ଶରଧାବାଲିରେ ଦଳାଚକଟା ଓ ଶ୍ରଦ୍ଧାଳୁଙ୍କ ମୃତ୍ୟୁକୁ ନେଇ ରାଜ୍ୟ ସରକାର ବଡ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି | ଦାୟିତ୍ୱରେ ଅବହେଳା କାରଣରୁ ରାଜ୍ୟ ସରକାର ପୁରୀ ଜିଲ୍ଲାପାଳ ଓ ଏସପିଙ୍କୁ ବଦଳି କରିଛନ୍ତି | ପୁରୀ ଜିଲ୍ଲାପାଳ ଥିବା ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଓ ଏସପି ବିନୀତ ଅଗ୍ରୱାଲଙ୍କୁ ବଦଳି କରାଯାଇଥିବାବେଳେ ସେମାନଙ୍କ ସ୍ଥାନରେ ଚଂଚଳ ରାଣାଙ୍କୁ ଜିଲ୍ଲାପାଳ ଓ ପିନାକ ମିଶ୍ରଙ୍କୁ ଏସପି ଭାବେ ଦାୟିତ୍ୱ ଦିଆଯାଇଛି |
ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କୁ ସାଧାରଣ ପ୍ରଶାସନ ବିଭାଗ ଓଏସଡି ଦାୟିତ୍ବ ଦିଆଯାଇଥିବାବେଳେ ଆଡିସନାଲ ଏସପି ଥିବା ବିଷ୍ଣୁ ପତି ଓ କମାଣ୍ଡାଣ୍ଟ ଅଜୟ ପାଢ଼ୀଙ୍କୁ ମଧ୍ୟ ରାଜ୍ୟ ସରକାର ସସ୍ପେଣ୍ଡ୍ କରିଛନ୍ତି | ମୃତ ଶ୍ରଦ୍ଧାଳୁଙ୍କ ପରିବାର ଲୋକଙ୍କୁ ୨୫ ଲକ୍ଷ ଟଙ୍କାର ସହାୟତା ଘୋଷଣା କରାଯାଇଛି | ଶରଧାବାଲି ଦଳାଚକଟାରେ ୩ ଶ୍ରଦ୍ଧାଳୁଙ୍କ ଜୀବନ ଚାଲିଯାଇଥିବାବେଳେ ଉନ୍ନୟନ କମିଶନରଙ୍କୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି | ରଥଯାତ୍ରାରେ ଭିଡ଼ଜନିତ ଅଘଟଣ ପାଇଁ ମୁଖ୍ୟମନ୍ତ୍ରୀ କଡ଼ା ପଦକ୍ଷେପ ନେଇଛନ୍ତି |