ନରସିଂପୁର: ମା’ ଭଟ୍ଟାରିକାଙ୍କ ବେଢା ଛୁଇଁଲା ବନ୍ୟାଜଳ । ମନ୍ଦିର ବେଢାରେ ଲହଡି ଖେଳୁଛି ବନ୍ୟାଜଳ । ମନ୍ଦିର ବେଢାରେ ପଶିଛି ପାଣି । ଏବେ ପାଣି ଘେରରେ ବଡମ୍ବାର ଭଟ୍ଟାରିକା ମନ୍ଦିର । ମହାନଦୀର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଡ୍ୟାମ ଗେଟ୍ ଖୋଲିଛି । ତେଣୁ ତଳମୁଣ୍ଡକୁ ପାଣି ଆସିଛି । ଏହି ବନ୍ୟାପାଣି ଯୋଗୁଁ ମନ୍ଦିର ବାହାର ବେଢାରେ ଆଣ୍ଠୁଏ ଲେଖାଏଁ ପାଣି ଜମି ରହିଛି ।
ମହାନଦୀରେ ଏବେ ପ୍ରବଳ ବେଗରେ ବନ୍ୟାଜଳ ପ୍ରବାହିତ ହେଉଛି । କଟକ ଜିଲ୍ଲା ବଡମ୍ବାର ପ୍ରସିଦ୍ଧ ମା’ ଭଟ୍ଟାରିକାଙ୍କ ମନ୍ଦିର ବେଢାରେ ଚଳିତ ବର୍ଷର ଇଏ ହେଉଛି ତୃତୀୟ ବନ୍ୟାଜଳ ପ୍ରବେଶ । ମୁଖ୍ୟ ମନ୍ଦିରେ ବନ୍ୟା ପାଣି ଯୋଗୁଁ ପୂଜକ ସମାଜ ଓ ଦେବୋତ୍ତର ବିଭାଗ ପକ୍ଷରୁ ମାଆଙ୍କ ଚଳନ୍ତି ପ୍ରତିମାକୁ ଆଶ୍ରୟ ସ୍ଥଳକୁ ନେବା ପାଇଁ ପ୍ରକ୍ରିୟା ଚଳାଇଛନ୍ତି ।
ପ୍ରଶାସନ ପକ୍ଷରୁ ଏହାକୁ ନେଇ ବ୍ୟବସ୍ଥା କରାଯାଇଛି । ଅପର ପକ୍ଷରେ ସକାଳୁ ସ୍ନାନ ପରେ ଚନ୍ଦନଲାଗି, ବଲଭ, ମଙ୍ଗଳଆଳତି, ସକାଳଧୂପ ଓ ଖେଚେଡ଼ି ଭୋଗ ଲାଗି କରାଯାଇଛି । ସ୍ଥିତି ଅନୁଧ୍ୟାନ ପାଇଁ ଭତାରିକା ପୀଠରେ ସ୍ଥାନୀୟ ତହସିଲଦାର ଦେବତର ଅଧିକାରୀ ସ୍ଵାଶତଃ ରଞ୍ଜନ ଦାସ ପହଞ୍ଚିଛନ୍ତି ।
ଏବେ ପ୍ରବଳ ବନ୍ୟା ଜଳ ଥିବାରୁ ମହାନଦୀକୁ ଯିବା ପାଇଁ ସମସ୍ତଙ୍କୁ ବାରଣ କରାଯାଇଛି । ଏପଟେ ମନ୍ଦିରରେ ଏପରି ସ୍ଥିତିରେ ମା’ଙ୍କ ନୀତିକାନ୍ତି ସଂପାଦନ କରିବାରେ ମଧ୍ୟ ପୂଜକଙ୍କ ପାଇଁ ସମସ୍ୟା ସୃଷ୍ଟି ହେଉଛି । ମନ୍ଦିର ଚାରିକଡେ ପାଚେରୀ ନଥିବାରୁ ବନ୍ୟା ଜଳ ମନ୍ଦିର ବେଢାକୁ ପ୍ରବେଶ କରୁଛି ବୋଲି କହିଛନ୍ତି ସ୍ଥାନୀୟ ଲୋକେ । ଫଳରେ ଲୋକମାନେ ମାଆଙ୍କ ଦର୍ଶନ କରିବାରୁ ବଞ୍ଚିତ ହୋଇଛନ୍ତି ।
ସ୍ଥାନୀୟ ଲୋକଙ୍କ କହିବାନୁସାରେ ପୂର୍ବ ବର୍ଷମାନଙ୍କରେ ମହାନଦୀରେ ପାଣି ଆସିଲେ ମନ୍ଦିରକୁ ପାଣି ମାଡେ । ଏହି ପାଣିକୁ ନିଷ୍କାସନ କରିବାର ବି କୌଣସି ବାଟ ନାହିଁ । ନଦୀରୁ ପାଣି ଛାଡିବା ପରେ ମନ୍ଦିର ପାଣି ଘେରରୁ ମୁକ୍ତ ହୋଇଥାଏ । ତେଣୁ ମନ୍ଦିରର ଉନ୍ନତିକରଣ ଯୋଜନାରେ ଏହି କଥାକୁ ବିଶେଷ ଧ୍ୟାନ ଦେବା ପାଇଁ ଲୋକେ ଦାବି କରିଛନ୍ତି ।..s