Friday, October 2, 2026
22.2 C
Odisha

    ବାଂଲାଦେଶରେ ହିନ୍ଦୁ ଯୁବକଙ୍କୁ ହତ୍ୟା ଘଟଣା: ୭ଅଭିଯୁକ୍ତଙ୍କୁ ଗିରଫ କଲା ପୁଲିସ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ  : ଗତବର୍ଷ  ବାଙ୍ଗଲାଦେଶରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ବିରୋଧରେ ହିଂସାତ୍ମକ ପ୍ରତିବାଦର ନେତୃତ୍ୱ ନେଇଥିବା ଛାତ୍ରନେତା ଉସମାନ ହାଦିଙ୍କ ଗୁରୁବାର ମୃତ୍ୟୁ ଘଟିଥିଲା। ତାଙ୍କର ମୃତ୍ୟୁ ହେବା ପରେ ବାଂଲାଦେଶରେ ଉତ୍ତେଜନା ବୃଦ୍ଧି ପାଇଛି। ଦଙ୍ଗାକାରୀମାନେ ପୁଣି ଜଳାପୋଡ଼ା କରିବା ଆରମ୍ଭ କରିଛନ୍ତି। ବାଂଲାଦେଶରେ ଚାଲିଥିବା ହିଂସା ଏବଂ ପ୍ରତିବାଦ ମଧ୍ୟରେ, କଠୋରପନ୍ଥୀଙ୍କ ନଗ୍ନ ଚେହେରା ସାମ୍ନାକୁ ଆସିଛି। ଶୁକ୍ରବାର ମୈମନସିଂ ଜିଲ୍ଲାରେ ଏକ ଧାର୍ମିକ ବ୍ୟକ୍ତିଙ୍କୁ ନିନ୍ଦା ଅଭିଯୋଗରେ ଜଣେ ହିନ୍ଦୁ ଯୁବକଙ୍କୁ ନିର୍ମମ ଭାବରେ ହତ୍ୟା କରିଥିଲେ ଦଙ୍ଗାକାରୀ। ଏହି ଅପରାଧ ପାଇଁ ଏବେ ପୁଲିସ ୭ଜଣଙ୍କୁ ଗିରଫ କରିଛି। ବାଂଲାଦେଶର ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ୍ କହିଛନ୍ତି ଯେ, ରାପିଡ୍ ଆକ୍ସନ୍ ବାଟାଲିଅନ୍ ବିଭିନ୍ନ ସ୍ଥାନରେ ସର୍ଚ୍ଚ ଅପରେସନ୍ କରିବା ପରେ ଭିଡ଼ ହିଂସା ଘଟଣାରେ ୭ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛି। ସେମା‌ନେ ହେଲେ ମହମ୍ମଦ ଲିମନ ସରକାର, ମହମ୍ମଦ ତାରେକ୍ ହୋସେନ୍, ମହମ୍ମଦ ମାଣିକ୍ ମିୟା, ଏରଶାଦ ଅଲି, ନିଜୁମ୍ ଉଦ୍ଦିନ୍, ଆଲୋମଗିର ହୋସେନ୍ ଏବଂ ମହମ୍ମଦ ମିରାଜ ହୋସେନ୍ ଆକନ୍। ସୂଚନା ମୁତାବକ, ମୃତକଙ୍କ ନାମ ଦୀପୁ ଚନ୍ଦ୍ର ଦାସ। ସେ ଭାଲୁକା ଉପକଣ୍ଠ ଦୁବାଲିଆ ପାରା ଅଞ୍ଚଳରେ ଭଡ଼ାରେ ରହୁଥିଲେ। ଘର ଚଳାଇବା ପାଇଁ ସେ କପଡ଼ା କାରଖାନାରେ କାମ କରୁଥିଲେ। ଉତ୍ତ୍ୟକ୍ତ ଜନତା ଦୀପୁ ଚନ୍ଦ୍ରଙ୍କୁ ହତ୍ୟା କରିବା ପରେ ତାଙ୍କ ମୃତଦେହକୁ ଏକ ଗଛରେ ବାନ୍ଧି ନିଆଁ ଲଗାଇ ଦେଇଥିଲେ।ଅଭିଯୋଗ ହୋଇଛି ଯେ, ଦଂଗାକାରୀମାନେ ଦୀପୁ ଚନ୍ଦ୍ର ଦାସଙ୍କୁ ପିଟି ପିଟି ହତ୍ୟା କରିଥିଲେ। ତା’ପରେ ତାଙ୍କ ମୃତଦେହକୁ ଗଛରେ ବାନ୍ଧି ନିଆଁ ଲଗାଇ ଦେଇଥିଲେ। ସୂଚନାପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା ​​ଏବଂ ମୃତଦେହକୁ ଉଦ୍ଧାର କରିଥିଲା। କିଛି ଦିନ ପୂର୍ବରୁ ୩୪ ବର୍ଷୀୟ ହାଦିଙ୍କୁ ଗୁଳି କରାଯାଇଥିଲା ଏବଂ ସେ ଆହତ ହୋଇ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଗୁରୁବାର ମୃତ୍ୟୁ ହୋଇଥିଲା। ସେ ପ୍ରଖର ଭାରତ ବିରୋଧୀ ଭାବେ ଜଣାଶୁଣା ଥିଲେ ।ସେ ସିଙ୍ଗାପୁର ଜେନେରାଲ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ, ଯେଉଁଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଇନକିଲାବ ମଞ୍ଚ ଏକ ଫେସବୁକ୍ ପୋଷ୍ଟରେ ତାଙ୍କ ମୃତ୍ୟୁ ନିଶ୍ଚିତ କରିଥିଲା। ଡିସେମ୍ବର ୧୨ ତାରିଖରେ ଢାକାର ପୁରୁଣା ପଲଟନ ଅଞ୍ଚଳରେ ବ୍ୟାଟେରୀ ଚାଳିତ ରିକ୍ସାରେ ନିର୍ବାଚନ ପ୍ରଚାର କରୁଥିବା ସମୟରେ ସ୍ପଷ୍ଟ ଦିବାଲୋକରେ ତାଙ୍କୁ ମୋଟରସାଇକେଲ ଆତତାୟୀମାନେ ଗୁଳି କରିଥିଲେ। ଗୁଳି ତାଙ୍କ ମୁଣ୍ଡରେ ବାଜିଥିଲା, ଯାହା ଫଳରେ ହାଦି ଗୁରୁତର ହୋଇପଡ଼ିଥିଲେ। ତାଙ୍କୁ ପ୍ରଥମେ ଢାକା ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ତାଙ୍କୁ ଲାଇଫ୍ ସପୋର୍ଟରେ ରଖାଯାଇଥିଲା। ପରେ ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ସିଙ୍ଗାପୁରକୁ ଏୟାରଲିଫ୍ଟ କରାଯାଇଥିଲା, କିନ୍ତୁ ସେ ବଞ୍ଚି ପାରି ନଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.2 ° C
    22.2 °
    22.2 °
    79 %
    1kmh
    28 %
    Fri
    30 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ