ବୟସ ବଢିବା ସହ ଶରୀରରେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଯାଏ । ହାଡ଼ ଦୁର୍ବଳ ହେବାକୁ ଲାଗେ ଏବଂ ଅନେକ ପ୍ରକାର ରୋଗ କୁଣିଆ ହୋଇ ଶରୀରକୁ ପ୍ରବେଶ କରନ୍ତି । ଏହାରି ଭିତରୁ ଆଣ୍ଠୁଗଣ୍ଠି ବିନ୍ଧା ସମସ୍ୟା ଏକ ଜଟିଳ ସମସ୍ୟା । ବୟସ ବଢିବା ସଙ୍ଗେ ହାଡ଼ ଫ୍ୟାକ୍ଚର ହେବା ସମସ୍ୟା ମଧ୍ୟ ଲାଗିରୁହେ । ହେଲଥ୍ ଏକ୍ସପର୍ଟଙ୍କ କହିବାନୁସାରେ , ଶରୀରରେ କ୍ୟାଲସିୟମର ଅଭାବ , ଅତ୍ୟଧିକ ମଦ୍ୟପାନ , ଧୂମପାନ ସହ ସନ୍ତୁଳିତ ଆହାର ନଖାଇବା ଏବଂ ନିୟମିତ ବ୍ୟାୟାମ , ଯୋଗାଭ୍ୟାସ ନକଲେ ଶରୀରରେ ଏଭଳି ହାଡ଼ ସମସ୍ୟା ଜନ୍ମ ନେଇଥାଏ ।
ଲମ୍ବା ସମୟ ଧରି ଏଭଳି ଗଣ୍ଠି ସମସ୍ୟା ଦେଖାଗଲେ ଭବିଷ୍ୟତରେ ଚଲାବୁଲା କରିବାଟା ଭାରି କଷ୍ଟସାଧ୍ୟ ହୋଇପଡ଼େ । ଏହି କାରଣ ଯୋଗୁଁ ବୟସ ବଢିବା ସହ ଶରୀରର ମଧ୍ୟ ଧ୍ୟାନ ରଖିବାକୁ ପଡ଼ିବ । ଶରୀର ପାଇଁ ହିତକର ଖାଦ୍ୟ ଖାଇବା ସହ ବ୍ୟାୟାମକୁ ବନ୍ଧୁ କରିବାକୁ ପଡ଼ିବ । ତେବେ ଆସନ୍ତୁ ବଢୁଥିବା ବୟସର ରୋଗ କିମ୍ବା ସମସ୍ୟାକୁ ଅଭିଶାପ ନ ମାନି ଦାମୀ ଗହଣା ପରି ଯତ୍ନ ନେବା ।
ବାର୍ଦ୍ଧକ୍ୟବସ୍ଥାରେ ନିରୋଗ ରହିବାର ପ୍ରଥମ ପାହାଚ ଧୂମପାନ ନ କରିବା । ଧୂମପାନ ଶରୀର ପାଇଁ ହାନିକାରକ ଏହା ଆମେ ସିଗାରେଟ୍ କଭରରୁ ହିଁ ପଢିନେଉ କିନ୍ତୁ କେତେ ଜଣ ଏହାକୁ ଗମ୍ଭୀରତାର ସହ ନେଉଛନ୍ତି ତାହା କହିବାଟା କଷ୍ଟ । ବାର୍ଦ୍ଧକ୍ୟବସ୍ଥାରେ ତ ଏ ଅଭ୍ୟାସକୁ ଛାଡ଼ିବାଟା ନିତାନ୍ତ ଜରୁରୀ । ଶରୀର ପାଇଁ ସଇତାନର କାମ କରେ ଧୂମପାନ , ଏହାଦ୍ବାରା ଆଣ୍ଠୁଗଣ୍ଠି ବିନ୍ଧା ସମସ୍ୟା ମଧ୍ୟ ବଢିଯାଏ । ଏହାଦ୍ବାରା ଶରୀରରେ ଥିବା ଆବଶ୍ୟକୀୟ ପୋଷକ ତତ୍ତ୍ବ ଯେଭଳି କ୍ୟାଲସିୟମ୍ ସ୍ତର କମିଯାଏ । ଏହି ସବୁ ସମସ୍ୟା କାରଣରୁ ଧୂମପାନ କରିବା ଅଭ୍ୟାସକୁ ଦୂରେଇଦେବା ଭଲ । ଏହା ସହ ବାରମ୍ବାର ଚା’ ଓ କଫି ପିଇବା ଅଭ୍ୟାସକୁ ମଧ୍ୟ କମାଇଦିଅନ୍ତୁ । ୪୫ ବର୍ଷ ପାର୍ ହୋଇଗଲେ କିଛି ସମୟ ଅନ୍ତରରେ ସ୍ବାସ୍ଥ୍ୟପରୀକ୍ଷା କରାଇବାକୁ ଡାକ୍ତର ମଧ୍ୟ ପରାମର୍ଶ ଦେଇଥାନ୍ତି । ମହିଳାଙ୍କୁ ବୋନ୍ ମିନେରାଲ୍ ଡେନସିଟି ଟେଷ୍ଟ୍ କରାଇବାକୁ ମଧ୍ୟ କୁହାଯାଏ । ଖାସ୍ କରି ମାସିକ ଋତୁସ୍ରାବର ସମ୍ମୁଖୀନ ହେଉଥିବା ମହିଳାଙ୍କୁ ଏହି ଟେଷ୍ଟ୍ କରାଇବା ନିହାତି ଜରୁରୀ । ଏହି ସମୟରେ ହାଡ଼ ଦୁର୍ବଳ ହେବାକୁ ଲାଗିଥାଏ । ମହିଳାମାନେ ଡାଏଟରେ କ୍ୟାଲସିୟମ୍ ଥିବା ଖାଦ୍ୟ ସାମିଲ୍ କରନ୍ତୁ ।
ସୁସ୍ଥ ଏବଂ ନିରୋଗ ଶରୀର ପାଇଁ ବ୍ୟାୟାମକୁ କରନ୍ତୁ ବନ୍ଧୁ । ବ୍ୟାୟାମ ଦ୍ବାରା ଆଣ୍ଠୁଗଣ୍ଠି ବିନ୍ଧା ସମସ୍ୟା ମଧ୍ୟ ରହେନାହିଁ । ଫିଟନେସ୍ ଏକ୍ସପର୍ଟଙ୍କ କହିବାନୁସାରେ , ବୟସ୍କ ବ୍ୟକ୍ତିବିଶେଷଙ୍କୁ ପ୍ରତିଦିନ ୩୦ ମିନିଟ୍ ବ୍ୟାୟାମ ଅଭ୍ୟାସ କରିବା ନିତାନ୍ତ ଆବଶ୍ୟକ । ଏଥିରେ ମାଂସପେଶୀ ମଜବୁତ ରହିଥାଏ ଏବଂ ଓଜନ ମଧ୍ୟ କଣ୍ଟ୍ରୋଲରେ ରୁହେ । ଆଣ୍ଠୁଗଣ୍ଠି ବିନ୍ଧା ସମସ୍ୟା ମୋଟାପଣ କାରଣରୁ ମଧ୍ୟ ହୋଇଥାଏ । ଏଥିପାଇଁ ନିୟମିତ ବ୍ୟାୟାମ କରନ୍ତୁ ଏବଂ ସୁସ୍ଥ ରୁହନ୍ତୁ ।
ପ୍ରତିଦିନ ଖାଦ୍ୟରେ ସନ୍ତୁଳିତ ଆହାର ସାମିଲ୍ କରନ୍ତୁ ଏଥିପାଇଁ ଡାଏଟରେ ଫଳ , ତଟକା ପରିବା , ଡାଲି ଏବଂ ଡ୍ରାଏଫ୍ରୁଟ୍ ସାମିଲ୍ କରନ୍ତୁ । ଏଥିରେ କ୍ୟାଲସିୟମ୍ , ମ୍ୟାଗ୍ନେସିୟମ୍ ଏବଂ ପୋଟାସିୟମ୍ ମିଳିଥାଏ । ଯାହାଦ୍ବାରା ହାଡ଼ ଷ୍ଟ୍ରଙ୍ଗ୍ ହୋଇଥାଏ । ଡାଏଟ୍ ଚାର୍ଟକୁ ଯଦି ମାନି ଚାଲିବେ ତାହେଲେ ୧୯ ବର୍ଷରୁ ଅଧିକ ବୟସର ଲୋକଙ୍କୁ ପ୍ରତିଦିନ ଡାଏଟରେ ୧୦୦୦ ମିଲିଗ୍ରାମ କ୍ୟାଲସିୟମ୍ ନେବା ଆବଶ୍ୟକ । ଏଥିପାଇଁ କ୍ଷୀର ଏବଂ ଦୁଗ୍ଧଜାତୀୟ ପଦାର୍ଥକୁ ମଧ୍ୟ ଖାଦ୍ୟରେ ସାମିଲ୍ କରିପାରିବେ । ଶରୀର ହିଁ ସଂପଦ ଆଜ୍ଞା ଆଉ ସଂପଦକୁ ସମ୍ଭାଳି ରଖିବା ବୁଦ୍ଧିମତାର ପରିଚୟ । ତେଣୁ ବାର୍ଦ୍ଧକ୍ୟବସ୍ଥାକୁ ବୋଝ ନୁହଁ ବରଂ କିଛି ଅଭ୍ୟାସକୁ ଛାଡ଼ି ଏବଂ କିଛି ଅଭ୍ୟାସକୁ ଆଦରି ବାଟ ଚାଲନ୍ତୁ । ଜୀବନ ଆହୁରି ସୁନ୍ଦର ଲାଗିବ ।