Friday, November 20, 2026
18.6 C
Odisha

    ବାରମ୍ବାର ଆଡ଼ ଦେଖି ବିରକ୍ତି ହୋଇଯାଉଛନ୍ତି କି ? ସେଟିଂ ବନ୍ଦ ରଖିବାର ଜାଣନ୍ତୁ ସହଜ ଟ୍ରିକ୍ସ

    ଆଗକୁ ପଢନ୍ତୁ

    ଆପଣଙ୍କ ସହ କେବେ ଏମିତି ହୋଇଛି କି? ଆପଣ ଫୋନ୍‌ରେ କୌଣସି ସାଙ୍ଗଙ୍କ ସହ ନୂଆ ଜୋତା କିଣିବା କିମ୍ବା କେଉଁଠି ବୁଲିବାକୁ ଯିବା ବିଷୟରେ କଥା ହେଉଛନ୍ତି । ଆଉ ମାତ୍ର କିଛି ମିନିଟ୍ ପରେ ଇନଷ୍ଟାଗ୍ରାମ୍ କିମ୍ବା ୟୁଟ୍ୟୁବ୍ ଖୋଲିବା ମାତ୍ରେ ସେହି ରିଲେଟେଡ ଆଡ଼ ଆପଣଙ୍କ ସ୍କ୍ରିନ୍‌ରେ ଦେଖାଯାଉଛି । ଅଧିକାଂଶ ଲୋକଙ୍କୁ ଲାଗେ ଯେ ସେମାନଙ୍କ ସ୍ମାର୍ଟଫୋନ୍ ଲୁଚିଛପି ସେମାନଙ୍କ ସବୁ କଥା ଶୁଣୁଛି । କିନ୍ତୁ ଟେକ୍ନୋଲୋଜି ବିଶେଷଜ୍ଞଙ୍କ ମତରେ, ପ୍ରତ୍ୟେକ ଥର ଫୋନ୍‌ର ମାଇକ୍ରୋଫୋନ୍ ଆପଣଙ୍କ କଥା ଶୁଣୁନଥାଏ । ବରଂ ଏହା ପଛରେ କମ୍ପାନୀଗୁଡ଼ିକର ଅତ୍ୟାଧୁନିକ ଡାଟା ଟ୍ରାକିଂ ଆଲଗୋରିଦମ୍ କାମ କରିଥାଏ ।

    ଆପଣଙ୍କ ଲୋକେସନ୍, ସର୍ଚ୍ଚ ହିଷ୍ଟ୍ରି, ସପିଂ ଆପ୍‌ରେ ଆପଣଙ୍କ କାର୍ଯ୍ୟକଳାପ ଏବଂ ସାଙ୍ଗମାନଙ୍କ ନେଟୱର୍କକୁ ବେସ କରି ଏହି ସିଷ୍ଟମ୍ ଅନୁମାନ କରିନିଏ ଯେ ଆପଣ ଆଗକୁ କ’ଣ କିଣିବାକୁ ଯାଉଛନ୍ତି । ଯଦି ଆପଣ ମଧ୍ୟ ଏଭଳି ବାରମ୍ବାର ଆସୁଥିବା ବିଜ୍ଞାପନରେ ବିରକ୍ତ ହୋଇଗଲେଣି, ତେବେ ନିଜ ଫୋନ୍‌ର କିଛି ସେଟିଂ ବନ୍ଦ କରି ନିଜ ପ୍ରାଇଭେସିକୁ ସୁରକ୍ଷିତ ରଖିପାରିବେ । ତେବେ ଏଭଳି ଟ୍ରାକିଂରୁ ନିଜକୁ କିପରି ସୁରକ୍ଷିତ ରଖିବେ? ଆସନ୍ତୁ କିଛି ସହଜ ଉପାୟ ଜାଣିବା।

    ୧. ଆପ୍‌ଗୁଡ଼ିକର ମାଇକ୍ରୋଫୋନ୍ ପରମିଶନ୍ ବନ୍ଦ କରନ୍ତୁ
    ଅନେକ ସମୟରେ ଆମେ ତରବରିଆ ଭାବେ କୌଣସି ନୂଆ ଆପ୍ ଇନଷ୍ଟଲ୍ କରିବା ସମୟରେ ତାକୁ କ୍ୟାମେରା, ଲୋକେସନ୍ ଏବଂ ମାଇକ୍ରୋଫୋନ୍ ଭଳି ଅନୁମତି ଦେଇଦେଉ। ସପିଂ, ଗେମିଂ କିମ୍ବା ଫଟୋ ଏଡିଟିଂ ଭଳି ଆପ୍‌ଗୁଡ଼ିକର ମାଇକ୍ରୋଫୋନ୍‌ର ଆବଶ୍ୟକତା ନଥିଲେ ମଧ୍ୟ ସେଗୁଡ଼ିକ ଏହାର ଆକ୍ସେସ୍ ନେଇ ରଖିଥାଇପାରନ୍ତି।

    ଏହାକୁ ବନ୍ଦ କରିବା ପାଇଁ ନିଜ ଫୋନ୍‌ର Settingsକୁ ଯାଆନ୍ତୁ। ସେଠାରେ Privacy କିମ୍ବା App Permissions ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ । ଏହାପରେ Microphone ଉପରେ କ୍ଲିକ୍ କରି କେଉଁ କେଉଁ ଆପ୍‌କୁ ମାଇକ୍ରୋଫୋନ୍ ବ୍ୟବହାର କରିବାର ଅନୁମତି ମିଳିଛି ତାହା ଯାଞ୍ଚ କରନ୍ତୁ । ଯେଉଁ ଆପ୍‌ଗୁଡ଼ିକ ପାଇଁ ମାଇକ୍ରୋଫୋନ୍‌ର ଆବଶ୍ୟକତା ନାହିଁ, ସେଗୁଡ଼ିକର ପରମିଶନ୍ ତୁରନ୍ତ Don’t Allow କରିଦିଅନ୍ତୁ ।

    ଏହା ବ୍ୟତୀତ ଆପଣ ଯଦି ଆଣ୍ଡ୍ରଏଡ୍ ଫୋନ୍ ବ୍ୟବହାର କରୁଛନ୍ତି, ତେବେ Google Accountର Data & Privacy ସେଟିଂକୁ ଯାଆନ୍ତୁ । ସେଠାରେ Web & App Activity ଭିତରେ ଥିବା Include Audio And Voice Activity ଅପ୍ସନ୍‌ର ଟିକ୍ ଚିହ୍ନ ହଟାଇ ଦିଅନ୍ତୁ । ଏହାଦ୍ୱାରା ଗୁଗଲ୍ ସେବାରେ ଆପଣଙ୍କ ଅଡିଓ ଓ ଭଏସ୍ ଆକ୍ଟିଭିଟି ସେଭ୍ ହେବାକୁ ନିୟନ୍ତ୍ରଣ କରିପାରିବେ।

    ୨. ଗୁଗଲ୍ ଆଡ୍ ଟ୍ରାକିଂ ବନ୍ଦ କରନ୍ତୁ
    ଇଣ୍ଟରନେଟ୍‌ରେ ଆପଣ ଯାହା ଦେଖୁଛନ୍ତି କିମ୍ବା ସର୍ଚ୍ଚ କରୁଛନ୍ତି, ଗୁଗଲ୍ ସେହି ତଥ୍ୟ ଆଧାରରେ ଆପଣଙ୍କ ପସନ୍ଦ ସମ୍ପର୍କରେ ଏକ ପ୍ରୋଫାଇଲ୍ ପ୍ରସ୍ତୁତ କରିଥାଏ । ଏହା ଆଧାରରେ ଆପଣଙ୍କୁ ପସନ୍ଦ ଅନୁସାରେ ବିଜ୍ଞାପନ ଦେଖାଯାଏ । ଏହି ଟ୍ରାକିଂକୁ ନିୟନ୍ତ୍ରଣ କରିବା ପାଇଁ ଫୋନ୍‌ର Settingsକୁ ଯାଆନ୍ତୁ। ସେଠାରେ Google ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ। ଏହାପରେ Ads ଅପ୍ସନ୍ ଖୋଲନ୍ତୁ । ଏଠାରେ ଆପଣଙ୍କୁ Delete Advertising ID କିମ୍ବା Reset Advertising ID ଭଳି ଅପ୍ସନ୍ ମିଳିବ ।

    ଏହା ଉପରେ କ୍ଲିକ୍ କରି ନିଜର ପୁରୁଣା ଆଡଭର୍ଟାଇଜିଂ ଆଇଡିକୁ ଡିଲିଟ୍ କିମ୍ବା ରିସେଟ୍ କରିପାରିବେ। ଏହା ସହିତ ଗୁଗଲ୍ ଆକାଉଣ୍ଟର My Ad Centerକୁ ଯାଇ Personalized Ads ଅପ୍ସନ୍‌କୁ ମଧ୍ୟ ବନ୍ଦ କରିଦିଅନ୍ତୁ । ଏହାଦ୍ୱାରା ଆପଣଙ୍କୁ ଦେଖାଯାଉଥିବା ବ୍ୟକ୍ତିଗତ ପସନ୍ଦ ଆଧାରିତ ବିଜ୍ଞାପନ ହ୍ରାସ ପାଇପାରେ । ତେବେ ସମସ୍ତ ବିଜ୍ଞାପନ ବନ୍ଦ ହେବ ନାହିଁ ।

    ୩. ଫେସବୁକ୍ ଓ ଇନଷ୍ଟାଗ୍ରାମ୍‌ର ଡାଟା ଟ୍ରାକିଂ ନିୟନ୍ତ୍ରଣ କରନ୍ତୁ
    କେବଳ ଗୁଗଲ୍ ନୁହେଁ, ଫେସବୁକ୍ ଓ ଇନଷ୍ଟାଗ୍ରାମ୍ ଭଳି ସୋସିଆଲ୍ ମିଡିଆ ଆପ୍‌ଗୁଡ଼ିକ ମଧ୍ୟ ଆପଣଙ୍କ ଅନଲାଇନ୍ କାର୍ଯ୍ୟକଳାପ ସମ୍ପର୍କିତ ତଥ୍ୟ ବ୍ୟବହାର କରି ଆଡ଼ ଦେଖାଇଥାନ୍ତି । ଆପଣ ଅନ୍ୟ କୌଣସି ୱେବସାଇଟ୍‌ରେ କ’ଣ ଦେଖୁଛନ୍ତି କିମ୍ବା କେଉଁ ସପିଂ ଆପ୍‌ରେ କେଉଁ ସାମଗ୍ରୀକୁ କାର୍ଟରେ ରଖୁଛନ୍ତି, ସେହି ତଥ୍ୟ ମଧ୍ୟ ଏହି ଆପ୍‌ଗୁଡ଼ିକ ପାଖରେ ପହଞ୍ଚିପାରେ । ଏହାକୁ ନିୟନ୍ତ୍ରଣ କରିବା ପାଇଁ ଇନଷ୍ଟାଗ୍ରାମ୍ କିମ୍ବା ଫେସବୁକ୍ ଆପ୍‌ର Settingsକୁ ଯାଆନ୍ତୁ । ସେଠାରେ Accounts Center ଖୋଲନ୍ତୁ । ଏହାପରେ Your Information and Permissions ଉପରେ କ୍ଲିକ୍ କରନ୍ତୁ । ଏଠାରେ Your Activity Off Meta Technologies ଅପ୍ସନ୍ ମିଳିବ। ଏହାକୁ ଖୋଲି Disconnect Future Activity ଅପ୍ସନ୍ ଚୟନ କରନ୍ତୁ। ଆବଶ୍ୟକ ହେଲେ ପୂର୍ବରୁ ସଂଗୃହୀତ ଆକ୍ଟିଭିଟି ହିଷ୍ଟ୍ରିକୁ ମଧ୍ୟ କ୍ଲିୟର୍ କରିପାରିବେ । ଯାହାଦ୍ୱାରା ଅନ୍ୟ ୱେବସାଇଟ୍ ଓ ଆପ୍‌ରୁ ସଂଗୃହୀତ ତଥ୍ୟ ଆଧାରରେ ଆପଣଙ୍କୁ ଦେଖାଯାଉଥିବା ଟାର୍ଗେଟେଡ୍ ଆଡ୍‌କୁ ନିୟନ୍ତ୍ରଣ କରିପାରିବେ ।

    ତେଣୁ ନିଜ ସ୍ମାର୍ଟଫୋନ୍‌ର ପ୍ରାଇଭେସି ସୁରକ୍ଷିତ ରଖିବାକୁ ଆଜି ହିଁ ଏହି ସେଟିଂଗୁଡ଼ିକ ଯାଞ୍ଚ କରନ୍ତୁ । ମନେ ରଖନ୍ତୁ, ଏହି ସେଟିଂ ବଦଳାଇବା ଦ୍ୱାରା ଡାଟା ଟ୍ରାକିଂ ଓ ପର୍ସନାଲ ଆଡ଼ ହ୍ରାସ ପାଇପାରେ, କିନ୍ତୁ ସମ୍ପୂର୍ଣ୍ଣ ଟ୍ରାକିଂ ବନ୍ଦ ହେବାର ଗ୍ୟାରେଣ୍ଟି ନାହିଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    18.6 ° C
    18.6 °
    18.6 °
    99 %
    1.4kmh
    100 %
    Fri
    20 °
    Sat
    24 °
    Sun
    28 °
    Mon
    28 °
    Tue
    28 °

    ସମ୍ବନ୍ଧିତ