ନୂଆଦିଲ୍ଲୀ: ସଂସଦର ଦୁଇ ସଦନରେ ଦୁଇ ଗୁରୁତ୍ୱପୂର୍ଣ୍ଣ ବିଲ୍ ପାରିତ । ପେପର ଲିକ୍ ଉପରେ କଡ଼ା ଆଇନ ସହ ‘ବନ୍ଦେ ମାତରମ୍’କୁ ମିଳିଲା ସମର୍ଥନ । ବୁଧବାର ସଂସଦର ଦୁଇ ସଦନରେ ଶିକ୍ଷା ବ୍ୟବସ୍ଥା ଓ ଜାତୀୟ ଭାବନା ସହ ଜଡ଼ିତ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଗକୁ ବଢ଼ିଛି । ଲୋକସଭାରେ ପବ୍ଲିକ ଏକ୍ଜାମିନେସନ୍ସ (ପ୍ରିଭେନ୍ସନ୍ ଅଫ୍ ଅନଫେୟାର୍ ମିନ୍ସ) ସଂଶୋଧନ ବିଲ୍–୨୦୨୬ ପାରିତ ହୋଇଛି। ଏହି ବିଲ୍ ମାଧ୍ୟମରେ ପ୍ରଶ୍ନପତ୍ର ଲିକ୍, ସଂଗଠିତ ପରୀକ୍ଷା ଦୁର୍ନୀତି ଓ ଅସାଧୁ ଉପାୟ ବିରୋଧରେ ଅଧିକ କଡ଼ା ଦଣ୍ଡ, ତଦନ୍ତ କ୍ଷମତା ଏବଂ ଆଇନଗତ ବ୍ୟବସ୍ଥାକୁ ସୁଦୃଢ଼ କରାଯାଇଛି । ବନ୍ଦେ ମାତରମ୍..ର ଅସମ୍ମାନ କଲେ ଜାତୀୟ ସଂଗୀତ ଭଳି ଦଣ୍ଡ ଭୋଗିବେ । ଏଥିପାଇଁ ତିନି ବର୍ଷ ପର୍ଯ୍ୟନ୍ତ ଜେଲ୍ ଓ ଜରିମନା ହୋଇ ପାରେ ।
ଅନ୍ୟପଟେ, ରାଜ୍ୟସଭାରେ ‘ବନ୍ଦେ ମାତରମ୍ ବିଲ୍–୨୦୨୬’ ପାରିତ କରିଛି । ଏହି ବିଲ୍ ରେ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନରେ ‘ବନ୍ଦେ ମାତରମ୍’ ଗାନକୁ ବାଧ୍ୟତାମୂଳକ କରିବାର ବ୍ୟବସ୍ଥା ରହିଛି । ତେବେ ନିର୍ଦ୍ଦିଷ୍ଟ ବ୍ୟତିକ୍ରମ ପରିସ୍ଥିତିରେ ଛାଡ଼ ବ୍ୟବସ୍ଥା ମଧ୍ୟ ରହିଛି । ଉଭୟ ବିଲ୍ ବର୍ତ୍ତମାନ ସଂବିଧାନ ସମ୍ମତ ପରବର୍ତ୍ତୀ ବିଧାନ ପ୍ରକ୍ରିୟାକୁ ଅଗ୍ରସର ହେବ । ରାଜ୍ୟସଭାରେ ଜାତୀୟ ସମ୍ମାନ ଅପମାନ ନିବାରଣ ଆଇନ, ୧୯୭୧ ରେ ସଂଶୋଧନ ବିଲ୍ ପାସ୍ ହୋଇଛି । ଏହି ସଂଶୋଧନ ଅନୁଯାୟୀ, ‘ବନ୍ଦେ ମାତରମ୍’କୁ ଇଚ୍ଛାକୃତ ଭାବେ ଅପମାନ କରିବା କିମ୍ବା ଗାନ ସମୟରେ ବାଧା ସୃଷ୍ଟି କରିବା ଦଣ୍ଡନୀୟ ଅପରାଧ ହୋଇପାରେ । ଦୋଷୀ ସାବ୍ୟସ୍ତ ହେଲେ ସର୍ବାଧିକ ୩ ବର୍ଷ ଜେଲ୍, ଜରିମାନା କିମ୍ବା ଉଭୟ ହୋଇପାରେ ।
