Thursday, September 19, 2024
25.2 C
Odisha

    ବୁଧେଇ ଓଷା – ପୂଜା ବିଧି ଓ ମାହାତ୍ମ୍ୟ

    ଆଗକୁ ପଢନ୍ତୁ

     

    ଆମ ଦେଶରେ ଵାର ମାସରେ ତେର ପର୍ବ ପାଳନ କରାଯାଏ । ଖାସ କରି ଓଡ଼ିଆଙ୍କ ଘରେ ପ୍ରତିମାସରେ ଦୁଇ ରୁ ତିନି ପ୍ରକାରର ପୂଜା, ବ୍ରତ ଆଦି ପାଳିତ ହୋଇଥାଏ । ସେଥି ମଧ୍ୟରୁ ଗୋଟିଏ ହେଉଛି ବୁଧେଇ ଓଷା ବା ବୁଧି ବାମନ ଓଷା । ଏହା ଭାଦ୍ରବ ମାସରେ ପ୍ରତି ବୁଧବାର ଅନୁଷ୍ଠିତ ହୋଇଥାଏ।  ଭାଦ୍ରବ ମାସ ପ୍ରଥମ ବୁଧବାର ଠାରୁ ଆରମ୍ଭ ହୋଇ ଏହିପରି ଚାରୋଟି ବା ପାଞ୍ଚଟି ପାଳିରେ ବୁଧି ବାମନ ପୂଜା କରାଯାଏ । ଏଥିରେ ମା ମଙ୍ଗଳାଙ୍କୁ ବୁଧେଇ ରୂପରେ ଆଉ ତାଙ୍କ ପୁଅ ବାମନ ଙ୍କୁ ଆରାଧନା କରାଯାଏ । ମହିଳାମାନେ ନିଜ ପିଲାମାନଙ୍କ ଆରୋଗ୍ୟ କାମନା କରି ଓ ନିସନ୍ତାନ ମହିଳା ସନ୍ତାନ ପ୍ରାପ୍ତି ନିମନ୍ତେ ଏହି ଓଷା କରନ୍ତି । ଏଥିରେ ଘରେ ଥିବା ଶିଳ ଓ ଶିଳପୁଆ କୁ ନାରୀମାନେ ପୂଜିଥାନ୍ତି ।

    ଏବେ ଆସନ୍ତୁ ଜାଣିବା କଣ ରହିଛି ଏହି ଓଷାର ପୂଜା ବିଧି । ବୁଧବାର ଦିନ ସକାଳୁ ଉଠି ପୂଜା କରୁଥିବା ସ୍ତ୍ରୀଲୋକ ମାନେ ପବିତ୍ର ମନରେ ମୁଣ୍ଡ ଧୋଇ ଗାଧୋଇଥାନ୍ତି । ଘର ଦ୍ଵାର ଲିପା ପୋଛା କରନ୍ତି । ଶିଳ ଓ ଶିଳପୁଆ କୁ ହଳଦୀ ପାଣି ଓ ଗଙ୍ଗା ଜଳରେ ଧୋଇ ସଫା କରି ରଖନ୍ତି । ଏହିଦିନ ପୂଜା କରୁଥିବା ମହିଳା ମାନେ ନିର୍ଜଳ ଉପବାସ ରୁହନ୍ତି । ଯେଉଁ ସ୍ଥାନରେ ବୁଧି ବାମନଙ୍କୁ ସ୍ଥାପନା କରାଯିବ ସେହି ସ୍ଥାନକୁ ଗୋବରରେ ଲିପି ଝୋଟି ଚିତା ପକେଇ ପ୍ରସ୍ତୁତ କରାଯାଏ । କଞ୍ଚା ହଳଦୀ କୁ ବହଳ କରି ବାଟି ଶିଳ ରେ ମା ଙ୍କ ପ୍ରତିମା ଆଉ ଶିଳପୁଆରେ ପୁତ୍ର ବାମନଙ୍କ ପ୍ରତିମା ସ୍ଥାପନା କରନ୍ତି । ରୂପାର ଆଖି, ଚିତା ଓ ମାନସିକ ରେ ଦିଆ ଯାଇଥିବା କଉଡ଼ି ପଇସାରେ ମା ବୁଧେଇ ଆଉ ପୁଅ ବାମନ ଙ୍କୁ ସଜେଇ ଦିଆଯାଏ । ପାଖରେ କଳସ ରଖାଯାଏ। ସନ୍ଧ୍ୟା ସମୟରେ ଫୁଲଫଳ, ପିଠାପଣା, ଧୂପଦୀପ ଓ ନୈବେଦ୍ୟ ଦେଇ ମା ବୁଧିବାମନଙ୍କୁ ପୂଜା କରାଯାଏ ।

    ଏହି ବୁଧି ବାମନ ଓଷା ର ମାହାତ୍ମ୍ୟକୁ ବୁଝିବା ନିମନ୍ତେ ଅନେକ ଗୁଡିଏ କାହାଣୀ ଲୋକମୁଖରୁ ଶୁଣିବାକୁ ମିଳେ । ଆଜି ଆସନ୍ତୁ ଆମେ ସେଇ କାହାଣୀ ଗୁଡିକ ବିଷୟରେ ଜାଣିବା ଓ ମାଆଙ୍କ ମହିମାକୁ ହୃଦୟଙ୍ଗମ କରିବା ।

    ପ୍ରଥମ କାହାଣୀ : ମଗଧ ଦେଶରେ ଜଣେ ସାଧବ ରହୁଥିଲେ । ଅଶେଷ ଧନସମ୍ପତ୍ତି, କୋଠାବାଡି କେଉଁଥିରେ ଅଭାବ ନଥିଲା ତାଙ୍କର । ସାଧବାଣୀ ଭାରି ସୁନ୍ଦରୀ ଓ ଗୁଣବତୀ । ହେଲେ ଏତେ ସବୁ ଥାଇ ମଧ୍ୟ ସେ ଆଦୌ ଖୁସି ନଥିଲେ । କରଣ ଏସବୁ ସମ୍ପତ୍ତିକୁ ଭୋଗ କରିବା ପାଇଁ ତାଙ୍କର କେହି ସନ୍ତାନ ନଥିଲେ । ସାଧବ ସାଧବାଣୀ ଦୁହେଁ ଏଥିପାଇଁ ସବୁବେଳେ ମନ ମାରି ରହୁଥିଲେ । ଲୋକମାନେ ଅପୁତ୍ରିକ ବୋଲି କହି ତାଙ୍କର ମୁହଁ ଚାହୁଁନଥିଲେ । ଥରେ ସାଧବାଣୀ ବୁଧିବାମନ ଙ୍କ ମହିମା ଓ ତାଙ୍କ ଓଷା ବିଷୟରେ କେଉଁଠୁ ଶୁଣିବାକୁ ପାଇଲେ । ପୁତ୍ରପ୍ରାପ୍ତି ନିମନ୍ତେ ମାନସିକ କରି ସମର୍ପଣ ଚିତ୍ତରେ ସେ ଏହି ଓଷା ପାଳିଲେ। ବୁଧିବାମନ ଏହି ପୂଜାରେ ପ୍ରସନ୍ନ ହୋଇ ତାଙ୍କୁ ପୁତ୍ର ସନ୍ତାନ ପ୍ରଦାନ କଲେ । ସେହି ଦିନଠାରୁ ସାଧବାଣୀ ପ୍ରତି ଭାଦ୍ରବ ମାସରେ ଏହି ଓଷା ପାଳିଲେ ଓ ଏହାର ମହିମା ସବୁ ଲୋକ ମାନଙ୍କ ଆଗରେ ପ୍ରଚାର କରିବାକୁ ଲାଗିଲେ ।

    ଦ୍ଵିତୀୟ କାହାଣୀ : ଚମ୍ପାବତୀପୁର  ରାଜ୍ୟରେ ଦିନା ସାହୁ ନାମକ ଏକ ଶୁଣ୍ଢୀ ଓ ତାଙ୍କ ପତ୍ନୀ ସୁକୁମାରୀ ବାସ କରୁଥିଲେ । ସେମାନଙ୍କର କୌଣସି ସନ୍ତାନ ନଥିଲେ ଓ ଦିନା ସାହୁ କୁ କୁଷ୍ଠ ରୋଗ ମଧ୍ୟ ହୋଇଥିଲା । ଦିନେ ସେ ନିଜର ମନସ୍କାମନା ନେଇ ମହାଦେବଙ୍କୁ ଦର୍ଶନ କରିବା ନିମନ୍ତେ ଯାଉଥିବା ସମୟରେ ବାଟରେ ବୁଧିବାମନ ତାଙ୍କୁ ଦେଖି ବୁଧେଇ ଓଷାର ମାହାତ୍ମ୍ୟ କଥା ତାଙ୍କୁ ବୁଝାଇଲେ । ଓଷା ର ପୂଜାବିଧି ବିଷୟରେ ମଧ୍ୟ ଜଣାଇଲେ । ଏହାଶୁଣି ଦିନା ସାହୁ ଘରକୁ ଫେରି ଆସି ସୁକୁମାରୀକୁ ବୁଧେଇ ଓଷା କରିବା ପାଇଁ କହିଲା । ସୁକୁମାରୀ ସେହି ପୂଜାବିଧି ଅନୁସରଣ କରି ନିର୍ମଳ ମନରେ ସେହି ପୂଜା କରିବାରୁ ଦିନା ସାହୂର କୋଷ୍ଠ ରୋଗ ଭଲ ହୋଇଗଲା ଏବଂ ସେମାନେ ପାଞ୍ଚଗୋଟି ପୁତ୍ର ଲାଭ କଲେ ।

    ସେହି ରାଜ୍ୟର ରାଜ ମଧ୍ୟ ନିସନ୍ତାନ ଥିଲେ । ଦିନେ ରାଜ ଜଙ୍ଗଲକୁ ଶିକାର କରିବାକୁ ଆସିଥିବା ସମୟରେ ସୁକୁମାରୀ ତାଙ୍କ ସମ୍ମୁଖରେ ପଡିଗଲା । ରାଜାଙ୍କୁ ଦେଖି ସୁକୁମାରୀ ନିସନ୍ତାନର ମୁହଁ ଦେଖିଲି ବୋଲି କହି ରାଜାଙ୍କୁ ଧିକ୍କାର କଲା । ରାଜା ଏହା ଶୁଣି କ୍ରୋଧିତ ହୋଇଗଲେ ଓ ତାର ପାଞ୍ଚ ପୁତ୍ରକୁ ହତ୍ୟା କରିଦେଲେ । ମାତ୍ର ସୁକୁମାରୀ ମାଆ ଙ୍କୁ ପୂଜା କରିବାରୁ ତାର ପୁତ୍ରମାନେ ପୁଣି ଜୀବିତ ହୋଇଗଲେ । ଏହା ଦେଖି ରାଜା ପୁଣିଥରେ ସେମାନଙ୍କୁ ହତ୍ୟା କରି ସମୁଦ୍ର ମଧ୍ୟରେ ପକାଇ ଦେଲେ । ତଥାପି ମାଆ ଙ୍କ କୃପାରୁ ପୁତ୍ର ମାନେ ପୁନଶ୍ଚ ଜୀବିତ ହୋଇ ଘରକୁ ଫେରି ଆସିଲେ । ଏହାଦେଖି ଚକିତ ହୋଇ ରାଜା ସୁକୁମାରୀକୁ ରାଜ ଦରବାରକୁ ନେଇଆସି ଏହାର ରହସ୍ୟ ରାଣୀଙ୍କୁ ଶୁଣାଇଲେ । ରାଣୀ ଏହି ପୂଜାବିଧି ସୁକୁମାରୀ ପାଖରୁ ବୁଝିନେଲେ ଓ ଓଷା କରିବାକୁ ଲାଗିଲେ । କିଛି ସମୟ ମଧ୍ୟରେ ରାଣୀ ପୁତ୍ର ସନ୍ତାନକୁ ଜନ୍ମ ଦେଲେ ଓ ଏହି ପୂଜାର ମହିମା ଚାରିଦିଗ ବ୍ୟାପିବାକୁ ଲାଗିଲା ।

    ତୃତୀୟ କାହାଣୀ : ଯାଜପୁରରେ ବନ୍ଧୁ ମହାନ୍ତି ପତ୍ନୀ ପ୍ରିୟବତୀ ଓ ପୁତ୍ର ଭାଗ୍ୟଧର ସହିତ ଆନନ୍ଦରେ ବସବାସ କରୁଥିଲେ । ପ୍ରିୟବତୀ କୌଣସି ଓଷା ବ୍ରତ କରେ ନାହିଁ । ଦିନେ ପାଖ ଘରେ ମହିଳାମାନେ ବୁଧେଇ ଓଷା କରୁଥିବା ବେଳେ ପ୍ରିୟବତୀ ସେଠାକୁ ଯାଇ ସେମାନଙ୍କୁ ଟାହି ଟାପରା କଲା ଓ ଶିଳ କୁ ପୂଜା କରୁଛ ବୋଲି କହି ହସିଲା । ହଠାତ ତାର ପୁତ୍ରକୁ ସର୍ପ ଦଂଶନ କଲା । ବନ୍ଧୁ ମହାନ୍ତି ଯେତେବେଳେ ଜାଣିବାକୁ ପାଇଲା ଯେ ତାର ପତ୍ନୀ ବୁଧିବାମନଙ୍କୁ ଅପମାନ ଦେଇଛି, ସେ ନିଜ ପତ୍ନୀକୁ ଗାଳି କଲା ଓ ବୁଧିବାମନ ଙ୍କ ମାହାତ୍ମ୍ୟ ବୁଝାଇଲା । ଏହାପରେ ପତି-ପତ୍ନୀ ପୂଜା କୋଠିରେ ଯାଇ ବୁଧିବାମନଙ୍କୁ କ୍ଷମା ପ୍ରାର୍ଥନା କଲେ ଓ ଜୀବନ ଥିବା ଯାଏଁ ତାଙ୍କ ପୂଜା କରିବାକୁ ମାନସିକ କଲେ । ପୁତ୍ର ଦେହରୁ ସାପର ବିଶ ଝଡ଼ିଗଲା ଓ ସେ ପୁଣିଥରେ ଚେତା ଫେରି ପାଇଲା ।

    ଚତୁର୍ଥ କାହାଣୀ : ଏକ ଗ୍ରାମରେ ଜଣେ ବ୍ରାହ୍ମଣୀ ଗର୍ଭବତୀ ଥିଲା । ପ୍ରସବ କାରଣରୁ ସେ ଖୁବ କଷ୍ଟ ଭୋଗୁଥିଲା । ଏକଦା କଷ୍ଟ ସହି ନପାରି ପଡିଶା ଘରେ ହେଉଥିବା ବୁଧିବାମନ ଓଷାରେ ସେ ବୁଧିବାମନଙ୍କୁ ପ୍ରାର୍ଥନା କଲେ । ପୀଡା ଲାଘବ କରିବାକୁ ସେ ବୁଧିବାମନ ଙ୍କୁ ହାତ ଯୋଡ଼ିଲେ ଓ ପ୍ରତି ପାଳିରେ ତାଙ୍କ ଓଷା କରିବା ପାଇଁ ମାନସିକ କଲେ । ବୁଧିବାମନ ତାଙ୍କ କଷ୍ଟ ଲାଘବ କଲେ ଓ ତାଙ୍କର ଏକ ସୁନ୍ଦର ପୁତ୍ର ସନ୍ତାନ ଜନ୍ମ ନେଲା । ତାପରଠୁ ବ୍ରାହ୍ମଣୀ ଏହି ପୂଜା ପାଳିବାକୁ ଲାଗିଲେ ।

    ପଞ୍ଚମ କାହାଣୀ : ହରିପୁରରେ ଜଣେ ବ୍ୟକ୍ତି ରାହୁଥିଲା । ତାର କୌଣସି ପିଲାପିଲି ହେଉ ନଥିଲେ । ଏକଦା ପଟି ପତ୍ନୀ ଚିନ୍ତା କଲେ ସେମାନେ ବୁଧେଇ ଓଷା ପାଳିବେ । ଦୁହେଁ ବୁଧିବାମନ ଙ୍କ ଶରଣ ପଶିଲେ ଓ ଏକ ପୁତ୍ର ସନ୍ତାନ ଲାଭ କଲେ । ଏହାପରେ ଅନେକ ବର୍ଷ ବିତିଗଲା । ପୁତ୍ର ଟି ବଡ଼ ହେବାକୁ ଲାଗିଲା । ମାତ୍ର ପଟି ପତ୍ନୀ ଦୁହେଁ ଓଷା କରିବାକୁ ଭୁଲିଗଲେ । ପୁତ୍ର ଟି ତିନି ବର୍ଷର ହୋଇଥିବା ବେଳେ ଦିନେ ଅଗଣା ରେ ଖେଳୁ ଖେଳୁ ହଠାତ ଅନ୍ତର୍ଦ୍ଧାନ ହୋଇଗଲା । ସ୍ଵାମୀ ସ୍ତ୍ରୀ ଦୁହେଁ ଚାରିଆଡ ଖୋଜିଲେ ହେଲେ ପୁଅ କୁ ପାଇଲେ ନାହିଁ । ସେମାନେ ବୁଝିପାରିଲେ ଯେ ବୁଦ୍ଧିବାମନ ଙ୍କ କ୍ରୋଧ କାରଣରୁ ଏପରି ହୋଇଛି । ସେମାନେ ଧାଇଁଯାଇ ମାଆଙ୍କ ଶରଣ ପଶିଲେ ଓ ତାଙ୍କୁ କ୍ଷମା ମାଗିଲେ । ଜୀବନ ଥିବା ଯାଏଁ ତାଙ୍କର ଓଷା କରିବାକୁ ମନସ୍ଥ କଲେ । ସଙ୍ଗେ ସଙ୍ଗେ ପୁଅ କେଉଁଠି ଥିଲା, ସେମାନଙ୍କ ନିକଟକୁ ଧାଇଁ ଆସିଲା । ମାଆ ଙ୍କ ମହିମା ଜାଣି ସମସ୍ତେ ତାଙ୍କ ନିକଟରେ ମୁଣ୍ଡିଆ ମାରିଲେ ।

    ଏମିତି ପ୍ରକାରେ ମା ଙ୍କ ର ଭକ୍ତିଭାବ ଆଉ ମହିମା ଚତୁର୍ଦିଗ ବ୍ୟାପିବାକୁ ଲାଗିଲା ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.2 ° C
    25.2 °
    25.2 °
    91 %
    1.1kmh
    100 %
    Thu
    25 °
    Fri
    31 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ