ଉତ୍ତରାଖଣ୍ଡ : ଡେରାଡୁନ୍ ବଦ୍ରିନାଥ ମନ୍ଦିର ଦାନ ଅର୍ଥ ଚୋରି ମାମଲାରେ କର୍ମଚାରୀ ପ୍ରମୋଦ ନୌଟିୟାଲଙ୍କୁ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତକୁ ପଚରାଉଚରା ପାଇଁ ପୋଲିସ ଟିମ ବଦ୍ରିନାଥ ନେଇ ଯାଉଛି । ମାମଲା ରୁଜୁ ହେବା ପରେ ପ୍ରମୋଦ ନୌଟିୟାଲ ଫେରାର ରହିଥିଲେ । ପୋଲିସ ତାଙ୍କୁ ଖୋଜି ଗିରଫ କରିଛି । ମାମଲାରେ ଅନ୍ୟ ଲୋକଙ୍କ ଭୂମିକା ଯାଞ୍ଚ କରାଯାଉଛି ।
ଡେରାଡୁନରୁ ଗିରଫ ହୋଇଥିବା ପ୍ରମୋଦଙ୍କୁ ନେଇ ଏସଆଇଟି ଚମୋଲି ଅଭିମୁଖେ ଯାତ୍ରା କରିଛି । ଏସଆଇଟି ପ୍ରମୋଦଙ୍କୁ ନେଇ ବଦ୍ରିନାଥରେ ପହଞ୍ଚିଛି । ପ୍ରମୋଦ ନୌଟିୟାଲଙ୍କୁ ରବିବାର ରାତି ପ୍ରାୟ ୮ଟାରେ ଡେରାଡୁନରେ ଅଟକ ରଖାଯାଇଥିଲା । ସେ ବଦ୍ରିନାଥ ମନ୍ଦିରରେ ନୈବେଦ୍ୟ ଏବଂ ଦାନ ତଦାରଖ କାର୍ଯ୍ୟ ଦାୟିତ୍ୱରେ ଥିଲେ । ବଦ୍ରିନାଥ ମନ୍ଦିରରେ ନୈବେଦ୍ୟରେ ହୋଇଥିବା ଅନିୟମିତତା ଅଭିଯୋଗ ସାମ୍ନାକୁ ଆସିଥିଲା । ଏହାପରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଏକ ଏସଆଇଟି୍ ତଦନ୍ତ ନିର୍ଦ୍ଦେଶ ଦେଇଥଲେ ।
ପ୍ରମୋଦ ନୌଟିୟାଲ୍ ବଦ୍ରିନାଥ-କେଦାରନାଥ ମନ୍ଦିର କମିଟି (BKTC)ର ଅଧ୍ୟକ୍ଷଙ୍କ ବ୍ୟକ୍ତିଗତ ସହାୟକ ଭାବରେ କାର୍ଯ୍ୟ କରୁଥିଲେ । ଉତ୍ତରାଖଣ୍ଡର ବଦ୍ରିନାଥ ମନ୍ଦିର ଏବଂ ଅନ୍ୟାନ୍ୟ ମନ୍ଦିରର ପରିଚାଳନା କରୁଥିବା ଏକ ସଂସ୍ଥା ହେଉଛି BKTC । ବଦ୍ରିନାଥ ଧାମରେ ଦାନ ପରିଚାଳନାରେ ଅନିୟମିତତା ହୋଇଥିବା ଅଭିଯୋଗ ପରେ ଏକ ପ୍ରାଥମିକ ଆଭ୍ୟନ୍ତରୀଣ ତଦନ୍ତ ପରେ ତାଙ୍କୁ ନିଲମ୍ବିତ କରାଯାଇଥିଲା ।
ସୂଚନାଯୋଗ୍ୟ, ଅଯୋଧ୍ୟା ରାମ ମନ୍ଦିର ଦାନ ଚୋରି ମାମଲା ପରେ ବଦ୍ରିନାଥ ଦାନ ଚୋରି ମାମଲା ସାମ୍ନାକୁ ଆସିଥିଲା । ଜୁଲାଇ ୨ ତାରିଖରେ ଚୋରି ମାମଲା ସାମନାକୁ ଆସିଥିଲା । ରାମ ମନ୍ଦିର ଚୋରି ମାମଲାରେ ଗିରଫ ଅଭିଯୁକ୍ତମାନଙ୍କୁ ପଚରାଉଚରା ଓ ସିସିଟିଭି ଫୁଟେଜ୍ ଯାଞ୍ଚ ପରେ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଜାଣିବାକୁ ପାଇଛି ଯେ, ମାତ୍ର ୪୦ ଦିନରେ ୭୦ ଥର ଦାନ ଅର୍ଥ ଚୋରି କରାଯାଇଥିଲା । ଦାନବାକ୍ସରୁ ଟଙ୍କା ବାହାର କରି ଗଣତି ସମୟରେ କିଛି କର୍ମଚାରୀ ଲୁଚାଇ ନେଉଥିଲେ । ପଚରାଉଚରା ବେଳେ ଅଭିଯୁକ୍ତମାନେ ପ୍ରାୟ ୨ରୁ ୩ କୋଟି ଟଙ୍କା ଚୋରି କରିଥିବା ସୂଚନା ମିଳିଛି ।
