Saturday, October 3, 2026
29.5 C
Odisha

    ବ୍ୟାଙ୍କିଙ୍ଗ ବ୍ୟବସ୍ଥାର ଅବହେଳା ନେଇ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଲେଖିଲେ ଚିଠି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ମାନବିକତାକୁ ପରିହାସ । ବ୍ୟାଙ୍କିଙ୍ଗ ବ୍ୟବସ୍ଥାର ଚରମ ଅବହେଳା ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ନବୀନ ପଟ୍ଟନାୟକଙ୍କ ଚିଠି। କେନ୍ଦୁଝର ଜିଲ୍ଲାରେ ଘଟିଥିବା ଏକ ଅତ୍ୟନ୍ତ ଅମାନବୀୟ ଘଟଣାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିବା ସହ ନିର୍ମଳା ସୀତାରମଣଙ୍କୁ ଜରୁରୀ ପତ୍ର ଲେଖିଛନ୍ତି ।

    ନବୀନ ଅତ୍ୟନ୍ତ କ୍ଷୋଭର ସହ ଗତ ଏପ୍ରିଲ ୨୭ ତାରିଖରେ କେନ୍ଦୁଝର ଜିଲ୍ଲା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ମାଲିପୋଷି ଶାଖାରେ ଘଟିଥିବା ଏକ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା ବିଷୟରେ ଅବଗତ କରାଇଛନ୍ତି । ଜଣେ ଆଦିବାସୀ ବ୍ୟକ୍ତି ଜିତୁ ମୁଣ୍ଡାଙ୍କୁ ନିଜ ଭଉଣୀଙ୍କ ମୃତ୍ୟୁର ପ୍ରମାଣ ଦେବା ପାଇଁ ଶ୍ମଶାନରୁ ତାଙ୍କର କଙ୍କାଳ ଖୋଳି ବ୍ୟାଙ୍କକୁ ଆଣିବାକୁ ପଡ଼ିଥିଲା। ନିଜର ପ୍ରାପ୍ୟ ଟଙ୍କା ଉଠାଇବା ପାଇଁ ବ୍ୟାଙ୍କ କର୍ତ୍ତୃପକ୍ଷ ତାଙ୍କୁ ଏଭଳି ଚରମ ପଦକ୍ଷେପ ନେବାକୁ ବାଧ୍ୟ କରିଥିଲେ।

    ଜିତୁ ମୁଣ୍ଡା ବାରମ୍ବାର ବ୍ୟାଙ୍କକୁ ଦୌଡ଼ି ମଧ୍ୟ କୌଣସି ସହଯୋଗ କିମ୍ବା ସଠିକ୍ ସୂଚନା ପାଇନଥିଲେ। ଅଧିକାରୀଙ୍କ ସହାନୁଭୂତିହୀନ ମନୋଭାବ ଯୋଗୁଁ ଜଣେ ନିରୀହ ମଣିଷ ଏଭଳି ଅମାନବୀୟ କାର୍ଯ୍ୟ କରିବାକୁ ବାଧ୍ୟ ହୋଇଥିଲେ। ଏହି ଘଟଣା ପରେ ବ୍ୟାଙ୍କ କର୍ତ୍ତୃପକ୍ଷ RBI ନିୟମର ଦ୍ବାହି ଦେଇ ନିଜକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ନବୀନ ଏହାକୁ “ଅମାନବୀୟ ଯୁକ୍ତି” ବୋଲି କହିବା ସହ ନିୟମ ନାଁରେ ମଣିଷକୁ ହଇରାଣ କରାଯାଉଥିବା ଅଭିଯୋଗ କରିଛନ୍ତି। ଗଣତନ୍ତ୍ରରେ ନିୟମ ନାଗରିକଙ୍କୁ ସଶକ୍ତ କରିବା ପାଇଁ ଉଦ୍ଦିଷ୍ଟ, ଅପମାନିତ କରିବା ପାଇଁ ନୁହେଁ।

    ବ୍ୟାଙ୍କ ଅଧିକାରୀମାନେ ଜନସାଧାରଣଙ୍କ ସେବା କରିବା ପରିବର୍ତ୍ତେ ସେମାନଙ୍କୁ ଶୋଷଣ କରୁଛନ୍ତି ବୋଲି ସେ ଦର୍ଶାଇଛନ୍ତି। ଏହି ଲଜ୍ଜାଜନକ ଘଟଣା କେବଳ ଓଡ଼ିଶାରେ ନୁହେଁ, ବରଂ ବିଶ୍ୱସ୍ତରରେ ଚର୍ଚ୍ଚାର ବିଷୟ ହୋଇଛି। BBC ଏବଂ The New York Post ଭଳି ବିଦେଶୀ ଗଣମାଧ୍ୟମରେ ଏହା ପ୍ରକାଶ ପାଇବା ଦ୍ୱାରା ଦେଶର ଭାବମୂର୍ତ୍ତି କ୍ଷୁଣ୍ଣ ହୋଇଛି।

    ନବୀନ ପଟ୍ଟନାୟକ ଅର୍ଥମନ୍ତ୍ରୀଙ୍କୁ ଏହି ଘଟଣାରେ ଦାୟୀ ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି। ବିଶେଷ କରି ଦୁର୍ଗମ ଆଦିବାସୀ ଅଞ୍ଚଳରେ ବ୍ୟାଙ୍କିଙ୍ଗ୍ ସେବାକୁ ସମ୍ବେଦନଶୀଳ ଓ ନାଗରିକ-କୈନ୍ଦ୍ରିକ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଏହି ପତ୍ର ମାଧ୍ୟମରେ ନବୀନ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାରେ ‘ମାନବିକତା’ ଏବଂ ‘ସମ୍ବେଦନଶୀଳତା’ର ଆବଶ୍ୟକତା ଉପରେ ଜୋର ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.5 ° C
    29.5 °
    29.5 °
    57 %
    1.5kmh
    2 %
    Sat
    30 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ