Friday, October 2, 2026
22.9 C
Odisha

    ବାହୁଦାରେ ନୂଆ ବନ୍ଦର, ମହାନଦୀ ମୁହାଣରେ ଜାହାଜ ନିର୍ମାଣ କେନ୍ଦ୍ର

    ଆଗକୁ ପଢନ୍ତୁ

    ପାରାଦୀପ    :   ଗଞ୍ଜାମ ଜିଲ୍ଲାର ବାହୁଦାରେ ନୂଆ ବନ୍ଦର ଏବଂ ପାରାଦୀପ ନିକଟ ମହାନଦୀ ମୁହାଣରେ ଜାହାଜ ନିର୍ମାଣ ଓ ମରାମତି କେନ୍ଦ୍ର ନିର୍ମାଣ ହେବ। ଏଥିପାଇଁ ୪୬ ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପାରାଦୀପ ବନ୍ଦରରେ ବୁଧବାର ଆୟୋଜିତ ବୋଇତ ବନ୍ଦାଣ ଉତ୍ସବ-୨୦୨୫ରେ ଯୋଗଦେଇ କହିଛନ୍ତି। ୨୦୧୫ରେ ପାରାଦୀପ ବନ୍ଦରର ପଣ୍ୟ ପରିବହନ କ୍ଷମତା ୭୧ ନିୟୁତ ଟନ୍‌ ଥିଲା, ଯାହା ବୃଦ୍ଧି ପାଇ ୨୦୨୫ରେ ୧୫୦ ନିୟୁତ ଟନ୍‌ରେ ପହଞ୍ଚିଛି। ପାରାଦୀପ ବନ୍ଦର ଆଧୁନିକ ଓଡ଼ିଶାର ପ୍ରଗତିର ଦ୍ୱାର, ଅର୍ଥନୀତିର କୋଣାର୍କ। ମାରି-ଟାଇମ୍‌ ଇଣ୍ଡିଆ ଭିଜନ ୨୦୩୦ ଅନୁସାରେ ବାର୍ଷିକ ୩୦୦ ନିୟୁତ ଟନ୍‌ ଓ ବିକଶିତ ଭାରତ ୨୦୪୭ ଯୋଜନା ଅନୁଯାୟୀ ୫୦୦ ନିୟୁତ ଟନ୍‌ ପର୍ଯ୍ୟନ୍ତ ପଣ୍ୟ ପରିବହନ କ୍ଷମତା ସହିତ ପାରାଦୀପ ବନ୍ଦରକୁ ଏକ ମେଗା ପୋର୍ଟ ଭାବେ ଗଢ଼ାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

    ପାରାଦୀପ ବନ୍ଦର ପକ୍ଷରୁ ୱେଟ୍‌ ବେସିନ୍‌ଠାରେ ବୁଧବାର ବୋଇତ ବନ୍ଦାଣ ଉତ୍ସବ ଆୟୋଜିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସପତ୍ନୀକ ଯୋଗଦେଇ ପାରମ୍ପରିକ ଭାବେ ପୂଜା କରିଥିଲେ। ପରେ ସୁସଜ୍ଜିତ ବୋଇତକୁ ପତାକା ଦେଖାଇ ବିଦାୟ ଦେଇଥିଲେ। ପରେ ଆୟୋଜିତ ସଭାରେ ମୁଖ୍ୟମନ୍ତ୍ରୀ ମାଝୀ କହିଛନ୍ତି, ବୋଇତ ବନ୍ଦାଣ ଓ ବାଲିଯାତ୍ରା ଓଡ଼ିଶାର ଗୌରବମୟ ଐତିହ୍ୟର ପ୍ରତୀକ। ନୌବାଣିଜ୍ୟ ପରମ୍ପରା ଆଜି ବି ଓଡ଼ିଆ ଜନତାଙ୍କୁ ପ୍ରେରଣା ଦେଉଛି, ସେମାନେ ଧୈର୍ଯ୍ୟ ଓ ସାହସ ସହିତ ନୂଆ ଶିଖର ଛୁଇଁପାରିଛନ୍ତି। ଓଡ଼ିଶାର ପ୍ରଗତିରେ ପାରାଦୀପ ବନ୍ଦର ଅଗ୍ରଣୀ ଭୂମିକା ଗ୍ରହଣ ରହିଛି। ଏହା ଆଜି ଭାରତର ସର୍ବଶ୍ରେଷ୍ଠ ବୃହତ୍‌ ବନ୍ଦର ଭାବେ ପରିଚିତ ହୋଇଛି। ଓଡ଼ିଶା ସରକାର ଓ ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ମିଳିତ ଭାବେ ଗଞ୍ଜାମ ଜିଲାର ବାହୁଦାଠାରେ ୨୧,୫୦୦ କୋଟି ଟଙ୍କା ବିନିଯୋଗରେ ଏକ ବୃହତ୍‌ ବନ୍ଦର ଗଢ଼ିବା ପାଇଁ ଯୋଜନା କରୁଛନ୍ତି। ସେହିପରି ମହାନଦୀ ମୁହାଣରେ ୨୪,୭୦୦ କୋଟି ଟଙ୍କା ବିନିଯୋଗରେ ଜାହାଜ ନିର୍ମାଣ ଓ ମରାମତି କେନ୍ଦ୍ର ସ୍ଥାପନ ହେବ। ଏହାସହ ପୁରୀରେ ବିଶ୍ୱସ୍ତରୀୟ କ୍ରୁଜ୍‌ ଟର୍ମିନାଲ୍‌ ଗଢ଼ାଯିବ। ଏହି ପ୍ରକଳ୍ପଗୁଡ଼ିକ ଓଡ଼ିଶାର ବାଣିଜ୍ୟ, ପର୍ଯ୍ୟଟନ ଓ ଶିଳ୍ପ କ୍ଷେତ୍ରକୁ ନୂଆ ଦିଗ ଦେବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି।
    ସଭାରେ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ କହିଛନ୍ତି, ରାଜ୍ୟ ସରକାର ବନ୍ଦରକୁ କେନ୍ଦ୍ରକରି ଶିଳ୍ପ, ନିଯୁକ୍ତି ସୃଷ୍ଟି ଓ ଦକ୍ଷତା ବିକାଶରେ ବିଶେଷ ଗୁରୁତ୍ୱ ଦେଉଛନ୍ତି। ପାରାଦୀପ ବନ୍ଦରର ବିକାଶ କେବଳ ଓଡ଼ିଶାକୁ ନୁହେଁ, ସମଗ୍ର ଭାରତର ମାରିଟାଇମ୍‌ ଅର୍ଥନୀତିକୁ ଶକ୍ତିଶାଳୀ କରୁଛି। ପାରାଦୀପ ଆଜି କେବଳ ଏକ ବନ୍ଦର ନୁହେଁ, ଏହା ଓଡ଼ିଶାର ଅସୀମ ସମ୍ଭାବନା ଓ ନୂଆ ଭାରତ ଗଢ଼ିବାର ଶକ୍ତିର ପ୍ରତୀକ। ଜଗତ୍‌ସିଂହପୁର ଏମ୍‌ପି ବିଭୁ ପ୍ରସାଦ ତରାଇ କହିଛନ୍ତି, ଭବିଷ୍ୟତରେ ପାରାଦୀପ ବନ୍ଦରକୁ କେନ୍ଦ୍ର କରି ଏଠାରେ ଅନେକ ନୂତନ ଶିଳ୍ପ, ଶିକ୍ଷା ଓ ପରିବହନ ଆଧାରିତ ପ୍ରକଳ୍ପ ଆସିବ, ଯାହା ଜଗତ୍‌ସିଂହପୁର ଓ ସମଗ୍ର ଓଡ଼ିଶାର ଅର୍ଥନୈତିକ ମାନଚିତ୍ରକୁ ପରିବର୍ତ୍ତନ କରିଦେବ। ପାରାଦୀପର ସଫଳତା ହେଉଛି ଓଡ଼ିଶାର ଗର୍ବ ଓ ଭବିଷ୍ୟତ। ପାରାଦୀପ ବନ୍ଦର ଅଧ୍ୟକ୍ଷ ପି. ଏଲ୍‌.ହାରାନ୍ଧ କହିଛନ୍ତି, ଗତ ୪ ବର୍ଷ ଧରି ପାରାଦୀପ ବନ୍ଦର ନିରନ୍ତର ଭାବେ ନୂତନ ରେକର୍ଡ ସୃଷ୍ଟି କରିଛି। ପୂର୍ବ ୫୦ବର୍ଷର ସଫଳତାକୁ ଅତିକ୍ରମ କରିଛି। କ୍ଷମତା ବୃଦ୍ଧି, ବ୍ୟବସାୟିକ ପଦ୍ଧତିର ଉନ୍ନତି, ଦକ୍ଷତା ବିକାଶ ଓ ସମସ୍ତଙ୍କଠାରୁ ଅଧିକ ଟିମ୍‌ ପାରାଦୀପର ଅକ୍ଳାନ୍ତ ଶ୍ରମ ଏବଂ ସମର୍ପଣ ଯୋଗୁ ପାରାଦୀପ ବନ୍ଦର ଆଜି ଦେଶର ୧ ନମ୍ବର ଭାବେ ପରିଚିତ ହୋଇଛି। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲାପାଳ ଜେ. ସୋନାଲ, କେନ୍ଦ୍ରାଞ୍ଚଳ ଡିଆଇଜି ଡ. ସତ୍ୟଜିତ ନାଏକ ପ୍ରମୁଖ ମଞ୍ଚାସୀନ ଥିଲେ। ପାରାଦୀପ ବନ୍ଦର ଉପାଧ୍ୟକ୍ଷ ଅଲେଖ ଚରଣ ସାହୁ ଧନ୍ୟବାଦ ଦେଇଥିଲେ। ଏହାପରେ ମୁଖ୍ୟ ଅତିଥି ତଥା ସମସ୍ତ ସମ୍ମାନିତ ଅତିଥି ଜାହାଜ ତରଣୀରେ ବସି ବନ୍ଦର ପରିକ୍ରମା କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.9 ° C
    22.9 °
    22.9 °
    79 %
    1.3kmh
    38 %
    Thu
    23 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ