ନୂଆଦିଲ୍ଲୀ : Free Railway Travel ଦେଶର ବୀର ଯବାନ ଏବଂ ସେମାନଙ୍କ ପରିବାର ପାଇଁ କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ସେନା ମେଡାଲ, ନୌସେନା ମେଡାଲ ଏବଂ ବାୟୁସେନା ମେଡାଲରେ ସମ୍ମାନିତ ଯବାନ ଓ ଯୋଗ୍ୟ ପରିବାର ସଦସ୍ୟଙ୍କୁ ଏଣିକି ଭାରତୀୟ ରେଳରେ ଆଜୀବନ ମାଗଣା ଯାତ୍ରା ସୁବିଧା ମିଳିବ । ଏହି ନିଷ୍ପତ୍ତି ପୂର୍ବରୁ ଘୋଷଣା ହୋଇଥିବା ବେଳେ ଏବେ ଏହାକୁ କାର୍ଯ୍ୟକାରୀ କରିବାର ପ୍ରକ୍ରିୟା ଆରମ୍ଭ ହୋଇଛି । ଯୋଗ୍ୟ ବ୍ୟକ୍ତି ୧ ନଭେମ୍ବର ୨୦୨୬ରୁ IRCTC ମାଧ୍ୟମରେ ଟିକେଟ୍ ବୁକ୍ କରିପାରିବେ । ଏଥିପାଇଁ ସମ୍ପୂର୍ଣ୍ଣ ପ୍ରକ୍ରିୟା ଅନଲାଇନ୍ ହେବ ।
ରକ୍ଷା ମନ୍ତ୍ରଣାଳୟ ଏହି ସୁବିଧା ଲାଗୁ କରିବା ପାଇଁ ଡିଜିଟାଲ ବ୍ୟବସ୍ଥା ପ୍ରସ୍ତୁତ କରିଛି । ଯୋଗ୍ୟ ଲାଭାର୍ଥୀମାନଙ୍କୁ ପ୍ରଥମେ ଇଣ୍ଡିଆନ୍ ରେଲୱେ କନସେସନ୍ କାର୍ଡ ପୋର୍ଟାଲ୍ (IRCCP) ରେ ଅନଲାଇନ୍ ରେଜିଷ୍ଟ୍ରେସନ କରିପାରିବେ । ରେଜିଷ୍ଟ୍ରେସନ କରିବା ପରେ ଆବଶ୍ୟକ ଯାଞ୍ଚ କରାଯିବ । ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ ଅନଲାଇନ୍ ଇ-ପାସ୍ ଜାରି କରାଯିବ । ଏହି ଇ-ପାସ୍ ଆଧାରରେ IRCTC ୱେବସାଇଟ୍ରୁ ରେଳ ଟିକେଟ୍ ବୁକ୍ କରିହେବ ।
ସେନା ମେଡାଲ, ନୌସେନା ମେଡାଲ ଏବଂ ବାୟୁସେନା ମେଡାଲରେ ସମ୍ମାନିତ ଯବାନମାନେ ଭାରତୀୟ ରେଳର ଫର୍ଷ୍ଟ କ୍ଲାସ୍, ସେକେଣ୍ଡ ଏସି (2AC) ଏବଂ ଏସି ଚେୟାର କାରରେ ବିନା ଭଡ଼ାରେ ଯାତ୍ରା କରିପାରିବେ । ଏହା ସହିତ ଜଣେ ସହଯାତ୍ରୀଙ୍କୁ ମଧ୍ୟ ମାଗଣା ଯାତ୍ରାର ସୁବିଧା ମିଳିବ । ଯୋଗ୍ୟ ପରିବାର ସଦସ୍ୟମାନେ ମଧ୍ୟ ଏହାର ଲାଭ ପାଇପାରିବେ।
ଏପର୍ଯ୍ୟନ୍ତ ଦେଶର ୬ଟି ପ୍ରମୁଖ ଚକ୍ର ବୀରତା ପୁରସ୍କାର ବିଜେତାଙ୍କୁ ଆଜୀବନ ମାଗଣା ରେଳ ଯାତ୍ରା ସୁବିଧା ମିଳୁଥିଲା । ଏଥିରେ ପରମବୀର ଚକ୍ର, ମହାବୀର ଚକ୍ର, ବୀର ଚକ୍ର, ଅଶୋକ ଚକ୍ର, କୀର୍ତ୍ତି ଚକ୍ର ଏବଂ ଶୌର୍ଯ୍ୟ ଚକ୍ର ସାମିଲ ଥିଲା । ଏବେ ସେନା ମେଡାଲ, ନୌସେନା ମେଡାଲ ଏବଂ ବାୟୁସେନା ମେଡାଲ (ବୀରତା)କୁ ମଧ୍ୟ ଏହି ସୁବିଧାରେ ସାମିଲ କରାଯାଇଛି ।
