ନୂଆଦିଲ୍ଲୀ : ମହଙ୍ଗା ହେବ ବିମାନ ଯାତ୍ରା । ଭଡ଼ା ବଢ଼ାଇଲା ଏୟାର ଇଣ୍ଡିଆ । ଘରୋଇ ବିମାନ ଭଡ଼ା ବୃଦ୍ଧି କରିଛି ଏୟାର ଇଣ୍ଡିଆ । ଆସନ୍ତାକାଲି ଠାରୁ ଯାତ୍ରୀମାନଙ୍କୁ ଦୂରତା ଅନୁସାରେ ଅଧିକ ଟଙ୍କା ଦେବାକୁ ପଡ଼ିବ । ଏହି ନୂଆ ଦର ୮ଏପ୍ରିଲ ସକାଳ ୯ଟା ପରେ ବୁକିଂ ହେଉଥିବା ଟିକେଟ୍ ଉପରେ ଲାଗୁ ହେବ ।
ବର୍ତ୍ତମାନ ଏୟାର ଇଣ୍ଡିଆ ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସର ଯାତ୍ରୀମାନଙ୍କୁ ବିମାନର ଦୂରତା ଅନୁଯାୟୀ ୨୯୯ ଟଙ୍କାର ୮୯୯ ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ଭଡ଼ା ଦେବାକୁ ହେବ । ୫୦୦ କିମିରୁ କମ୍ ଦୂରତା ପାଇଁ ୨୯୯ ଟଙ୍କା ଦେବାକୁ ହେବ । ୫୦୧ କିମିରୁ ୧,୦୦୦ କିମି ମଧ୍ୟରେ ୩୯୯ ଟଙ୍କା ଅଧିକ ଦେବାକୁ ହେବ । ୧,୦୦୧ କିମିରୁ ୧,୫୦୦ କିମି ମଧ୍ୟରେ ଅତିରିକ୍ତ ୫୪୯ ଟଙ୍କା, ୧,୫୦୧ କିମିରୁ ୨,୦୦୦ କିମି ମଧ୍ୟରେ ଅଧିକ ୭୪୯ ଟଙ୍କା ଦେବାକୁ ହେବ ।
ସେହିଭଳି ୨,୦୦୦ କିମିରୁ ଅଧିକ ଦୂରତା ପାଇଁ ଅଧିକ ୮୯୯ ଟଙ୍କା ଦେବାକୁ ହେବ । ଏହି ନୂଆ ଦର ୮ ଏପ୍ରିଲ ସକାଳ ୯ଟା ପରେ ବୁକିଂ ହେଉଥିବା ଟିକେଟ୍ ଉପରେ ଲାଗୁ ହେବ । ଯଦି ପୂର୍ବରୁ ଟିକେଟ୍ ବୁକ୍ କରିସାରିଛନ୍ତି, ତେବେ ଆପଣଙ୍କୁ ଅଧିକ ଟଙ୍କା ଦେବାକୁ ପଡ଼ିବ ନାହିଁ । କିନ୍ତୁ ଯଦି ଯିବାର ତାରିଖ ବଦଳାନ୍ତି, ତେବେ ନୂଆ ଦର ଲାଗୁ ହୋଇପାରେ । ବିଶ୍ୱସ୍ତରରେ ବିମାନ ଇନ୍ଧନ ଦର ବୃଦ୍ଧି ଯୋଗୁଁ ଏହି ନିଷ୍ପତ୍ତି ନିଆଯାଇଛି ।
