କମାଲ୍ କରୁଛି। ଏହାର ଓପନିଂ ଡେ କଲେକସନ୍ ୭୦ କୋଟି ଛୁଇଁଲାଣି। ଏହା ଏବର୍ଷର ସବୁଠାରୁ ବଡ଼ ବ୍ଲକ୍ ବଷ୍ଟର ମୁଭି ହେବ ଯାହା ଅତିକମରେ ୫୦୦ କୋଟି ଟଙ୍କା ଆୟ କରିବ ବୋଲି ଆକଳନ କରାଯାଉଛି। ଏହା ଅଜୟଙ୍କ କ୍ୟାରିୟରର ସବୁଠାରୁ ବଡ଼ ହିଟ୍। ଏହା ପ୍ରଥମ ତିନି ଦିନରେ ୨୦୦ କୋଟି ପାର୍ କରିବ ବୋଲି କୁହାଯାଉଛି।
ସୂଚନାଯୋଗ୍ୟ, ଅଜୟ ଦେବଗନ ପୁଣିଥରେ ପରଦାରେ ‘ବିଜୟ ସାଲଗାଁଓକର’ ଚରିତ୍ରରେ ଫେରିଛନ୍ତି। ଅଭିଷେକ ପାଠକଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ମୁଖ୍ୟ ଚରିତ୍ରରେ ଅଜୟ ଦେବଗନ, ଜୟଦୀପ ଅହଲାଵତ, ତବୁ, ଶ୍ରିୟା ଶରଣ ଓ ପ୍ରକାଶ ରାଜ ପ୍ରମୁଖମୁଖ୍ୟ ଭୂମିକାରେ ନଜର ଆସିଛନ୍ତି। ତାଙ୍କର ବହୁପ୍ରତୀକ୍ଷିତ ଫିଲ୍ମ ‘ଦୃଶ୍ୟମ ୩: ଦ କନକ୍ଲୁଜନ’କୁ ନେଇ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ରିଲିଜ୍ ପୂର୍ବରୁ ଆରମ୍ଭ ହୋଇଥିବା ଆଡଭାନ୍ସ ବୁକିଂରେ ଫିଲ୍ମଟି ବମ୍ପର ଓପନିଂ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛି।
ଖବର ଅନୁସାରେ, ସେପ୍ଟେମ୍ବର ୨୭ରୁ ଫିଲ୍ମର ଆଡଭାନ୍ସ ବୁକିଂ ଆରମ୍ଭ ହୋଇସାରିଛି। ଟିକେଟ୍ ୱିଣ୍ଡୋରେ ପ୍ରବଳ ଭିଡ଼ ଜମୁଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧.୧୩ ଲକ୍ଷରୁ ଅଧିକ ଟିକେଟ୍ ବିକ୍ରି ହୋଇସାରିଲାଣି। ଫିଲ୍ମ ପାଇଁ ପ୍ରାୟ ୫,୮୭୪ଟି ଶୋ’ ମିଳିସାରିଛି। ବ୍ଲକ୍ ସିଟ୍ ଗୁଡ଼ିକୁ ମିଶାଇ ଫିଲ୍ମଟି ପ୍ରଥମ ଦିନର ଆଡଭାନ୍ସ ବୁକିଂରୁ ପ୍ରାୟ ୪.୫୫ କୋଟି ଟଙ୍କା ଏବଂ ବିନା ବ୍ଲକ୍ ସିଟରେ ୨.୬୩ କୋଟି ଟଙ୍କାର ଆୟ କରିସାରିଛି।
