Monday, April 13, 2026
28.8 C
Odisha

    ବଞ୍ଚିବାର ମାନେ

    ଆଗକୁ ପଢନ୍ତୁ

     

    ଆମେ ବଞ୍ଚିବା ପାଇଁ ଖାଉ । ଖାଇବା ପାଇଁ ବଞ୍ଚିବା ଠିକ୍ ନୁହେଁ । କାରଣ, ଜୀବନରେ ଖାଇବା ଛଡା ଆମର ଆହୁରି ଅଧିକ କିଛି କର୍ତ୍ତବ୍ୟ ଓ ଦାୟିତ୍ଵ ରହିଛି । ଜୀବନ ନିଶ୍ଚିତ ରୂପେ ବିଲୟଶୀଳ । ହେଲେ ବି ମନୁଷ୍ୟ ପାଇଁ ଏକ ଉଚ୍ଚତର ଓ ମହାନ୍ ଉଦ୍ଦେଶ୍ୟ ସାଧନ କରିବାର ପ୍ରୟୋଜନ ରହିଛି । ଜନ୍ମବେଳେ ପିଲାଟିଏ କାନ୍ଦିଥାଏ ଏବଂ ଘରର ଅନ୍ୟ ସମସ୍ତେ ଖୁସି ହୁଅନ୍ତି । ତେଣୁ ଜୀବନ କାଳରେ ଆମେ ଏପରି କର୍ମ ସବୁ କରିବା ଯେପରିକି ମୃତ୍ୟୁବେଳକୁ ଆମେ ଆତ୍ମସନ୍ତୋଷର ହସ ହସି ମରିବା ଏବଂ ଅନ୍ୟମାନେ ଆମ ମୃତ୍ୟୁର ଦୁଃଖରେ କାନ୍ଦିବେ ।

    କେତେକ କହନ୍ତି, ବଞ୍ଚିରହି ଲାଭ କ’ଣ ? ସେମାନେ କିନ୍ତୁ ଭାବିବା ଉଚିତ ହେବ ଯେ, ବଞ୍ଚିଲେ କ୍ଷତି କ’ଣ ? ଲାଭକ୍ଷତିର ହିସାବ ପାଇଁ ଏ ଜୀବନ ନୁହେଁ । କେତେଜନ୍ମ ପରେ ଏ ମନୁଷ୍ୟ ଜନ୍ମ ମିଳେ । ଏ ଦୁର୍ଲ୍ଲଭ ଜନ୍ମ ହୋଇଛି କିଛି କରି ଏ ଦୁନିଆକୁ ଦେଖାଇଦେବା ପାଇଁ । ଆମେ ଖ୍ୟାତିସମ୍ପନ୍ନ ମହାପୁରୁଷ ହୋଇନପାରୁ, କିନ୍ତୁ ସେହି ବ୍ୟକ୍ତିତ୍ଵମାନଙ୍କର ଜୀବନ ଦର୍ଶନ ଆମକୁ ପ୍ରେରଣା ଦେଇ ଅବଶ୍ୟ ମହାନ୍ କରାଇପାରିବ । ଆମ ପରିବାରଟିକୁ ର ସମ୍ଭାଳିବା ପରେ ଯାଇ ଦଶ ଓ ଦେଶ କଥା ଭାବିବା । ସତ୍‌କର୍ମ, ଆତ୍ମବିଶ୍ଵାସ, ଦୃଢ କର୍ତ୍ତବ୍ୟନିଷ୍ଠାର ସହ ପରିବାର ପାଇଁ ସୁଗୃହସ୍ତ ଓ ସୁଗୃହିଣୀ ବା ସୁପୁତ୍ର କନ୍ୟା ହୋଇପାରିଲେ ହିଁ ମାନବ ଜୀବନରେ ସାର୍ଥକତା ମିଳେ । ଈର୍ଷାପରାୟଣ ଓ ପରଶ୍ରୀକାତରତା ପରି ଧୈର୍ଯ୍ୟହୀନତା, ରାଗ, ରୁଷା, ଅହଂଭାବ ଓ ଅଭିମାନ ଭଳି କେତେକ ଗୁଣ ମାନବକୁ ନିନ୍ଦିତ କରାଇଥାଏ । ଅନ୍ୟମାନଙ୍କ ପରି ଜଣେ ହେବାକୁ ହେଲେ ଖାଲି ଈର୍ଷାନ୍ବିତ ହେଲେ ଚଳିବ ନାହିଁ । ନିଜର କ୍ଷମତା ଦେଖି ‘ଯେତିକି ଚୂନା ସେତିକି ପିଠା’ ନ୍ୟାୟକୁ ମନେରଖି ଚଳିବାକୁ ପଡିବ । ଭଗବାନ ବା ଅବତାରୀ ପୁରୁଷ ବୁଦ୍ଧଙ୍କର ବାଣୀ ଥିଲା, ‘କାମନାର ବିନାଶରେ ଦୁଃଖଇ ବିନାଶ ।‘ ଏଇଟା ନିଶ୍ଚୟ ସର୍ବସମ୍ମତ ମତ ଯେ, ଜୀବ ଥିଲେ ଲୋଭ ଅଛି। କାମନା ହିଁ ଦୁଃଖର କାରଣ । ବିନା କାମନାରେ ବଞ୍ଚି ହେବନାହିଁ । ତଥାପି କାମନାର ସୀମାଙ୍କନ କରିବା ନିହାତି ପ୍ରୟୋଜନ । ଠିକ୍ ସେମିତି ଆସକ୍ତି କିଛି ପରିମାଣରେ ରହିପାରେ, କିନ୍ତୁ ଅତି ଆସକ୍ତି ଖୁବ୍ ଦୁଃଖ ଓ ମାନସିକ ଚାପର କାରଣ । କାମନାର ବିନାଶ କରିପାରିଲେ ଆମ ଦୁଃଖର ମାତ୍ରା କମିଯିବ । ଯିଏ ଯେତେ କାର୍ଯ୍ୟବ୍ୟସ୍ତ ତା’ର ଦୁଃଖର ପରିମାଣ ସେତେ କମ୍ । ଦୁଃଖ ଭାବିବାକୁ ସମୟ ନାହିଁ । ତେଣୁ ‘କର୍ମ ମୋହର ନିଜ ଗୁରୁ’ କୁ ମାନିନେଇ ବଞ୍ଚିବାଟା ଶ୍ରେୟସ୍କର । ଏ ଜୀବନ ସଙ୍ଘର୍ଷମୟ । ବଞ୍ଚିବା ଓ ବଢିବା ପାଇଁ ମଣିଷକୁ ସୈନିକ ସାଜି ଲଢ଼େଇରେ ଅବତୀର୍ଣ୍ଣ ହେବାକୁ ପଡିବ । ହାରିବା ଓ ଜିତିବା ବଡ କଥା ନୁହେଁ, କିନ୍ତୁ ପଛଘୁଞ୍ଚା ଦେବା ଠିକ୍ ନୁହେଁ । ମିଥ୍ୟା ଛଳନା ଓ ଅଳିକ ସଂସାରରେ ଜନ୍ମର ସାର୍ଥକତା ବଜାୟ ରଖିବାର ଦୃଢ ଯୁକ୍ତାତ୍ମକ ମନୋବୃତ୍ତି ନେଇ ଆଗେଇଯିବା ହିଁ ମାନବର ମହାନ୍ ଧର୍ମ ।

    ‘ମୁଁ ଭାଙ୍ଗିବିନି କିମ୍ବା ଥକିପଡ଼ିବିନି, ମୋର ଚଲାପଥରେ ଯଦିଓ ଝଡ ଆସେ, କଣ୍ଟାମାଡେ’ ଜୀବନରେ ପ୍ରତି ମୂହୁର୍ତ୍ତରେ ଏଇ ଶପଥ ନେଇ ଦୁଃଖ ଓ ସୁଖକୁ ସମଭାବରେ ଆଦରି କର୍ମ ସମ୍ପାଦନ କରିବା ଉଚିତ୍ । ଉତ୍କଳମଣି ଗୋପବନ୍ଧୁଙ୍କ ଭାଷାରେ- ‘ମାନବ ଜୀବନ ନୁହଁଇ କେବଳ ବର୍ଷ ମାସ ଦିନ ଦଣ୍ଡ, କର୍ମେ ଜିଏଁ ନର କର୍ମ ଏକା ତା’ର ଜୀବନର ମାନଦଣ୍ଡ ।‘

    ଏଣୁ ମନୁଷ୍ୟ ସର୍ବଂସହା ଭାବରେ ମାନବିକ ମୂଲ୍ୟବୋଧ ବଜାୟ ରଖି ଜନ୍ମର ସାର୍ଥକତା ହାରିଯିବାରେ ନୁହେଁ, ଜିତିବାର ଆଶା ନେଇ ଜୀବନ ନଦୀରେ ସଫଳ ନାବିକ ହୋଇପାରିଲେ ବଞ୍ଚିବାର ମାନେ ଯଥାର୍ଥ ହୋଇପାରିବ ।

    କାହାଣୀ- ନିରଞ୍ଜନ ପତି

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.8 ° C
    28.8 °
    28.8 °
    29 %
    2.1kmh
    0 %
    Mon
    29 °
    Tue
    41 °
    Wed
    43 °
    Thu
    44 °
    Fri
    43 °

    ସମ୍ବନ୍ଧିତ