ଭୁବନେଶ୍ୱର : ବିଜେଡିର ମିସନ -୨୦୨୭ । ନୂଆ ମିସନ ପାଇଁ ନୂଆ ସେନା ପ୍ରସ୍ତୁତ । ଗ୍ରାସରୁଟକୁ ଫେରୁଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଜିଲ୍ଲାରୁ ରାଜ୍ୟ ପର୍ଯ୍ୟନ୍ତ ସଙ୍ଗଠନରେ ବଡ଼ ହେବ ପରିବର୍ତ୍ତନ । ୨୦୨୪ ନିର୍ବାଚନ ପରବର୍ତ୍ତୀ ସ୍ଥିତିକୁ ସମୀକ୍ଷା କରିବା ପରେ ଏବେ ଆକ୍ସନ ମୋଡକୁ ଫେରିଛି ବିଜୁ ଜନତା ଦଳ । ସୁପ୍ରିମୋ ନବୀନ ପଟ୍ଟନାୟକ ଏକ ବଡ଼ ଧରଣର ସାଂଗଠନିକ ପୁର୍ନଗଠନ କରିଛନ୍ତି । ଜିଲ୍ଲା ସ୍ତରରୁ ଆରମ୍ଭ କରି ରାଜ୍ୟସ୍ତର ପର୍ଯ୍ୟନ୍ତ ନୂଆ ନେତାଙ୍କୁ ଗୁରୁ ଦାୟିତ୍ୱ ଦେଇ ବିଜେଡି ଏବେ ପୁଣି ଥରେ ନିଜର ଗଡ଼ ରକ୍ଷା କରିବାକୁ ଅଣ୍ଟା ଭିଡ଼ିଛି । ତୃଣମୂଳ ସ୍ତରରୁ ସଂଗଠନ ଦୃଢ କରିବାକୁ ପୁଣି ଲୋକଙ୍କ ପାଖକୁ ଯିବ ବିଜେଡି ।
ଏହି ନୂଆ ନିଯୁକ୍ତିର ସବୁଠାରୁ ବଡ଼ ସଙ୍କେତ ହେଉଛି ତୃଣମୂଳ ସ୍ତରର ପୁନରୁଦ୍ଧାର । ବିଜେଡି ନିଜର ସବୁଠାରୁ ବଡ଼ ଶକ୍ତି ଅର୍ଥାତ୍ ଗାଁ ଗାଁରେ ଥିବା କର୍ମକର୍ତ୍ତାଙ୍କୁ ପୁଣି ସକ୍ରିୟ କରିବାକୁ ଚାହୁଁଛି । ଏଥିପାଇଁ ଜିଲ୍ଲା ସ୍ତରରେ ନୂଆ ଚେହେରାକୁ ନିଯୁକ୍ତି ଦିଆଯାଇଛି । ନୂଆ ଜିଲ୍ଲା ସଭାପତି ଏବଂ କାର୍ଯ୍ୟକାରୀ ସଭାପତିଙ୍କୁ ନିଯୁକ୍ତ କରି ଦଳ ସ୍ଥାନୀୟ ଭୋଟରଙ୍କ ସହ ପୁଣି ସମ୍ପର୍କ ଯୋଡ଼ିବାକୁ ଲକ୍ଷ୍ୟ ରଖିଛି । ବ୍ୟାପକ ସାଂଗଠନିକ ଢାଞ୍ଚା: ସାଧାରଣ ସମ୍ପାଦକ ଏବଂ ବରିଷ୍ଠ ପଦବୀରେ ଅଧିକ ସଂଖ୍ୟକ ନେତାଙ୍କୁ ସାମିଲ କରାଯାଇଛି, ଯାହା ଦର୍ଶାଉଛି ଯେ ଦଳ ପ୍ରତିଟି ଅଞ୍ଚଳକୁ ଗୁରୁତ୍ୱ ଦେଉଛି ।
