ଭୁବନେଶ୍ବର : ଦାନା ବାନ୍ଧୁଛି ଲଘୁଚାପ । ଆଜି ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲୋ-ପ୍ରେସର । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ତେବେ ଲଘୁଚାପର ରୂପ, ତୀବ୍ରତା କଣ ରହିବ ଏବଂ କେଉଁ ଅଞ୍ଚଳକୁ ପ୍ରଭାବିତ କରିବ ସେନେଇ କୌଣସି ପୂର୍ବାନୁମାନ କରାଯାଇନାହିଁ। ଗଲ୍ଫ ଅଫ୍ ମନ୍ନାର ଏବଂ ଶ୍ରୀଲଙ୍କା ଉପକୂଳ ନିକଟରେ ଏକ ସାଇକ୍ଲୋନିକ୍ ସର୍କୁଲେସନ୍ ବା ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପାଇଁ ପାଗ ଅନୁକୂଳ ରହିଛି । ବର୍ତ୍ତମାନ ଏହି ସିଷ୍ଟମ୍ ଏହାର ପ୍ରାଥମିକ ସ୍ତରରେ ଅଛି । କିଛି ପାଣିପାଗ ମଡେଲ୍ ଏହା ଅବପାତର ରୂପ ନେଇପାରେ ବୋଲି ଆକଳନ କରୁଥିବା ବେଳେ ଅନ୍ୟମାନେ ଏହା ଦୁର୍ବଳ ରହିବ ବୋଲି କହୁଛନ୍ତି । ବର୍ତ୍ତମାନ ସୁଦ୍ଧା କୌଣସି ବଡ଼ ବାତ୍ୟାର ଆଶଙ୍କା ନାହିଁ, ତଥାପି ଆସନ୍ତା ୨୪ ରୁ ୪୮ ଘଣ୍ଟା ମଧ୍ୟରେ ଏହାର ଗତିପଥ ଓ ତୀବ୍ରତା ସ୍ପଷ୍ଟ ହେବ।
ଏହି ଲଘୁଚାପ ଯୋଗୁଁ ଉପକୂଳବର୍ତ୍ତୀ ଓଡ଼ିଶା, ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁରେ ବର୍ଷା ଓ ବଜ୍ରପାତର ପରିମାଣ ବଢ଼ିବ । ଘଣ୍ଟାପ୍ରତି ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିବାର ମଧ୍ୟ ସମ୍ଭାବନା ରହିଛି । ବିଶେଷ କରି ଆନ୍ଧ୍ରପ୍ରଦେଶ ପାଇଁ ୧୪ ମଇ ପର୍ଯ୍ୟନ୍ତ ସତର୍କ ସୂଚନା ଜାରି କରାଯାଇଛି । ପୂର୍ବ ଓ ଦକ୍ଷିଣ ଭାରତରେ ଜାରି ରହିଥିବା ଅସହ୍ୟ ଗ୍ରୀଷ୍ମ ପ୍ରବାହରୁ ଏହି ଲଘୁଚାପ ମୁକ୍ତି ଦେଇପାରେ । ବର୍ଷା ଯୋଗୁଁ ତାପମାତ୍ରା ହ୍ରାସ ପାଇବ ଏବଂ ପାଗ କୋହଲା ରହିବ । ଉପକୂଳବର୍ତ୍ତୀ ଅଞ୍ଚଳରେ ୟେଲୋ କିମ୍ବା ଅରେଞ୍ଜ ଆଲର୍ଟ ଜାରି କରାଯାଇପାରେ । ସମୁଦ୍ର ଅଶାନ୍ତ ରହିବା ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀ ଏବଂ ଉପକୂଳବାସୀଙ୍କୁ ସରକାରୀ ନିର୍ଦ୍ଦେଶାବଳୀ ପାଳନ କରିବାକୁ ପରାମର୍ଶ ଦିଆଯାଇଛି । ପାଣିପାଗ ବିଭାଗ ଏହି ସିଷ୍ଟମ୍ ଉପରେ ତୀକ୍ଷ୍ଣ ନଜର ରଖିଛି ।
ଏପଟେ ରାଜ୍ୟରେ କାଳବୈଶାଖୀ ପ୍ରଭାବ ଜାରିରହିଛି । ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ଅନ୍ୟପଟେ ଆଗାମୀ୨-୩ ଦିନ ପର୍ଯ୍ୟନ୍ତ ସର୍ବାଧିକ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ । ଏହା ପରେ ୨ ରୁ ୪ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇପାରେ ତାପମାତ୍ର ।
