Saturday, October 3, 2026
30.8 C
Odisha

    ଶ୍ରୀମନ୍ଦିରରେ କାଜୁ ମନା କାହିଁକି, ଜାଣନ୍ତୁ ଗୂଢ଼ ରହସ୍ୟ

    ଆଗକୁ ପଢନ୍ତୁ

    ବାଦାମ କହିଲେ, ସାଧାରଣ ଭାବେ ତିନି ପ୍ରକାରର ବାଦାମକୁ ବୁଝାଏ। ପିସ୍ତାବାଦାମ, କାଜୁବାଦାମ ଓ ଚିନାବାଦାମ। ଏ ତିନିଟିଯାକ ବାଦାମ ଆମ ଖାଦ୍ୟଧାରା ସହିତ କାହିଁ କେଉଁ କାଳରୁ ଜଡ଼ିତ। କେବଳ ଆମ ହାଣ୍ଡିଶାଳରେ ନୁହେଁ, ମଠମନ୍ଦିରରେ ପ୍ରସାଦ ପ୍ରସ୍ତୁତିରେ ବାଦାମର ପ୍ରଚଳନ ବେଶ୍‌ ପୁରୁଣା। ବିଶେଷକରି ଅଧିକାଂଶ ବ୍ୟଞ୍ଜନରେ କାଜୁ ବାଦାମ ବ୍ୟବହାର କରାଯାଏ। ସେ ମିଠା କାନିକା ହେଉ କି ଓରିଆ, କିମ୍ବା ଖିରି ହେଉ କି ଲଡୁ; କାଜୁ ନପଡ଼ିଲେ ତାହା ସଂପୂର୍ଣ୍ଣ ହୁଏନାହିଁ।  କିନ୍ତୁ, ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ କାଜୁ ବାଦାମ ମହାପ୍ରଭୁଙ୍କ ଭୋଗରେ ବ୍ୟବହାର କରାଯାଏ ନାହିଁ। ଶ୍ରୀମନ୍ଦିରରେ କାଜୁର ବ୍ୟବହାର ଉପରେ ବାରଣ ରହିଛି।ତାହେଲେ ଆସନ୍ତୁ ଜାଣିବା ସେ ବିଷୟରେ  : –

    ଭ‌ାରତବର୍ଷରେ ସନାତନ ଧାରାରେ ଦେବାଦେବୀଙ୍କ ପ୍ରସାଦକୁ ନେଇ ଯେଉଁ ପ୍ରସିଦ୍ଧି ରହିଛି, ସେଥିମଧ୍ୟରେ ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦର ମହତ୍ତ୍ବ ସର୍ବଶ୍ରେଷ୍ଠ। ମହାପ୍ରଭୁଙ୍କର ମହାପ୍ରସାଦର ପ୍ରଶସ୍ତି ଯେଉଁପରି ସଂସ୍କୃତ ଭାଷାର ଶାସ୍ତ୍ରମାନଙ୍କରେ ବର୍ଣ୍ଣିତ ହୋଇଥିବାର ଦେଖିବାକୁ ମିଳେ ସେହିପରି ଅନ୍ୟ ଦେବଦେବୀଙ୍କ ପ୍ରସାଦର ପ୍ରଶସ୍ତି ମିଳେନାହିଁ। ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦର ନାମକରଣରେ ଅନେକ ଦାର୍ଶନିକ ରହସ୍ୟ ଲୁକ୍କାୟିତ ରହିଛି। କୈବଲ୍ୟ ହେଉ କି ନିର୍ମାଲ୍ୟ ହେଉ, ଅଥବା ମହାପ୍ରସାଦ ଏହାର ସ୍ବତନ୍ତ୍ର ଆଧ୍ୟାତ୍ମିକ ତାତ୍ପର୍ଯ୍ୟ ରହିଛି।

    ଏ ପ୍ରସଙ୍ଗରେ ଶ୍ରୀମନ୍ଦିରର କୋଠଭୋଗ ସୁଆର ବିଶ୍ବନାଥ ସାମନ୍ତରା କହନ୍ତି, ‘‘ଆମ ଶାସ୍ତ୍ରରେ ଅଛି ଭଗବାନ ବିଷ୍ଣୁ କେଉଁ ଦ୍ରବ୍ୟରେ ପ୍ରସ୍ତୁତ ଭୋଜନ ଗ୍ରହଣ କରନ୍ତି। ଯେଉଁ ଭୋଜନ କଣ୍ଟକିତ ହେ‌ାଇ ନଥିବ, କ୍ଷୀରଜାତୀୟ ହୋଇ ନଥିବ, ତାହା ଭୋଗରେ ଲାଗିବ। ମହାପ୍ରଭୁଙ୍କ ୫୬ ଭୋଗ ଭିତରେ ବହୁ ମିଠାଜାତୀୟ ବ୍ୟଞ୍ଜନ ମଧ୍ୟ ରହିଛି। କ୍ଷୀର ସରଠାରୁ ଆରମ୍ଭକରି ଘିଅ, କିସମିସ ଓ ପିସ୍ତା ବାଦାମରେ ତିଆରି ମିଷ୍ଟାନ୍ନ ମହାପ୍ରଭୁଙ୍କର ବହୁତ ପ୍ରିୟ। ହେଲେ ଏ ସବୁ ଭିତରେ କାଜୁ କିନ୍ତୁ କୌଣସି ବ୍ୟଞ୍ଜନରେ ପଡ଼େନାହିଁ। କୁହାଯାଏ, ଯେପରି ଅମୃତଭଣ୍ଡାକୁ କାଟିଲେ ସେଥିରୁ କ୍ଷୀର ବାହାରେ ସେହିପରି କାଜୁରୁ ମଧ୍ୟ କ୍ଷୀର ବାହାରେ। ଏହି କଷ କ୍ଷୀର ଲାଗିଲେ ହାତ କଳାପଡ଼ିଯାଏ ଓ ମୁହଁରେ ଲାଗିଲେ ଘା’ ହୋଇଯାଏ। ଯେହେତୁ ଜୀବନ୍ତ ଠାକୁର ହିସାବରେ ମହାପ୍ରଭୁଙ୍କୁ ସବୁ ରୀତିନୀତି ହୋଇଥାଏ, ତେଣୁ ଅମୃତଭଣ୍ଡା ଭଳି କାଜୁକୁ ବି ଭୋଗରେ ବ୍ୟବହାର କରାଯାଏ ନାହିଁ।

    ପୂର୍ବରୁ ଏ କଥା ସମସ୍ତଙ୍କୁ ଜଣାଥିଲା ଯେ, ଯିଏ କାଜୁ ତୋଳେ ତା’ ହାତ କଳାପଡ଼ିଯାଏ। ତେଣୁ ମନରେ ଗୋଟେ ଭୟ ଥିଲା ଯେ ଆମ ମହାପ୍ରଭୁ ଏହାକୁ ଖାଇଲେ କାଳେ କ’ଣ କ୍ଷତି ହୋଇଯିବ? ଶାସ୍ତ୍ରରେ କ୍ଷୀରଜାତୀୟ ଜିନିଷ ବ୍ୟବହାର କରିବା ଉପରେ ବାରଣ ଅଛି। ନୂଆ ପରିବା ଭିତରେ କାଙ୍କଡ଼ କେବଳ ବ୍ୟବହୃତ ହୋଇଛି। ଏହାର ପରବର୍ତ୍ତୀ କାଳରେ ଯେତେବେଳେ କାଜୁର ବ୍ୟବହାର ସମସ୍ତେ ଜାଣିଲେ ସେତେବେଳକୁ ଶାସ୍ତ୍ର ଲେଖା ସରିଥିଲା। ତେଣୁ ଶାସ୍ତ୍ରାନୁସାରେ ହିଁ ଶ୍ରୀଜଗନ୍ନାଥଙ୍କ ଭୋଗ ପ୍ରସ୍ତୁତି ଓ ସମର୍ପଣ କରାଯାଏ।’’ ଆଉ ଏକ ମତ ରହିଛି ଯେ ଶ୍ରୀମନ୍ଦିରରେ ଲଙ୍କା ଶବ୍ଦ ଥିବା ଫଳ ଓ ପନିପରିବା ବ୍ୟବହାର ହୁଏନାହିଁ। ସେହି କାରଣରୁ ମହାପ୍ରସାଦରେ କଞ୍ଚା କିମ୍ବା ଶୁଖିଲା ଲଙ୍କା ରୋଷଶାଳରେ ପଶେନାହିଁ। କାଜୁବାଦାମଟି ଲଙ୍କାଆମ୍ବର ଅଂଶ ବିଶେଷ ହୋଇଥିବାରୁ, ବୋଧହୁଏ ଏହାର ପ୍ରଚଳନ ନିଷିଦ୍ଧ କରାଯାଇଛି। ତେବେ ଏହି ମତବାଦକୁ ନେଇ କୌଣସି ଉଲ୍ଲେଖ ଦୃଷ୍ଟିଗୋଚର ହୁଏନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.8 ° C
    30.8 °
    30.8 °
    54 %
    2.9kmh
    5 %
    Sat
    31 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ